ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ଅଧା ଓଡ଼ିଶାକୁ ଛାରଖାର କରିଦେବା ପରେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଓଡ଼ିଶାକୁ ପୁନର୍ଗଠନ କରିବା ପାଇଁ ଦେଶ ତଥା ଦେଶ ବାହାରୁ ବିଭିନ୍ନ ବ୍ୟକ୍ତି ଏବଂ ସଂସ୍ଥା ସହାୟତାର ହାତ ବଢ଼ାଉଛନ୍ତି। ଏହି କ୍ରମରେ ୟୁଏଇର ଓଡ଼ିଆ ସମାଜ ଓଡ଼ିଶାର ବାତ୍ୟା ପୀଡ଼ିତଙ୍କୁ ସହାୟତା ଦେବା ଲାଗି ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୟୁଏଇର ଓଡ଼ିଆ ସମାଜ ପକ୍ଷରୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୟୁଏଇ ଓଡ଼ିଆ ସମାଜର ପ୍ରତିନିଧିମାନେ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ୟୁଏଇ ଓଡ଼ିଆ ସମାଜର ଉପଦେଷ୍ଟା ଅଜିତ କୁମାର ମିଶ୍ର, କ୍ୟାପଟେନ ଏସ୍ ଆର୍ ପଟ୍ଟନାୟକ, ଉପସଭାପତି ସୁଶାନ୍ତ କୁମାର ପଣ୍ଡା, ସମ୍ପାଦକ ଶୁଭ୍ରାଂଶୁ ଜେନା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ କରିଥିଲେ।

ଗତ ୩ ତାରିଖରେ ବାତ୍ୟା ଫନି ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା। ଲୋକଙ୍କ ବାସ ଏବଂ ଜୀବିକା ଉଜୁଡ଼ି ଯାଇଥିଲା। ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିଲେ। ଓଡ଼ିଶାର ବାତ୍ୟା ପୀଡ଼ିତଙ୍କୁ ସହାୟତା ଦେବା ପାଇଁ ୟୁଏଇରେ ବସବାସ କରୁଥିବା ଓଡ଼ିଆମାନେ ଆଗେଇ ଆସିଥିଲେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment