ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

naveen patnaik ‘‘ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି। ହେଲେ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବେ ନାହିଁ। କାରଣ କଂଗ୍ରେସ ସମର୍ଥନ ଦେବ ଏବଂ ପଛରେ ଗୋଡ଼ ଟାଣିଦେବ’’, ଏହି ବୟାନ ହେଉଛି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କର।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଯେଉଁ ସମୟରେ ଅଣ ବିଜେପି ଦଳମାନଙ୍କର ବୈଠକ ଡାକିଛନ୍ତି ସେହି ସମୟରେ ସୂର୍ଯ୍ୟ ଏହି ବୟାନ ଦେଇଥିବାରୁ ବିଜେଡି କେଉଁ ମେଣ୍ଟରେ ସାମିଲ ହେବ ତାହା ସ୍ପଷ୍ଟ ହୋଇଯାଇଛି। ସୂର୍ଯ୍ୟଙ୍କର ବୟାନରୁ ଜଣାପଡ଼ୁଛି ଯେ ବିଜେଡି ୟୁପିଏ ନୁହେଁ, ଏନଡିଏରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କିଏ କେଉଁ ମେଣ୍ଟରେ ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଟିଡିପି ମୁଖିଆ ଚନ୍ଦ୍ରବାବୁ ନାଇଡୁ ଉଦ୍ୟମ ଆରମ୍ଭ କରୁଛନ୍ତି। ମେ’ ୨୩ରେ ହୋଇଥିବା ବୈଠକରେ ବିଜେଡିକୁ ମଧ୍ୟ ଆମନ୍ତ୍ରିତ କରିଛନ୍ତି ସୋନିଆ।

ନବୀନ ସୋନିଆଙ୍କ ବୈଠକରେ ସାମିଲ ହେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ସୂର୍ଯ୍ୟଙ୍କ ବୟାନ ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ଏନଡିଏ ଆଡ଼କୁ ଢଳୁଛି।

୧୯୯୭ରୁ ୨୦୦୯ ଯାଏଁ ବିଜେଡି ଏନଡିଏ ସାଙ୍ଗରେ ରହିଥିଲା। ବିଜେପି-ବିଜେଡି ମେଣ୍ଟ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ୁଥିଲେ। ହେଲେ ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା। କିନ୍ତୁ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଦରବାରରେ ବିଜେଡି ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଉଥିଲା। କାରଣ ବିଜେପିର ବରିଷ୍ଠ ନେତା ଅଟଳବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନି ସେତେବେଳେ ବିଜେପିର ମଙ୍ଗ ଧରିଥିଲେ।

୨୦୧୪ରେ କିନ୍ତୁ ବିଜେଡି ଏବଂ ବିଜେପି ଭିତରେ ଗଣିତ ବଦଳିଥିଲା। ଲାଲକୃଷ୍ଣ ଆଡଭାନିଙ୍କ ବଦଳରେ ଯେତେବେଳେ ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ କଲା ସେତେବେଳେ ନବୀନଙ୍କ ସ୍ୱର ବିଜେପି ବିରୋଧରେ ଶାଣିତ ହୋଇଥିଲା। ନବୀନ ସେବେଠାରୁ ସମଦୂରତା ମନ୍ତ୍ର ଜପିଥିଲେ।

ଓଡ଼ିଶାରେ ମଧ୍ୟ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଥିଲା। କଥା କଥାକେ ବିଜେଡି କେନ୍ଦ୍ର ଅବହେଳା କହି ରାଜରାସ୍ତାକୁ ଓହ୍ଲାଉଥିଲା ଏବଂ ବିଜେପି ମଧ୍ୟ ବିଭିନ୍ନ ଦୁର୍ନୀତିକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କୁ ଘେରିଥିଲା।

କେନ୍ଦ୍ରରୁ ବିଜେପି ନେତା ଓଡ଼ିଶା ଗସ୍ତରେ ଆସି ନବୀନଙ୍କୁ ସମାଲୋଚନା କରୁଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପ୍ରଚାର ବେଳେ ବିଜେପି-ବିଜେଡି ମଧ୍ୟରେ ଦେଖିବାକୁ ମିଳିଥିଲା ଘମାଘୋଟ ଲଢ଼େଇ। ଯାହା ଅତୀତର କୌଣସି ନିର୍ବାଚନରେ ଦେଖିବାକୁ ମିଳି ନଥିଲା।

ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ବାରମ୍ବାର ଓଡ଼ିଶା ଆସି ନବୀନଙ୍କୁ ଟାର୍ଗେଟ କରିଥିଲେ। ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିବାକୁ ପଛାଇ ନଥିଲେ ଶାହ। ଘମାଘୋଟ ନିର୍ବାଚନ ଶେଷ ହେବା ପରେ ଉପକୂଳ ଓଡ଼ିଶାକୁ ଛାର କରିଦେଲା ବାତ୍ୟା।

ବାତ୍ୟା ପରେ ମୋଦି ଏବଂ ଶାହ ନବୀନଙ୍କୁ ପ୍ରଶଂସା କରିବା ପରେ ସମୀରକରଣ ବଦଳୁଥିବା ଚର୍ଚ୍ଚା ହେଉଛି। ବାତ୍ୟା ସୁପରିଚାଳନାରେ ନବୀନଙ୍କୁ ମୋଦି ପ୍ରଶଂସା କରିଥିବା ବେଳେ ନବୀନଙ୍କ ଶାସନ ଭଲ ବୋଲି ଶାହ କହିଥିଲେ। ଏପଟେ ନବୀନ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ସମୟରେ ମୋଦି ଛିଡ଼ା ହୋଇଥିବାରୁ ତାଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ମୋଦି, ଶାହଙ୍କ ‘ପ୍ରଶଂସା’ ଏବଂ ନବୀନଙ୍କ ‘ଧନ୍ୟବାଦ’ ସ୍ପଷ୍ଟ କରୁଛି ଯେ ବିଜେଡି ଏନଡିଏ ମେଣ୍ଟରେ ହିଁ ରହିବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment