ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏକଜିଟ୍ ପୋଲ ଯାହା ସୂଚନା ଦେଉଛି ଯଦି ତାହା ସତ ହୁଏ ତେବେ ବିଜେଡି ଓ ବିଜେପିର ଲୋକସଭା ଆସନ ସଂଖ୍ୟାରେ ଫିଫ୍ଟି-ଫିଫ୍ଟି ଭଳି ସ୍ଥିତି ସୃଷ୍ଟି ହୋଇପାରେ।

୨୦୧୯ ଓଡ଼ିଶା ବିଧାନସଭା ଏବଂ ଲୋକସଭାର ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ ମାତ୍ର ୩ ଦିନ ବାକିରହିଛି। ତେବେ ଆଜି ଦେଶର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲରୁ ଗୋଟିଏ ଚିତ୍ର ଆସୁଛି ଯେ, ଏଥର ରାଜ୍ୟରେ ବିଜେଡିକୁ ବିଜେପି କଡ଼ା ଟକ୍କର ଦେଉଛି। ବିଶେଷକରି ଲୋକସଭା ଫଳାଫଳ କ୍ଷେତ୍ରରେ ଏହି ଚିତ୍ର ଅଧିକ ସ୍ପଷ୍ଟ ମନେ ହେଉଛି।

ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ କା ହାକୁ କେତେ ଆସନ ମିଳିବ ତାହା ଉପରେ ଗଣିତ କଷା ଚାଲିଛି। ବିଭିନ୍ନ ହିନ୍ଦୀ ଏବଂ ଇଂରାଜୀ ଟିଭି ଚ୍ୟାନେଲ ପକ୍ଷରୁ ଭିନ୍ନ ଭିନ୍ନ ସଂଖ୍ୟା ପ୍ରକାଶ ପାଇଛି। ସେହିପରି ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ ଅନୁସାରେ ରାଜ୍ୟରେ ବିଜେପିର ଉତଥାନର ସଙ୍କେତ ମିଳୁଛି।

 

ପଶ୍ଚିମ ଓଡ଼ିଶାରେ ବିଜେପି ଆଗରେ!

ଆମେ ଯଦି ବିଭିନ୍ନ ଲୋକସଭା ଆସନ ଉପରେ ନଜର ପକାଇବା ତେବେ ଜଣାପଡ଼ୁଛି ଯେ ପଶ୍ଚିମଓଡ଼ିଶାରେ ବିଜେପି ଆଗରେ ରହିଥିବା ବେଳେ ଉପକୂଳର ଅନେକ ଆସନରେ ବିଜେଡିକୁ କଡ଼ା ଟକ୍କର ଦେଉଛି। ଏହି ଏକଜିଟ୍ ପୋଲର ଅନୁମାନ ହେଉଛି ଯେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ବରଗଡ ଆଦି ଆସନରେ ବିଜେପି ବାଜିମାତ୍ କରିପାରେ। ସେହିପରି କଳାହାଣ୍ଡି ଆସନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେଉଥିବାର ସୂଚନା ମିଳୁଛି।

ଉପକୂଳରେ କଡ଼ା ଟକ୍କର!

ଉପକୂଳରେ ଏଥର ନିର୍ବାଚନ ଫଳାଫଳ ବିଜେଡିକୁ ଚମକାଇ ପାରେ। ବିଶେଷକରି ଲଗାତାର ବିଜେଡି ହାତରେ ଥିବା ଭୁବନେଶ୍ୱର ଆସନ ଏଥର ବିଜେପି ହାତକୁ ଯାଇପାରେ। ଅର୍ଥାତ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ପଛରେ ପକାଇ ପ୍ରଶାସିକାରୁ ନେତା ହୋଇଥିବା ଅପରାଜିତା ଷଡ଼ଙ୍ଗୀ ବାଜିମାତ କରିପାରନ୍ତି।

ସେହିପରି କଟକ ଲୋକସଭାରେ ମଧ୍ୟ ବିଜେଡି ପାଇଁ ବିଜୟ ସହଜ ହୋଇନପାରେ। କଟକରୁ ଲଗାତାର ଭାବେ ଜିତି ଆସୁଥିବା ଭର୍ତ୍ତୂହରି ମହତାବଙ୍କୁ ଏଥର ଦୋହଲାଇ ଦେଇ ପାରନ୍ତି ବିଜେପିର ପ୍ରକାଶ ମିଶ୍ର। ଅପରାଜିତାଙ୍କ ପରି ପ୍ରକାଶ ମିଶ୍ର ପ୍ରଥମ ଥର ଲାଗି ରାଜନୀତିକୁ ଓହ୍ଲାଇଛନ୍ତି।

ଏଥର ନିର୍ବାଚନରେ କେନ୍ଦ୍ରାପଡ଼ା ଆସନ ଉପରେ ରହିଛି ସମସ୍ତଙ୍କ ନଜର। ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେଉଛି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରୁ କାହା ସପକ୍ଷରେ ଏହି ଆସନ ଯିବ କହିବା ସମ୍ଭବ ହୋଇପାରୁନାହିଁ। ଏଥର ଓଡ଼ିଶାରେ ଲୋକସଭା ଭୋଟବେଳେ ମୋଦି ଲହର ଦିଶୁଥିବା ବେଳେ କେନ୍ଦ୍ରାପଡ଼ାରେ କିନ୍ତୁ ବୈଜୟନ୍ତଙ୍କ ବିଜୟ ସହଜ ହୋଇନପାରେ ବୋଲି ଏକଜିଟ୍ ପୋଲରୁ ସୂଚନା ମିଳୁଛି।ଉପକୂଳ  ଓ ପୂର୍ବ ଓଡ଼ିଶାର ଅନ୍ୟ ଆସନ ଗୁଡ଼ିକମଧ୍ୟରେ ରହିଛି ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ତେବେ କେନ୍ଦୁଝର ଓ ମୟୂରଭଞ୍ଜ ଜନମତ ବିଜେପି ସପକ୍ଷରେ ଯିବାର ସମ୍ଭାବନା ରହିଛି।

ଢେଙ୍କାନାଳରେ ଏଥର ବିଜେଡି ଲାଗି ଆସନ ରକ୍ଷା କରିବା ସହଜ ହୋଇନପାରେ। କାରଣ ଏକଜିଟ୍ ପୋଲ ଆକଳନ ଅନୁସାରେ ଏହି ଆସନ ବିଜେପି ହାତକୁ ଚାଲି ଯାଇପାରେ। ଅର୍ଥାତ୍ ଦୀର୍ଘଦିନ ଧରି ପରାଜୟର ମୁକାବିଲା କରି ଆସୁଥିବା ରୁଦ୍ର ପାଣିଙ୍କୁ ଏଥର ବିଜୟ ମିଳିପାରେ।

ଦକ୍ଷିଣ ଓଡ଼ିଶାରେ ଚିତ୍ର

ଏଥର ଦକ୍ଷିଣ ଓଡ଼ିଶାରେ ଜନମତ ବିଜୁ ଜନତା ଦଳ ସପକ୍ଷ ରହିବ। ବ୍ରହ୍ମପୁର ଲୋକସଭା ଏବଂ ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ  ବାଜିମାତ କରିବାର ସମ୍ଭାବନା ଏକଜିଟ୍ ପୋଲରୁ ମିଳୁଛି। ତେବେ କନ୍ଧମାଳରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅନୁମାନ କରାଯାଉଛି। ସେଠାରେ ବିଜେଡିର ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମୁକାବିଲା କରୁଛନ୍ତି ବିଜେପିର ଐର ଖାରବେଳ ସ୍ୱାଇଁ।

ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଆସନରେ ମୋଟାମୋଟି ଭାବେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ତେବେ କୋରାପୁଟରେ ବିଜେଡି ଓ ନବରଙ୍ଗପୁରରେ କଂଗ୍ରେସର ପଲ୍ଲା ଭାରି ରହିଛି।

ଯଦି ଏକଜଟ୍ ପୋଲରୁ ଆସୁଥିବା ଆକଳନର ସତ ପାଖାପଖି ହୁଏ ତେବେ ୨୧ଟି ଲୋକସଭା ଆସନରୁ ବିଜେପି ଓ ବିଜେଡି ମଧ୍ୟରେ ଫିଫ୍ଚି-ଫିଫ୍ଟି ଭଳି ସ୍ଥିତ ସୃଷ୍ଟି ହୋଇପାରେ। ସେହିପରି କଂଗ୍ରେସ ୨୦୧୪ ଗୋଟିଏ ଆସନରେ ଖାତା ଖୋଲିପାରିଲେ ବଡ଼ କଥା ବୋଲି ଅନୁମାନ କରାଯାଉଛି।

ଏକଜିଟ୍ ପୋଲରୁ ଆସୁଥିବା ଏହି ଚିତ୍ର ଖୁସିର ଆଶା ସଞ୍ଚାର କରିଥିବା ବେଳେ ବିଜେଡିକୁ ଚିନ୍ତାରେ ପକାଇଛି।

ଇଂରାଜୀ ଓ ହିନ୍ଦୀ ଚ୍ୟାନେଲଙ୍କ ଆକଳନ

ରିପ୍ଲବିକ୍ ସି ଭୋଟରର ସର୍ଭେ ଅନୁସାରେ ବିଜେଡିକୁ ଏଥର ୧୧ ଲୋକସଭା ଆସନରେ ବିଜୟ ହେବ। ସେହିପରି ବିଜେପିକୁ ୧୦ଟି ଆସନରେ ସଫଳତା ମିଳିପାରେ ସେପଟେ କଂଗ୍ରେସକୁ ରିପ୍ଲବିକ୍ ଆକଳନ ଅନୁସାରେ କିଛିବି ସିଟ୍ ରେ ସଫଳତା ମିଳିବ ନାହିଁ।

ସେହିପରି ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେଡିକୁ ୧୫ଆସନ, ବିଜେପିକୁ ୬ଟି ଆସନ  ସେହିପରି କଂଗ୍ରେସକୁ ଗୋଟିଏ ସିଟରେ ସଫଳତା ମିଳିପାରେ।

ଅନ୍ୟପଟେ ଟାଇମ୍ନ ନାଓର ସର୍ଭେ ଅନୁସାରେ ବିଜେଡିକୁ ୨୧ରୁ ୮ ଆସନ ବିଜେପିକୁ ୧୨ ଆସନ ଓ କଂଗ୍ରେସକୁ ଗୋଟିଏ ଆସନରେ ସଫଳତା ମିଳିପାରେ।

ଏବିପି ନ୍ୟୁଜ୍ ସର୍ଭେ ଅନୁସାରେ ବିଜେଡିକୁ ୧୨ଟି ଆସନ, ବିଜେପିକୁ ୯ ଓ କଂଗ୍ରେସକୁ କୌଣସି ବି ଆସନରେ ସଫଳତା ମିଳିବନାହିଁ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment