ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଉତ୍ତର ପୂର୍ବ ରାଜ୍ୟ ସମେତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଆମର ଫୋକସ୍ ରହିଥିଲା। ଏହିସବୁ ରାଜ୍ୟରେ ଏଥର ବିଜେପି ଭଲ ଆସନ ପାଇବ। ବିଶେଷକରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପିର ପ୍ରଦର୍ଶନ ଭଲ ରହିବ’’, ଏହା ଦୃଢ଼ତାର ସହ କହିଛନ୍ତି ଅମିତ ଶାହ।

ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଚଳିତ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନ ପାଇବ ବୋଲି ଶାହ ଦାବି କରିଥିଲେ।

‘‘ଦେଶର ଏମିତି କେଉଁ ରାଜ୍ୟ ନାହିଁ ଯେଉଁଠି ଆମେ ନିର୍ବାଚନ ପ୍ରଚାର ନକରିଛୁ। ଫେବ୍ରୁଆରିରୁ ମେ’ ମାସ ଭିତରେ ଆମେ ଦେଶର ପ୍ରତି କୋଣ ଅନୁକୋଣରେ ପ୍ରଚାର କରିଛୁ। ୧୪୨ଟି ରାଲି ମାଧ୍ୟମରେ ଆମେ ୧ କୋଟି ୫୦ ଲକ୍ଷ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପ୍ରୟାସ କରିଛୁ’’, କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଶାହ ଦାବି କରିଛନ୍ତି।

ଗତ ୫ ବର୍ଷରେ ମୋଦି ସରକାର ଅନେକ ଲୋକପ୍ରିୟ ଯୋଜନା କରିଛନ୍ତି। ପ୍ରାୟ ୧୩୩ଟି ଯୋଜନା ପ୍ରଣୟନ କରିଥିଲେ ମୋଦି। ଏହି ଯୋଜନାକୁ ନେଇ ବିଜେପି ଲୋକଙ୍କ ପାଖକୁ ଯାଇଥିଲା। ଏହା ଫଳପ୍ରଦ ହୋଇଛି ଏବଂ ପୁଣିଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଶାହ କହିଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment