ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଉ ୩ ଦିନ ପରେ ବାହାରିବ ୨୦୧୯ର ବଡ଼ ପରୀକ୍ଷା ଫଳ। ପରୀକ୍ଷାରେ କିଏ ପାସ୍ କରୁଛି ଏବଂ କିଏ ଫେଲ୍ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ପରୀକ୍ଷା ଦେଇଥିବା ନେତାଙ୍କ ଛାତି ଏବେଠୁ ଧଡ୍‌ଧଡ୍‌ ହେଲାଣି। ଅନ୍ୟପଟେ ସାରାଦେଶର ନଜର ରହିଛି ଏବେ ସେହି ନିର୍ବାଚନ ଫଳାଫଳ ଉପରେ।

ଆସନ୍ତା ୫ ବର୍ଷ ପାଇଁ ଭୋଟର କାହାକୁ ନିଜର ପ୍ରତିନିଧି ଭାବେ ବାଛୁଛନ୍ତି ତାକୁ ନେଇ ପ୍ରାର୍ଥୀଙ୍କ ମନରେ ଚିନ୍ତା ବଢ଼ିଛି। କାରଣ ଏଥର ସୁଯୋଗ ହାତରୁ ଖସିଗଲେ ନେତାଙ୍କୁ ଆଉ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ଓଡ଼ିଶାରେ କିଏ ଗଢ଼ିବ ସରକାର?

୨୦୧୯ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଆଉ ୩ ଦିନ ବାକି ଥିବା ବେଳେ ଓଡ଼ିଶାରେ କିଏ ସରକାର ଗଢ଼ିବ ତାକୁ ନେଇ ଚର୍ଚ୍ଚା ଚାଲିଛି। କ୍ଷମତାସୀନ ବିଜେଡି ହାତରୁ ବିଜେପି କ୍ଷମତା ଛଡ଼ାଇ ନେଉଛି ନା ବିଜେଡି ତାର ଦୁର୍ଗ ରକ୍ଷା କରୁଛି ତାହା ହିଁ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।

ନିର୍ବାଚନ ମଇଦାନରେ ଏଥର ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିଲା ଘମାଘୋଟ ଲଢ଼େଇ। ୨୦୦୯ ଏବଂ ୨୦୧୪ରେ ବିଜେଡିକୁ ସବୁଠି କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଏଥର ବିଜେପି କିନ୍ତୁ ବିଜେଡିକୁ ଦେଇଥିଲା ଟକ୍କର। ବିଜେପି ଓ ବିଜେଡି ଭିତରୁ କିଏ ଓଡ଼ିଶାର ସିଂହାସନ ଦଖଲ କରୁଛି ତାକୁ ହିଁ ଅପେକ୍ଷା।

ମୁଖ୍ୟ ବିରୋଧୀ ଆସନରେ ବସିବ କିଏ?

ସରକାର ଗଢ଼ିବାକୁ ନେଇ ବିଜେପି ଏବଂ ବିଜେଡି ଭିତରେ ଲାଗି ରହିଛି ଛକାପଞ୍ଝା। ବିଜେପିର କହିବା କଥା ଏଥର ମୋଦି ଲହର ଓଡ଼ିଶାରେ କାମ କରୁଛି। ଏଣୁ ବିଜେପି ହିଁ ଅଧିକ ଆସନ ପାଇବ ଏବଂ ସରକାର ଗଠନ କରିବ। ବିଜେଡିର ଦାବି ହେଉଛି ନବୀନ ପଟ୍ଟନାୟକଙ୍କ କ୍ରେଜ ଏବେ ବି ବଜାୟ ରହିଛି। ୨୦୧୪ ତୁଳନାରେ ବିଜେଡି ଅଧିକ ଆସନ ପାଇବ।

ଏସବୁ ଛକାପଞ୍ଝା ଭିତରେ ମୁଖ୍ୟ ବିରୋଧୀ ଦଳ ଆସନରେ କିଏ ବସିବ ତାକୁ ନେଇ ଚର୍ଚ୍ଚା ହେଉଛି। ଗତ ୧୯ ବର୍ଷ ହେଲା କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସି ଆସିଛି। ୨୦୧୪ରେ କଂଗ୍ରେସ ମାତ୍ର ୧୬ଟି ଆସନ ପାଇଥିବା ବେଳେ ବିଜେପି ପାଇଥିଲା ୧୦ଟି ଆସନ। ଏଣୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା କଂଗ୍ରେସ।

ହେଲେ ୨୦୧୯ରେ କଂଗ୍ରେସର ସ୍ଥିତି ବିଗିଡ଼ି ଯାଇଥିଲା। ନିର୍ବାଚନ ସମୟରେ ଜଣକ ପରେ ଜଣେ ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଇଥିବାରୁ କଂଗ୍ରେସ ଉପରୁ ଲୋକଙ୍କ ଭରସା ତୁଟି ଯାଇଥିଲା। ଏଥର କଂଗ୍ରେସ କେତେ ଆସନ ପାଇବ ତାହା କହିବା ମୁସ୍କିଲ। ଯଦି କଂଗ୍ରେସ ଏଥର କମ୍ ଆସନ ପାଏ ତାହାଲେ ମୁଖ୍ୟ ବିରୋଧୀ ଦଳ ଆସନ ବଜାୟ ରଖିବା କଷ୍ଟକର ହୋଇଯିବ ବୋଲି ଆଲୋଚନା ହେଉଛି।

ଏପଟେ ବିଜେଡି ଏବଂ ବିଜେପି ଭିତରୁ ଯଦି କୌଣସି ଦଳ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରେ ତାହାଲେ ଜଣକୁ ମୁଖ୍ୟ ବିରୋଧୀ ଦଳ ଆସନ ସମ୍ଭାଳିବାକୁ ପଡ଼ିବ। ଯଦି ବିଜେଡି ସରକାର ଗଠନ କରେ ତାହାଲେ ବିଜେପି ମୁଖ୍ୟ ବିରୋଧୀ ଦଳ ଗାଦିରେ ବସିବ ଏବଂ ଯଦି ବିଜେପି ସରକାର ଗଢ଼େ ତାହାଲେ ବିଜେଡିକୁ ମୁଖ୍ୟ ବିରୋଧୀ ଆସନରେ ବସିବାକୁ ପଡ଼ିବ।

୨୦୧୯ ନିର୍ବାଚନ ଅତି ଜଟିଳ ହୋଇଥିବାରୁ କିଏ ସରକାର ଗଢ଼ିବ ଏବଂ କିଏ ବିରୋଧୀ ଆସନରେ ବସିବ ତାହା କହି ହେଉନି। ଏଣୁ ମେ’ ୨୩ ଭୋଟ ଗଣତି ଦିନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment