ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାରେ ଅପରାହ୍ଣରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

ଏହାସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ବିପଦସଙ୍କୁଳ ସ୍ଥାନରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାତ୍ୟାରେ ଭାଙ୍ଗିଥିବା ସ୍କୁଲ କୋଠା, ଅଙ୍ଗନବାଡ଼ି କେନ୍ଦ୍ର, ପଞ୍ଚାୟତ ଅଫିସ, ପାଣିପଞ୍ଚାୟତ ଗୃହ,  ମରାମତି ପାଇଁ ୨ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜିଲାର ସମସ୍ତ ପାନୀୟ ଜଳ ପ୍ରକଳ୍ପଗୁଡିକ ବାତ୍ୟାପରେ କାର୍ଯ୍ୟକ୍ଷମ ହୋଇ ପାରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। ଜିଲ୍ଲାର ସମସ୍ତ ଏସ୍ଏଚଜିଗୁଡିକୁ ଲାଇଭଲିହୁଡ ପ୍ୟାକେଜ ପ୍ରଦାନ କରାଯିବ। ନଦୀ ବନ୍ଧଗୁଡିକର ସୁଦୃଢିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ବାତ୍ୟାରେ ମୃତ୍ୟୁବରଣ କରିଥିବା ଆଳି ବ୍ଲକ ଅରଗଳ ଗାଁର ଡମ୍ଵରୁଧର ଦାସଙ୍କ ପତ୍ନୀଙ୍କ ପାଇଁ ଡମ୍ଵରୁଧର ଦାସଙ୍କୁ ୪ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଥିବା ମାର୍ଶାଘାଇ ବ୍ଲକ ନାରାୟଣପୁର ଗାଁର ଲକ୍ଷ୍ମୀପ୍ରିୟା ସାହୁଙ୍କୁ ୯୫ ହଜାର ୧୦୦ଟଙ୍କାର ଚେକ ପ୍ରଦାନ କରିଛନ୍ତି।

ସେହିପରି ଝଡରେ କ୍ଷତିଗ୍ରସ୍ତ ହୋଇଥିବା ୩ଟି ସ୍ଵୟଂସହାୟିକା ସଂଘ, ଦୁଇଜଣ ମତ୍ସ୍ୟଜୀବୀଙ୍କୁ ଡଙ୍ଗା ଓ ଜାଲର କ୍ଷତିପୂରଣ ଓ ଆମ୍ଵ ନଡ଼ିଆ ବଗିଚାର କ୍ଷତି ସହିଥିବା ୫ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ଜିଲ୍ଲାର ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment