ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଫୁଲ ଡ୍ରାମା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ନୂଆଦିଲ୍ଲୀରେ ମୋଦି ଏବଂ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଏହାକୁ ଫୁଲ୍ କାର୍ଟୁନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ପୂର୍ଣ୍ଣ ବହୁମତ ପାଇ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ମୋଦି ଦାବି କରିଥିବାରୁ ରାହୁଲ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ‘ଏକ୍ସଲେଣ୍ଟ ପ୍ରେସ କନଫରେନ୍ସ ମୋଦିଜୀ’।

ନୂଆଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସରେ ମୋଦି ଏବଂ ଶାହ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଗଠନ କରିବ ବୋଲି ଦାବି କରୁଥିବା ବେଳେ କଂଗ୍ରେସ ଭବନରେ ରାହୁଲ ତୀର ମାରିଥିଲେ।

ରାହୁଲ କହିଥିଲେ, ‘‘ନିର୍ବାଚନ ଫଳ ଆସିବାର ପାଞ୍ଚ ଦିନ ପୂର୍ବରୁ ମୋଦି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଏହା ଭଲ କଥା। କିନ୍ତୁ ମତେ ଲାଗୁଛି ମୋଦି ନିଜେ ସାମ୍ବାଦିକ ସମ୍ମିଳନୀ ଡାକି ନାହାନ୍ତି। ସେ ଅମିତ ଶାହ ଡାକିଥିବା ସାମ୍ବାଦିକ ସମ୍ମିଳନୀକୁ ନିମନ୍ତ୍ରିତ ହୋଇ ଆସିଛନ୍ତି। ଆଶା କରୁଛି ଆଗକୁ ମୋଦିଙ୍କୁ ଯେଉଁ ପ୍ରଶ୍ନ କରାଯିବ ତାର ଉତ୍ତର ମଧ୍ୟ ଶାହ ଦେବେ।’’

ରାହୁଲ ଆହୁରି କହିଛନ୍ତି, ‘‘ମୋଦିଙ୍କ ସାମ୍ବାଦିକ ସମ୍ମିଳନୀକୁ ମୁଁ ୨, ୩ ଜଣ ସାମ୍ବାଦିକଙ୍କୁ ପଠାଇବାକୁ ଚାହୁଁଥିଲି। ହେଲେ ଖବର ମିଳିଲା ଯେ ମୋଦି କବାଟକିଳା ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। କିଛି ସାମ୍ବାଦିକଙ୍କୁ ଭିତରକୁ ଛାଡ଼ା ଯାଇ ନଥିବାରୁ ସେମାନେ ବାହାରେ ଅପେକ୍ଷା କରିଥିଲେ।’’

‘‘ମୋଦି ଜୀ ମୁଁ ଆପଣଙ୍କୁ ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଶ୍ନ କରିଥିଲି। ଅନିଲ ଅମ୍ବାନିଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲି। ହେଲେ ଏହାର ଉତ୍ତର ମିଳିଲାନି। ମୋ’ ସହ ଡିବେଟ କରିବାକୁ ଆହ୍ୱାନ କରିଥିଲି, ହେଲେ ଆପଣ ଜବାବ ଦେଲେନି। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆପଣ ଦେଶବାସୀଙ୍କୁ ଜଣାଇ ଦିଅନ୍ତୁ ଯେ ମୋ’ ସହ କାହିଁକି ଆପଣ ଡିବେଟ୍ କଲେନି’’, ଏହି ବାଣ ମାରିଛନ୍ତି ରାହୁଲ।

ମୋଦି ଗତ ପାଞ୍ଚ ବର୍ଷ ଭିତରେ ସାମ୍ବାଦିକ ସମ୍ମିଳନୀ କରି ନଥିଲେ। ଏହି ପ୍ରଶ୍ନ ବାରମ୍ବାର ଉଠାଇ ଆସୁଥିଲେ ରାହୁଲ। ପାଞ୍ଚ ବର୍ଷ ପରେ ମୋଦି ଆଜି ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ରାହୁଲ କଟାକ୍ଷ କରିଛନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment