ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ଦେଖାଇଲେ ମୋଦି ଏବଂ ଶାହ।

‘‘କେନ୍ଦ୍ରରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଆମ ଦଳ ପୁଣି ଥରେ ପୂର୍ଣ୍ଣ ବହୁମତ ପାଇବ। ଦୀର୍ଘ ବର୍ଷ ପରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି ଅଧିକ ସଂଖ୍ୟକ ଆସନୁ ଜିତି ସରକାର ଗଠନ କରିବାକୁ ଯାଉଛି’’, ସାମ୍ବାଦିକ ସମ୍ମିଳନୀରେ ଏହା ଦୃଢ଼ତାର ସହ କହିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହ।

ନୂଆଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସରେ ଆଜି ମୋଦି ଏବଂ ଶାହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିଶ୍ଚିତ ବିଜୟ ହାସଲ କରିବ ବୋଲି ଦୃଢ଼ତାର ସହ କହିଥିଲେ।

‘‘ଚଳିତ ନିର୍ବାଚନ ବିଜେପି ପାଇଁ ଭଲ ଥିଲା। ମୁଁ ଏହି ନିର୍ବାଚନରେ ପ୍ରଚାର କରୁ ନଥିଲି। ଲୋକଙ୍କୁ କେବଳ ଧନ୍ୟବାଦ ଦେଉଥିଲି। ଭାରତ ହେଉଛି ବିଶ୍ଵର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଆମଠାରୁ ସାରା ବିଶ୍ୱ କିଛି ଶିଖିବା ଦରକାର’’, କହିଥିଲେ ମୋଦି।

ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଥିଲେ, ‘‘ମୋଦି ସରକାରଙ୍କ ଲୋକପ୍ରିୟ ଯୋଜନା ଲୋକମାନଙ୍କ ହୃଦୟକୁ ଛୁଇଁଛି। ପ୍ରତି ୧୫ ଦିନରେ ଥରେ ନୂଆ ନୂଆ ଯୋଜନା ଶୁଭାରମ୍ଭ କରାଯାଉଥିଲା। ପ୍ରାୟ ୧୩୩ଟି ଯୋଜନାକୁ ନେଇ ଆମେ ଲୋକମାନଙ୍କ ପାଖରେ ପହଞ୍ଚିଥିଲୁ। ଦେଶର ୫୦ କୋଟି ଗରିବ ଲୋକଙ୍କ ପାଖରେ ବିଜେପି ପହଞ୍ଚିବାରେ ସମର୍ଥ ହୋଇଛି। ମୋଦି ସରକାରଙ୍କ ଲୋକପ୍ରିୟ ଯୋଜନାରେ ଗରିବ ଲୋକଙ୍କ ଭାଗ୍ୟ ବଦଳିଛି।’’

ଏଥର ବି ଲୋକେ ବିଜେପି ଉପରେ ଆସ୍ଥା ପ୍ରକଟ କରିବେ ଏବଂ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଶାହ କହିଥିଲେ।

୧୯ ତାରିଖରେ ଶେଷ ହେବ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ମୋଦି ଆଜି ମଧ୍ୟପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ମଧ୍ୟପ୍ରଦେଶରୁ ସିଧା ନୂଆଦିଲ୍ଲୀ ଆସି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment