ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ପରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆକ୍ସିସ୍ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୋବାଇଲ ଏଟିଏମ୍ ସେବା ଭୁବନେଶ୍ୱରରେ ଉଦଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଅନନ୍ୟା ଦାସ ଉଦଘାଟନ କରିଥିଲେ।

ଏହି ମୋବାଇଲ ଏଟିଏମରୁ ଲୋକେ ନଗଦ ଟଙ୍କା ଉଠାଇ ପାରିବେ।

‘‘ବାତ୍ୟା ଫନି ପରେ ଉପଯୁକ୍ତ ନେଟଓ୍ୱର୍କ ନଥିବାରୁ ଭୁବନେଶ୍ୱରରେ ଅଧିକାଂଶ ଏଟିଏମ୍ ଅଚଳ ହୋଇଯାଇଛି। ଫଳରେ ଲୋକେ ନଗଦ ଟଙ୍କା ପାଇଁ ଅସୁବିଧା ଭୋଗୁଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇଟି ବ୍ୟାଙ୍କ ପକ୍ଷରୁ ମୋବାଇଲ ଏଟିଏମ୍ ସେବା ଶୁଭାରମ୍ଭ କରାଯାଇଛି। ଏହି ମୋବାଇଲ ଏଟିଏମରୁ ଲୋକେ ସିଧାସଳଖ ଉପକୃତ ହେବେ’’, କହିଛନ୍ତି ଅନନ୍ୟା ଦାସ।

ବାତ୍ୟା ଫନି ପରେ ବିଦ୍ୟୁତ ଏବଂ ନେଟଓ୍ୱର୍କ ସେବା ବାଧାପ୍ରାପ୍ତ ହୋଇଥିଲା। ଫଳରେ ଅନେକ ବ୍ୟାଙ୍କରେ ଲିଙ୍କ ଫେଲ୍ ହେବାରୁ ଗ୍ରାହକମାନେ ଅସୁବିଧାରେ ପଡ଼ିଥିଲେ। ଆକାଉଣ୍ଟରେ ଟଙ୍କା ଥିଲେ ମଧ୍ୟ ଲୋକେ ଟଙ୍କା ଉଠାଇ ପାରି ନଥିଲେ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ମୋବାଇଲ ଏଟିଏମ ସେବା ଶୁଭାରମ୍ଭ କରାଯାଇଛି। ସ୍ଥିତି ସ୍ୱାଭାବିକ ନହେବା ଯାଏଁ ଏହି ସେବା ଭୁବନେଶ୍ୱରରେ ବଳବତ୍ତର ରହିବ ବୋଲି ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି।

ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ମୋବାଇଲ୍ ଏଟିଏମ୍ ସେବା ଶୁଭାରମ୍ଭ କରାଯାଇଥିଲା। ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ଏଟିଏମରୁ ଲୋକେ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment