ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ରବିବାର ସନ୍ଧ୍ୟାରେ ବିଭିନ୍ନ ନ୍ୟୁଜ ଏଜେନ୍ସି ଓ ଟିଭି ଚ୍ୟାନେଲ ପକ୍ଷରୁ ଏକଜିଟ ପୋଲର ଫଳ ଘୋଷଣା କରାଯାଇଛି। ପ୍ରାୟ ସବୁ ପୋଲରେ ବିଜେପି କେନ୍ଦ୍ରରେ ପୁଣି ଥରେ ସରକାର ଗଠନ କରିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଯଦି ଏକଜିଟ ପୋଲ ସତ ହୁଏ ମୋଦି ସରକାର ଗଠନ ପରେ ଦେଶର ରାଜନୀତିରେ ନିଶ୍ଚିତ ଭାବରେ ବଡ଼ ଧରଣର ପରିବର୍ତ୍ତନ ଆସିବ। ଏକଜିଟ ପୋଲ ଫଳ ଏହି ଦଶଟି ରାଜନୀତିକ ସଙ୍କେତ ପ୍ରଦାନ କରୁଛି:

୧ ମୋଦି ମ୍ୟାଜିକ 
ଏକଜିଟ ପୋଲରୁ ସ୍ପଷ୍ଟ ସୂଚନା ମିଳିଛି ଯେ ଏଥର ମୋଦି ସବୁଠାରୁ ଅଧିକ ଶକ୍ତିଶାଳୀ ନେତା ଭାବରେ ସାମ୍ନାକୁ ଆସିବେ।ତାଙ୍କ ସମ୍ମୁଖରେ କୌଣସି ବିରୋଧୀ ଦଳ ନେତା ଠିଆ ହେବା କଷ୍ଟ।ଏହି ସ୍ଥିତିରେ ତାଙ୍କ ଦବଦବା ଆସନ୍ତା ୫ ବର୍ଷ ପାଇଁ ଜୋରଦାର ହେବ ଓ ଜଣେ ଅଦ୍ଵିତୀୟ ନେତା ଭାବେ ସେ ଦଣ୍ଡାୟମାନ ହେବେ।

୨ ରାଷ୍ଟ୍ରବାଦ ହତିଆର
ଏକଜିଟ ପୋଲ ଯାହା ସଂକେତ ଦେଉଛି ରାଷ୍ଟ୍ରବାଦ ଏଥର କାମ କରିଛି ଓ ବିରୋଧୀ ଦଳକୁ ଧରାଶାୟୀ କରିଛି। ପୁଲଓ୍ୱାମା ଘଟଣା ପରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଆକ୍ରମଣ ଲୋକଙ୍କ ଭିତରେ ମୋଦି ସରକାର ଉପରେ ଭରସାର ଭାବ ସୃଷ୍ଟି କରିଛି।କିଛି ସ୍ଥାନରେ ମୋଦିଙ୍କ ବିକାଶ କାର୍ଯ୍ୟକ୍ରମ ବି କାମ କରିଥିବା ଅନୁମାନ କରାଯାଉଛି।

୩ ରାହୁଲ -ପ୍ରିୟଙ୍କାଙ୍କ ଉପରେ ପ୍ରଶ୍ନବାଚୀ
ଯଦି ଏକଜିଟ ପୋଲ ଭଳି ପ୍ରକୃତ ଫଳାଫଳ ଆସେ, ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଅବଶ୍ୟ ଏଥର ପ୍ରିୟଙ୍କା ଗାନ୍ଧି ବି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।ତେବେ ଅସଲ ଫଳାଫଳ ଭାଇ-ଭଉଣୀଙ୍କ ନେତୃତ୍ୱକୁ ଅଡ଼ୁଆରେ ପକାଇବାର ଆଶଙ୍କା ରହିଛି।

୪ ବିରୋଧୀ ଯିବେ
ଏହି ନିର୍ବାଚନରେ ବିରୋଧୀ ଦଳର ଏକତା କାମ ଦେଇନଥିବା ଏକଜିଟ ପୋଲ ଫଳ ସୁଚାଉଛି। ଏମିତି ବି ହୋଇପାରେ ଆଗାମୀ ଦିନରେ ବିରୋଧୀ ଦଳ ଆହୁରି କ୍ଷତ ବିକ୍ଷତ ହେବେ। କର୍ଣ୍ଣାଟକ ଭଳି ରାଜ୍ୟ ଯେଉଁଠି କଂଗ୍ରେସ ଓ ଜେଡିଏସ ଏକାଠି ସରକାରରେ ଅଛନ୍ତି, ବିଜେପି ଷଣ୍ଢ ଭର୍ତ୍ତି କରିବା ପାଇଁ ସାନି ଉଦ୍ୟମ କରିବ।

୫ ମହାମେଣ୍ଟ ଭାଙ୍ଗିବ
ଅଧିକାଂଶ ଏକଜିଟ ପୋଲ କହିଛନ୍ତି ଯେ ମହାମେଣ୍ଟ ବା ଗଠବନ୍ଧନକୁ ବିଶେଷ ଲାଭ ମିଳିନାହିଁ। ଏଣୁ ଯେଉଁ ସବୁ ରାଜ୍ୟରେ ମେଣ୍ଟ ହୋଇଛି ସେହି ସବୁ ମେଣ୍ଟ ଫସର ଫାଟିବାର ସମ୍ଭାବନା ରହିଛି।

୬ ଅମିତ ଶାହ ଅଧିକ ମଜବୁତ ହେବେ
ଏକଜିଟ ପୋଲ ଫଳ ଯଦି ସତ ହୁଏ ବିଜେପି ସଭାପତି ଅମିତ ଶାହଙ୍କ ଧାକ ଆହୁରି ମଜବୁତ ହେବ ଓ ସମସ୍ତେ ଏହି କଥାକୁ ମାନିବାକୁ ବାଧ୍ୟ ହେବେ ଯେ ତାଙ୍କ ରଣନୀତି କାମ ଦେଇଛି। ବିଜେପି ଭିତରେ ଯେଉଁ ଅସନ୍ତୁଷ୍ଟମାନେ ଭାବୁଥିଲେ ଯେ ଅମିତ ଶାହ ଦୁର୍ବଳ ହେଲେ ଦଳ ଭିତରେ ସମୀକରଣ ବଦଳିବ ତାହା ଆଉ ସମ୍ଭବ ହେବ ନାହିଁ।

୭ ଏନଡିଏ ସହଯୋଗୀ
ବିଜେପି ବହୁ ସଂଖ୍ୟକ ଆସନ ନେଇ ଯଦି ଏନଡିଏ ସରକାର  ଗଠନ କରେ ସହଯୋଗୀ ଦଳଙ୍କ ଭୂମିକା ଆଉ ବିଶେଷ ରହିବ ନାହିଁ ଓ ସେମାନଙ୍କ ପ୍ରାସଂଗକିକତା ସାମାନ୍ୟ ଧରଣର  ରହିବ। ସେମାନଙ୍କ ସହଯୋଗ ବି ବିଶେଷ ଦରକାର ପଡ଼ିବ ନାହିଁ। ଏନଡିଏ ଅଂଶୀଦାର ଦଳ ଏଣିକି ବିଜେପିର ସର୍ତ୍ତରେ ରହିବେ, ନିଜ ସର୍ତ୍ତରେ ନୁହେଁ।

୮ ଆଞ୍ଚଳିକ ଦଳ ନରମିବେ
ଏକଜିଟ ପୋଲରୁ ଗୋଟିଏ ଇସାରା ମିଳୁଛି କି ଏଣିକି ଆଞ୍ଚଳିକ ଦଳମାନେ ନରମିବେ ଓ ବିଜେପି ସହ ଭଲ ସମ୍ପର୍କରେ ରହିବା ପାଇଁ ଉଦ୍ୟମ କରିବେ। ତେବେ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସ୍ଥିତି କଣ ହେବ ପ୍ରକୃତ ନିର୍ବାଚନ ଫଳ ଆସିବା ପରେ ହିଁ ଜଣାପଡ଼ିବ।

congress୯ କଂଗ୍ରେସ ସରକାର ସଂକଟରେ
ଯଦି ବାସ୍ତବରେ ନିର୍ବାଚନ ଫଳ ଏକଜିଟ ପୋଲ ଫଳ ପରି ହୁଏ,ତେବେ ନିଜର ଅଳ୍ପ ସଂଖ୍ୟକ ବିଧାୟକ ଓ ଅନ୍ୟ ଦଳର ସହାୟତାରେ  ଗଠିତ ରାଜ୍ୟ ସରକାର ବିପଦରେ ପଡିବା ଦେଖାଯାଉଛି।ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।

୧୦ ବିଜେପିର ଦବଦବା
ଏକଜିଟ ପୋଲରୁ ସ୍ପଷ୍ଟ ଇଙ୍ଗିତ ମିଳୁଛି ଯେ କେବଳ ଓଡ଼ିଶା ଓ ପଶ୍ଚିମବଙ୍ଗ ନୁହେଁ ହିନ୍ଦୀ ଭାଷୀ ରାଜ୍ୟରେ ମଧ୍ୟ ବିଜେପି ଅନ୍ୟ ଦଳକୁ ବ୍ୟାକ ଫୁଟରେ ରଖିପାରିଛି।ଏହି ସ୍ଥିତିରେ ଉତ୍ତର ଭାରତରେ ଯେଉଁ ସବୁ ଦଳ ଅଛନ୍ତି ସେମାନେ ଦୁର୍ବଳ ହେବାର ସମ୍ଭାବନା ରହିଛି।

Comment