ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Naveen ନବୀନ ହେବେ ପ୍ରଧାନମନ୍ତ୍ରୀ – ସୂର୍ଯ୍ୟ ପାତ୍ରଙ୍କର ଏହି ମନ୍ତବ୍ୟକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି।

‘‘ଦୁଇ ଦଶନ୍ଧି ତଳେ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସମସ୍ତେ ଚାହୁଁଥିଲେ। ମାତ୍ର ରାଜନୈତିକ ଷଡ଼ଯନ୍ତ୍ର କାରଣରୁ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ। ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ପଟ୍ଟନାୟକ ହେଉଛନ୍ତି ଯୋଗ୍ୟ ବ୍ୟକ୍ତି। ସେ ପ୍ରଧାନମନ୍ତ୍ରୀ ହେବା ଦରକାର।’’

ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଏହି ମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର। ସୂର୍ଯ୍ୟ ବିଜେଡିର ଜଣେ ସାମାନ୍ୟ ନେତା ନୁହନ୍ତି, ସେ ହେଉଛନ୍ତି ଦଳର ଉପ-ସଭାପତି। ବିଜୁ ଜନତା ଦଳ ଗଠନରୁ ସେ ଦଳରେ ଅଛନ୍ତି ଏବଂ ଏକାଧିକ ଥର ମନ୍ତ୍ରୀ ହୋଇଛନ୍ତି। ଏଣୁ ସୂର୍ଯ୍ୟଙ୍କର ଏହି ମନ୍ତବ୍ୟକୁ ରାଜନୀତି ପଣ୍ଡିତ ହାଲୁକା ଭାବେ ଗ୍ରହଣ କରିପାରୁ ନାହାନ୍ତି। ସୂର୍ଯ୍ୟଙ୍କର ଏହି ବୟାନକୁ ଗୁରୁତର ଭାବେ ବିଚାର କରୁଛି ରାଜନୀତିକ ମହଲ।

ଯଦି ନବୀନ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତାହାଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେଡି କ’ଣ ବିକଳ୍ପ ପ୍ରାର୍ଥୀ ଖୋଜି ସାରିଲାଣି କି ବୋଲି ରାଜନୀତିକ କରିଡରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନବୀନଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଜେଡି ଅଙ୍କ କଷୁଥିଲା। ଏଥିପାଇଁ ଚଳିତ ନିର୍ବାଚନରେ ବିଜେଡି ବାଛି ବାଛି ବିଭିନ୍ନ ନିର୍ବାଚନମଣ୍ଡଳୀରେ ଜିତିବା ସମ୍ଭବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା। ନିଜେ ନବୀନ ବି ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ମାରାଥନ ପ୍ରଚାର କରିଥିଲେ। ସାଢ଼େ ଚାରି କୋଟି ଓଡ଼ିଆ ମୋ’ ପରିବାର ବୋଲି ନବୀନ କହିଥିଲେ।

ତେବେ ନବୀନ କ’ଣ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଛାଡ଼ି ଦେଇ ଦିଲ୍ଲୀ ଚାଲିଯିବେ କି ବୋଲି ଚର୍ଚ୍ଚା ଜୋର୍ ଧରିଛି।

ସବୁଠୁ ବଡ଼ କଥା ହେଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ‘‘କେନ୍ଦ୍ରରେ ସରକାର ଗଠନ କରିବାରେ ଏଥର ଆଞ୍ଚଳିକ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଓଡ଼ିଶା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ’’। ଏହି ବିଜ୍ଞାପନକୁ ନେଇ ଚର୍ଚ୍ଚା ହେଲା ଯେ ବିଜେଡି ନବୀନଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି। ଏହି ଚର୍ଚ୍ଚାକୁ ଆଗକୁ ନେବାକୁ ଖୋରାକ ଯୋଇଛି ସୂର୍ଯ୍ୟ ପାତ୍ରଙ୍କ ବୟାନ।

ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ୨୦୦୯ ଯାଏଁ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ରହିଥିଲା। ୨୦୦୯ରୁ ବିଜେଡି ଏକାକୀ ନିର୍ବାଚନ ଲଢୁଛି ଏବଂ ନବୀନ ମୁଖ୍ୟମନ୍ତ୍ରୀ ରହିଛନ୍ତି।

୧୯ ବର୍ଷର ଲମ୍ବା ମୁଖ୍ୟମନ୍ତ୍ରୀତ୍ୱ ଭିତରେ କେବେ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହୋଇ ନଥିଲା। କିନ୍ତୁ ୨୦୧୯ ନିର୍ବାଚନ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି।

୧୯୯୭ରୁ ଏନଡିଏ ମେଣ୍ଟରେ ରହିଥିଲା ବିଜେଡି। ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୨୦୦୪ରେ ଏନଡିଏ ସରକାର କ୍ଷମତାରୁ ଯିବା ପରେ କଂଗ୍ରେସ ନେତୃତ୍ୱାଧୀନ ଉପା ଆସିଥିଲା କ୍ଷମତାକୁ। ସେତେବେଳେ ବିରୋଧୀ ଦଳରେ ଏନଡିଏ ରହିଥିଲେ ମଧ୍ୟ ବିଜେଡି ସମର୍ଥନ ପ୍ରତ୍ୟାହାର କରି ନଥିଲା।

ହେଲେ ୨୦୦୯ରେ ଏନଡିଏ ମେଣ୍ଟରୁ ଦୂରେଇ ଯାଇଥିଲା ବିଜେଡି। ଏନଡିଏ ସରକାରକୁ ନଆସିବାରୁ ବିଜେଡିର ଆଭିମୁଖ୍ୟ ସେମିତି ସ୍ପଷ୍ଟ ନଥିଲା। କିନ୍ତୁ ୨୦୧୪ରୁ ଚିତ୍ର ବଦଳିଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେଡି ‘ସମଦୂରତା’ ମନ୍ତ୍ର ଜପି ଆସୁଥିଲା।

କିନ୍ତୁ ଏବେ ୨୦୧୯ ନିର୍ବାଚନ ବେଳେ ବିଜେଡି କେନ୍ଦ୍ରରେ ସରକାର ଗଠନ ଉପରେ ଜୋର୍ ଦେଇଥିଲା। ତେବେ ଏହା କେତେଦୂର ବାସ୍ତବ ରୂପ ନେଉଛି ତାହା ମେ’ ୨୩ ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ଜଣାପଡ଼ିବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment