ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ବିତର୍କ ଓ ଅଭିଯୋଗକୁ ଖଣ୍ଡନ କରି ଦୂତୀ ସୋସିଆଲ ମିଡିଆରେ କହିଛନ୍ତି ନିଜ ମନର କଥା।

‘‘ହଁ ମୁଁ ମୋ’ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ ଅଛି ଓ ମୁଁ ସେଥିରେ ଖୁସି ବି ଅଛି’’ – ସୋମବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ଦୌଡ଼ ରାଣୀ ଦୂତୀ ଚାନ୍ଦ ନିଜ ମନର କଥା ସିଧାସଳଖ ଭାବେ କହିଛନ୍ତି।

ଦୂତୀଙ୍କର ପ୍ରେମ ଜୀବନକୁ ନେଇ ଉଠୁଛି ପଡୁଛି ମିଡିଆ। ତାଙ୍କର ଜଣେ ବାନ୍ଧବୀଙ୍କ ସହ ପ୍ରେମ ସମ୍ପର୍କ ରହିଛି ଏବଂ ତାଙ୍କୁ ସେ ସାଥୀ ଭାବେ ବାଛିବା ପାଇଁ ସ୍ଥିର କରିଛନ୍ତି। ଏହି ଦୁଇ ଦିନ ତଳେ ତାଙ୍କର ଏହି କାହାଣୀ ମିଡିଆକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଥିଲା।

‘‘ଏହା ମୋର ଏକାନ୍ତ ବ୍ୟକ୍ତିଗତ ନିଷ୍ପତ୍ତି’’

ସେହି ଚର୍ଚ୍ଚାର ସିଧାସଳଖ ଜବାବ ରଖି ଦୂତୀ କହିଛନ୍ତି , ‘‘ଏହା ମୋର ଏକାନ୍ତ ବ୍ୟକ୍ତିଗତ ନିଷ୍ପତ୍ତି। ମୋ’ ଜୀବନ ଉପରେ ମୋର ପୂରା ଅଧିକାର ବି ରହିଛି। ମୋ ବ୍ୟକ୍ତିଗତ ଜୀବନ ବାବଦରେ କେହି ମୁଣ୍ଡ ନ ଖେଳେଇବାକୁ ମୋର ବିଶେଷ ଅନୁରୋଧ।’’

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କ କଥା ଉଠିବା ପରେ ତାଙ୍କ ଘରେ ପହଞ୍ଚିଥଲା ଗଣମାଧ୍ୟମ। ହେଲେ ତାଙ୍କ ମା’ ଓ ବଡ଼ ଭଉଣୀ ଏହି ଖବର ସମ୍ପର୍କରେ ତୀବ୍ର ପ୍ରତିକ୍ରିୟା ରଖିଥିଲେ। ସେମାନେ ଏଭଳି ସମ୍ପର୍କକୁ ସ୍ୱାଗତ କରି ନଥିଲେ। ବରଂ ଅଭିଯୋଗ ଆଣିଥିଲେ ଯେ ଘରକୁ ଅବହେଳା କରୁଛନ୍ତି ଏବଂ ସେ ତାଙ୍କ କର୍ତ୍ତବ୍ୟ କରୁ ନାହାନ୍ତି।

ଘଟଣା ଧିରେଧିରେ ବିବାଦୀୟ ମୋଡ଼ ନେଉଥିବାରୁ ଦୂତୀ ଚୁପ୍ ହୋଇ ବସିବାକୁ ପସନ୍ଦ କରି ନାହାନ୍ତି। ସୋସିଆଲ ମିଡିଆରେ ମୁହଁ ଖୋଲି ସେ ଲେଖିଛନ୍ତି ଯେ, ‘‘ଘଟଣା ମୋ ନିଜର ନିଷ୍ପତ୍ତି। ଏଥିପାଇଁ ମୋ ପରିବାର କିମ୍ବା କୌଣସି ଅନୁଷ୍ଠାନକୁ କେହି ବିବାଦଘେରକୁ ଆଣିବା ଉଚିତ ନୁହେଁ। ଦୟାକରି ସେମାନଙ୍କୁ ଏଥିରେ ଯୋଡ଼ନ୍ତୁ ନାହିଁ।’’

‘‘ମୋ’ ଅନୁଷ୍ଠାନକୁ ବିବାଦକୁ ଟଣା ନଯାଉ’’

ଦୂତୀଙ୍କ ସଫଳତା ପଛରେ ରହିଛି କିଟ୍ ଓ କିସ୍ ଅନୁଷ୍ଠାନର ପ୍ରୋତ୍ସାହନ। ଆଜିର ବିବାଦ ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ‘‘ବିଶେଷକରି ଯେତେବେଳ କେହି ମୋ’ କଲେଜକୁ ଏହି ବିବାଦକୁ ଟାଣୁଛନ୍ତି, ମତେ ବହୁତ ଦୁଃଖ ଲାଗୁଛି। ମୁଁ ଆଜି ଯାହା ବି ହୋଇଛି ଏହି ଅନୁଷ୍ଠାନ ଓ ତାହାର ଲୋକମାନଙ୍କ ପାଇଁ। ସେମାନଙ୍କୁ ମୋ ପାଇଁ କେହି କିଛି କହିବା ଅନୁଚିତ।’’

ଦୂତୀ ଏବଂ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ରହିଛି। ଦୂତୀ ମଧ୍ୟ ସେହି ବାନ୍ଧବୀଙ୍କ ସହ ବିତାଇଥିବା ବିଭିନ୍ନ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କୁହାଯାଉଛି। ବିଭିନ୍ନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସଂପୃକ୍ତ ଯୁବତୀଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ନେଇ ପ୍ରତିବାଦ କରି ନାହାନ୍ତି। ସେମାନଙ୍କ କହିବା କଥା ଯେ ତାଙ୍କ ଝିଅ ବଡ଼ ହୋଇଯାଇଥିବାରୁ ଏବଂ ସେ ଦୂତୀଙ୍କ ସହ ଏକାଠି ରହିବାକୁ ଚାହୁଁଥିବାରୁ ପରିବାରର କିଛି କରିବାର ନାହିଁ।

‘‘ମୁଁ ଖେଳ ଓ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ’’

‘‘ଦୟାକରି ମୋ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରନ୍ତୁ ନାହିଁ। ମୁଁ ଯେଉଁ  ନିଷ୍ପତ୍ତି ନେଇଛି ତାକୁ ମୁଁ ଭଲଭାବେ ତୁଲାଇ ପାରିବି। ତାଛଡ଼ା ମୁଁ ମୋ ଦାୟିତ୍ୱ ବାବଦରେ ଭଲଭାବେ ଅବଗତ ଓ ମୋ’ ଖେଳ ଓ ଦେଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ’’, ସୋସିଆଲ ମିଡିଆରେ ଅତି ସ୍ପଷ୍ଟ ଭାବରେ ଏକଥା କହିଛନ୍ତି ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ।

‘‘ପରିବାର ପ୍ରତି ମୋର ଭଲପାଇବା ସବୁବେଳେ ରହିଛି’’
ଦୂତୀ ଘରକୁ ସମୟ ଦିଅନ୍ତି ନାହିଁ ଏବଂ ଘର ପ୍ରତି ତାଙ୍କର ଯାହା କର୍ତ୍ତବ୍ୟ ସେ ଠିକରେ କରନ୍ତି ନାହିଁ ବୋଲି ଦୂତୀଙ୍କ ମା’ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ହେଲେ ଦୂତୀ ସବୁ ଅଭିଯୋଗ ଏବଂ ବିତର୍କର ରୋକଠୋକ୍ ଜବାବ ଦେଇଛନ୍ତି।

ଦୂତୀ କହିଛନ୍ତି, ‘‘ଗଣମାଧ୍ୟମରେ ମୋର ମାଆ ଯାହା ବୟାନ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ମିଛ। ତାଙ୍କୁ କୌଣସି ପ୍ରଲୋଭନ ଦେଖାଇ ହେଉ କିମ୍ବା ବାଧ୍ୟତାମୂଳକ ଭାବେ ଏ ସବୁ ବୟାନ ଦେବାପାଇଁ କୁହାଯାଇ ଥାଇପାରେ। ଗଣମାଧ୍ୟମ କର୍ତ୍ତୃପକ୍ଷ ଓ ପ୍ରତିନିଧିମାନଙ୍କୁ ଅନୁରୋଧ କରୁଛି କି ମୋ ପରିବାରକୁ ଏମିତି ବଦନାମ୍ କରନ୍ତୁ ନାହିଁ।’’
ଯଦି କୌଣସି ବ୍ୟକ୍ତି ଭାବୁଥାନ୍ତି କି ସେ ତାଙ୍କ ପରିବାର ପ୍ରତି କର୍ତ୍ତବ୍ୟ କରି ନାହାନ୍ତି ତେବେ ସେମାନେ ତାଙ୍କ ଗାଁକୁ ଗଲେ ନିଜ ଆଖିରେ ସତ କ’ଣ ମିଛ କ’ଣ ଦେଖି ପାରିବେ ବୋଲି ଦୂତୀ ଆହ୍ୱାନ ଦେଇଛନ୍ତି।

Comment