ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସହାୟତା ଘୋଷଣା କରିଛନ୍ତି। ଉଠା ଦୋକାନୀ, ନଡ଼ିଆ ଚାଷୀ ଏବଂ କୁକୁଡ଼ା ଚାଷୀଙ୍କ ପାଇଁ ନବୀନ ଏହି ସହାୟତା ରାଶି ଘୋଷଣା କରିଛନ୍ତି।

ଗୋଟିଏ ନଡ଼ିଆ ଗଛ ଭାଙ୍ଗିଥିଲେ ୫୦୦ ଟଙ୍କା ମିଳିବ। ସେହିପରି ଜଣେ ଚାଷୀଙ୍କୁ ୨୫ଟି ଗଛ ପାଇଁ ସହାୟତା ମିଳିବ।

୫୦୦ କୁକୁଡ଼ା ରଖିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ୧ ଲକ୍ଷରେ ୭୫ ପ୍ରତିଶତ ସବ୍‌ସିଡ୍ ମିଳିବ। ୨ ହଜାର କୁକୁଡ଼ା ଫାର୍ମକୁ ଏହି ସହାୟତା ଦିଆଯିବ।

ସେହିପରି ୧୧ଟି ପୌର ସଂସ୍ଥାର ଉଠା ଦୋକାନୀମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ। କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ସ୍ୱତନ୍ତ୍ର ପ୍ୟାକେଜ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଗତ ୩ ତାରିଖରେ ବାତ୍ୟା ଫନି ପୁରୀରେ ହିଟ୍ କରିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଉଠା ଦୋକାନୀ, ନଡ଼ିଆ ଚାଷୀ ଏବଂ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ।

Comment