ଦୂତୀ ଚାନ୍ଦ

ଦୂତୀ ଚାନ୍ଦ

ଯେତେବେଳେ ଦୌଡ଼ ରାଣୀ ଦୂତୀଙ୍କ ପ୍ରେମ ଜୀବନକୁ ନେଇ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି ସେତେବେଳେ ଓଡ଼ିଶାଲାଇଭ୍ ହାତରେ ଲାଗିଛି ତାଙ୍କ ଜୀବନର ଏକ ଅଜଣା କାହାଣୀ।

ମୁଁ ଯେଉଁ ସପନ ନେଇ ଦୌଡିବା ଆରମ୍ଭ କରିଥିଲି ତାହା ଧିରେ ଧିରେ ସଫଳ ହେବାକୁ ଲାଗିଲା। ପ୍ରଥମ ଶ୍ରେଣୀରେ ପଢିବା ସମୟରେ ମୁଁ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ୫୦ ମିଟର ଏବଂ ୧୦୦ ମିଟର ରେ ଭାଗ ନେଇ ସଫଳତା ହାସଲ କଲି। ମତେ ଉପହାରରେ ଗୋଟିଏ ସ୍ଲେଟ ଆଉ ଗୋଟିଏ ଚକଖଡ଼ି ମିଳିଲା ଯାହା ମତେ କିଛି ପାଇବାର ଇଚ୍ଛା ଶକ୍ତି ବଢାଇଦେଲା।

ମନରେ ଭାବିଲି ଯଦି ଏମିତି ପ୍ରତି ବର୍ଷ ମୁଁ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ସଫଳତା ଲାଭ କରେ ତାହେଲେ ମତେ ବହୁତ କିଛି ଉପହାର ମିଳିବ, ଯାହାଫଳରେ ମୁଁ ମୋର ପାଠ ପଢିବା ପାଇଁ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହେବା ଅବସରରେ

ଆମ ବିଦ୍ୟାଳୟରେ ଯେଉଁ ପିଲାମାନେ କ୍ରୀଡା କ୍ଷେତ୍ରରେ ସଫଳତା ଲାଭ କରୁଥିଲେ ସେମାନଙ୍କୁ ବହି, ଖାତା, ପେନସିଲ ଏମିତି ଅନେକଗୁଡିଏ ଜିନିଷ ଦିଆଯାଉଥିଲା। ଏହା ମୋ’ ପାଇଁ ବହୁତ ଦରକାରି ଥିଲା, ଆଉ ମୋର ଇଚ୍ଛା ହେଉଥିଲା ଏ ସବୁ ଯେତେବେଳେ ପାଇବାକୁ। ସେଥିପାଇଁ ମୁଁ ଅଧିକରୁ ଅଧିକ ମାତ୍ରା ରେ ଶାରୀରିକ ପରିଶ୍ରମ କରିବା ଆରମ୍ଭ କଲି। ଏହା ମତେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ସଫଳତା ଲାଭ କରିବାରେ ସହାୟକ ହେଲା।

ମୁଁ ପ୍ରଥମ ଶ୍ରେଣୀରୁ ଆରମ୍ଭକରି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଶ୍ରେଷ୍ଠ କ୍ରୀଡାବିତର ମାନ୍ୟତା ଲାଭ କରିଥିଲି। ଏଭଳି ସଫଳତା ଦେଖି ମୋର ବଡ ଦିଦି ସରସ୍ୱତୀ ଚାନ୍ଦ ମତେ କହିଲେ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲରେ ଇଣ୍ଟରଭ୍ୟୁ ଦେବା ପାଇଁ। ମୁଁ କହିଲି ମତେ କ’ଣ ମିଳିବ? ଦିଦି କହିଥିଲେ,  ‘‘ଯଦି ତୁ ସେ ସ୍ପେର୍ଟସ୍ ହଷ୍ଟେଲ ଇଣ୍ଟରଭ୍ୟୁରେ ପାସ୍ ହୋଇଯିବୁ ତା’ହେଲେ ତତେ ସେଠି ରହିବାର ସୁଯୋଗ ମିଳିଯିବ। ଫଳରେ ତୋର ରହିବା ଖାଇବା ପାଠ ପଢିବା ସବୁ କିଛି ସରକାରଙ୍କ ତରଫରୁ ବିନା ପଇସାରେ ମିଳିଯିବ। ତୋ’ର କ୍ରୀଡା କ୍ଷେତ୍ରରେ ବହୁତ ସାହାଯ୍ୟ ହେବ ଆଗକୁ ବଢିବା ପାଇଁ। ସେଠାରେ ବହୁତ ଉନ୍ନତ ମାନର କ୍ରୀଡା ପ୍ରଶିକ୍ଷଣ ଦିଆଯାଏ।’’

ଏ ସବୁ ଶୁଣିଲା ପରେ ମୋର ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲରେ ଇଣ୍ଟରଭ୍ୟୁ ଦେବାପାଇଁ ଆଗ୍ରହ ବଢିଥାଏ। କିନ୍ତୁ ମନ ଭିତରେ ସେତିକି ଡର ବି ବଢ଼ିଯାଇଥାଏ। ଓଡିଶାର ସବୁ ଜିଲ୍ଲାରୁ କ୍ରୀଡା ପ୍ରତିଯୋଗୀମାନେ ଆସିବେ ସେମାନଙ୍କ ସହିତ ପ୍ରତିଯୋଗିତା କରି ମୁଁ ସଫଳତା ପାଇବି ତ? ଏମିତି ଅନେକଗୁଡିଏ ଭାବନା ମନ ଭିତରେ ଜାଗ୍ରତ ହେଲା। ସେଥିପାଇଁ ମୁଁ ବହୁତ ଡରିଗଲି। ତଥାପି କିଛି ପାଇବାକୁ ଆଶା ଏବଂ କିଛି କରିବାର ଇଚ୍ଛା ଶକ୍ତି ମଧ୍ୟ ମନ ଭିତରେ ଥିଲା ଥିଲା। ତେଣୁ ମୁଁ ଦିଦିଙ୍କୁ କହିଲି କି ମୁଁ କେବେ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲରେ ଇଣ୍ଟରଭ୍ୟୁ ପାଇଁ ଯିବି?

ଦିଦି କହିଥିଲେ ଜୁଲାଇ ମାସ ମଧ୍ୟରେ। ସେତେବେଳେ ୨୦୦୬ ମସିହା ହୋଇଯାଇଥିଲା। ମୋର ବୟସ ବି ପାଖା ପାଖି ୧୨ ବର୍ଷ ହୋଇଥିଲା।

ଏସିଆନ ଆଥଲେଟିକ୍ ୨୦୧୮

ମୁଁ ସେତେବେଳେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥାଏ। ଦିଦିଙ୍କର ଏସବୁ କଥା ଶୁଣି ମୁଁ ମୋର କ୍ରୀଡା ଅଭ୍ୟାସ ବହୁତ ଜୋରଦାର ଆରମ୍ଭ କରିଦେଇଥିଲି।

ଯେତେ ଯେତେ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲରେ ଇଣ୍ଟରଭ୍ୟୁ ପାଖେଇ ଆସୁଥାଏ ସେତେ ସେତେ ମନ ଭିତରେ ଉତ୍ସାହ ବଢି ଚାଲୁଥାଏ। ତା ସହିତ ମନ ଭିତରେ ସେତିକି ଡର ବି ବଢ଼ିଯାଇଥାଏ। ସବୁ ଭୁଲି ମୁଁ ବହୁତ ପରିଶ୍ରମ କରୁଥାଏ କାହିଁକି ନା ମତେ ସ୍ପୋର୍ଟସ୍ ହଷ୍ଟେଲରେ ଇଣ୍ଟରଭ୍ୟୁରେ ପାସ୍ କରିବାର ଅଛି। ମୋର ସପନ ସାକାର କରିବାର ଅଛି।

ହୋଲି ଅବସରରେ

ଏମିତି ଦେଖୁ ଦେଖୁ ଜୁଲାଇ ମାସ ଆସିଗଲା। ମୁଁ ନିଜକୁ ପ୍ରସ୍ତୁତ କଲି ଭୁବନେଶ୍ୱର ଯିବାପାଇଁ। ସେ ସମୟରେ ମୋ ଦିଦି ଓଡିଶା ପୋଲିସ୍ ବିଭାଗରେ ଚାକିରି କରୁଥିବାରୁ ସେ କଟକରେ ରହୁଥିଲେ। ମତେ କିଏ ଭୁବନେଶ୍ୱର ନେଇ କରି ଯିବ ଏବଂ ମୁଁ କାହା ସହିତ ଯିବି? ଭୁବନେଶ୍ୱର ବିଷୟରେ ମତେ ଏତେ ଜଣା ନାହିଁ। ଏକୁଟିଆ ଯିବା ବି ମୋର ସାହସ ନଥିଲା।

ମୁଁ ଭୁବନେଶ୍ୱର ଯିବାପାଇଁ ମୋ’ ସହିତ ମୋର ବାପା ମାଙ୍କୁ କହିଥିଲି କିନ୍ତୁ ସେ ସଫା ସଫା ମନା କରିଦେଇଥିଲେ ଯିବା ପାଇଁ। କାହିଁକି ନା ସେମାନଙ୍କୁ ଭୁବନେଶ୍ୱର ବିଷୟରେ କିଛି ଜଣା ନ ଥିଲା। ଏମିତିରେ ବି ସେମାନେ କେବେବି ବାହାରକୁ ଯାଆନ୍ତି ନାହିଁ। ତେଣୁ ମତେ ଭୁବନେଶ୍ୱର ନେଇ କରି ଯିବାକୁ ମନା କରିଥିଲେ। ଆଉ କହିଥିଲେ ତୁ ସରସ୍ୱତୀ ଦିଦି କି କହ ସେ ତତେ ନେଇ କରି ଯିବ। ସେ ସହରରେ ରହୁଛି ତାକୁ ଭୁବନେଶ୍ୱର ବିଷୟରେ ବହୁତ କିଛି ଜଣାଥିବ।

ଅଚ୍ୟୁତ ସାମନ୍ତଙ୍କ ସହ ଦୂତୀ ଚାନ୍ଦ

ତା’ପରେ ମୁଁ ଦିଦିଙ୍କୁ କହିଲି ମତେ ଆସି ଭୁବନେଶ୍ୱର ତାଙ୍କ ସହିତ ନେଇଯିବା ପାଇଁ। କିନ୍ତୁ ଦିଦିଙ୍କର ସରକାରୀ ଚାକିରିରେ ଛୁଟି ନ ଥିବାରୁ ସେ ଆସିପାରିବେ ନାହିଁ ବୋଲି ମନା କରିଦେଲେ। ଆଉ ମତେ କହିଲେ ମୁଁ ତତେ କଳିଙ୍ଗ ଷ୍ଟାଡିୟମର ଠିକଣା ଦେଇ ଦଉଛି ତୁ ବସରେ ଏକା ପଳା। ଭୁବନେଶ୍ୱରରେ ପହଞ୍ଚି ଚିତ୍ତରଞ୍ଜନ ସାରଙ୍କୁ ଦେଖା କରିବୁ। ସେ ତତେ ସେଠି ସାହାଯ୍ୟ କରିବେ (ଚିତ୍ତରଜନ ସାର୍ ହେଉଛନ୍ତି ମୋ ଦିଦି ଙ୍କର ପ୍ରଶିକ୍ଷକ)। ଏ ସବୁ ଶୁଣିଲା ପରେ ମୁଁ ବହୁତ ଡରିଯାଇଥିଲି କେମିତି ଏତେ ବାଟ ଏକୁଟିଆ ଯିବି? ତଥାପି ମୁଁ ନିଜକୁ ପ୍ରସ୍ତୁତ କଲି ଯିବାପାଇଁ।

ସେଦିନର ସ୍ମୃତି ଏବେ ବି ମନେପଡ଼େ। ଭୁବନେଶ୍ୱର ଯିବା ପାଇଁ ମୁଁ ମା’କୁ ପଇସା ମାଗିଲି। ମାଆ ମତେ ୫ ଟଙ୍କା ଦେଲେ। କିନ୍ତୁ ୫ ଟଙ୍କା ନେଇ ଭୁବନେଶ୍ୱର ଯିବା ସମ୍ଭବ ନୁହେଁ। କାହିଁକି ନା ଭୁବନେଶ୍ୱର ଯିବା ପାଇଁ ବସ୍‌ର ଭଡା ୧୦ ଟଙ୍କା ଥିଲା। ମୁଁ ମାଆକୁ କହିଲି ମତେ ୫୦ ଟଙ୍କା ଦେ, ତାହେଲେ ମୁଁ ଯିବି। କାହିଁକି ବସ୍ ଭଡା ସହିତ ମୋ’ ସାଥୀରେ ବି କିଛି ଟଙ୍କା ରହିବା ଦରକାର। କେତେବେଳେ କଣ ଖିଆପିଆ କରିବି ସେଥିପାଇଁ ମୋର ଦରକାର ଅଛି। କିନ୍ତୁ ମାଆ ମତେ ମନା କରିଦେଇଥିଲା। କହିଥିଲା ମୋ ପାଖରେ ୫୦ ଟଙ୍କା ନାହିଁ ତୁ ଗଲେ ଯା ନ ଗଲେ ନାହିଁ।

ଏମିତି ସବୁ ଶୁଣିଲା ପରେ ମୁଁ କ’ଣ କରିବି କିଛି ଭାବି ପାରିଲିନି। ମୋ’ ପାଖରେ ୧୦ ଟଙ୍କା ଥିଲା ଆଗରୁ ଯାହା ମୋର ବ୍ୟକ୍ତି ଗତ ରୋଜଗାରରୁ ସଞ୍ଚିତ କରି ରଖିଥିଲି। ପିଲା ବେଳେ  ମାଆ ସବୁବେଳେ ପରିବା ଆଣିବାକୁ ବାରବାଟୀ ବଜାରକୁ ପଠାନ୍ତି। ମୁଁ ସେ ବଜାରରୁ ଯେଉଁ ସବୁ ପନିପରିବା ଆଣେ କିଛି ଘର ପାଇଁ ରଖି ବାକି ସବୁ ଆମ ଗାଁ ବଜାରରେ ବିକ୍ରି କରିଦିଏ। ସେଥିରୁ ଯାହା ମିଳେ ତାକୁ ମୁଁ ମୋ ପାଖରେ ରଖେ। ତା ସହିତ ଗୋମାତାଙ୍କ ଗବୋରକୁ ଶୁଖାଇ ତାକୁ ମଧ୍ୟ ମୁଁ ଢାବାମାନଙ୍କୁ ବିକ୍ରି କରୁଥିଲି। ସେଥିରୁ ବି ଯାହା ମିଳୁଥିଲା ମୁଁ ରଖୁଥିଲି। ଯଦି କେବେ ଘରେ ପଇସାର ଆବଶ୍ୟକତା ପଡେ ମୁଁ ମାଆକୁ ଦେଇଦଉଥିଲି। ଶେଷରେ ମୋ’ ପାଖରେ ଥିବା ୧୦ ଟଙ୍କା ଆଉ ମା ଦେଇଥିବା ୫ ଟଙ୍କାକୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କଲି।

ସେଦିନ ଜୁଲାଇ ମାସର ୮ ତାରିଖ। ସକାଳୁ ସକାଳୁ ଉଠି ମୋର କିଛି ଆବଶ୍ୟକ ଜିନିଷ ଧରି ଘରୁ ବାହାରିଲି। ଘରୁ ବାହାରି ବସ୍ ଷ୍ଟପରେ ପହଞ୍ଚିଲି।

ବସ୍ ଷ୍ଟପରେ ବସ୍ ରହିଲା କିନ୍ତୁ ମୁଁ ସେ ବସ୍‌ରେ ଚଢି ପାରିଲି ନାହିଁ। କାହିଁକି ନା ମୁଁ ଛୋଟିଆ ଛୁଆ ହୋଇଥିବାରୁ ଏବଂ ମୋ’ ପରିବାର ଲୋକ ମୋ ସହିତ ନ ଥିବାରୁ ମତେ ବସ୍ରେ ଚଢେଇ ଦିଆଗଲା ନାହିଁ। କଣ୍ଡକ୍ଟର ଭାବିଲା ବୋଧହୁଏ ମା ମାରିଥିବାରୁ ମୁଁ ଘରୁ ରାଗିକି ପଲାଇ ଆସିଚି ସେଥିପାଇଁ ମତେ ବସ୍‌ରେ ଚଢେଇ ଦିଆଗଲା ନାହିଁ।

ଏମିତି ୪ରୁ ୬ ଟା ବସ୍ ଗଲା ପରେ ମୁଁ ଭାବିଲି କ’ଣ କରିବି? କେମିତି ଭୁବନେଶ୍ୱର ଯିବି? ସେତେବେଳେ ତ ଫୋନ୍ ନ ଥାଏ। କାହାକୁ କ’ଣ କହିବି କେମିତି ଯିବି କିଛି ଜାଣି ପାରିଲିନି।

ଶେଷରେ ଭଗବାନଙ୍କୁ ପ୍ରାର୍ଥନା କଲି କି ମତେ ସହଯୋଗ କରନ୍ତୁ ଭୁବନେଶ୍ୱର ଯିବାପାଇଁ କିଛି ଗୋଟାଏ ଉପାୟ ଦିଅନ୍ତୁ। ଠିକ୍ ଏହି ସମୟରେ ମୋ ସାହିର ସ୍ୱାମୀ ସ୍ତ୍ରୀ ଜାରକା ଯିବା ପାଇଁ ବସ୍ ଷ୍ଟପକୁ ଆସିଲେ। ମୁଁ ତାଙ୍କୁ ନିବେଦନ କଲି କି ମତେ ତୁମ ସହିତ ତ ବସ୍‌ରେ ନେଇ ଯିବ। ମୁଁ ଭୁବନେଶ୍ୱର ଯିବି ମତେ ଏକୁଟିଆ ଦେଖି କୌଣସି ବସ୍ କଣ୍ଡକ୍ଟର ମତେ ବସ୍‌ରେ ଚଢେଇ ଦେଉନାହାନ୍ତି।

କ୍ରିଜ୍‌ରେ ଦୌଡ଼ରାଣୀ

ଏ ସବୁ କହିଲା ପରେ ସେ ସ୍ୱାମୀ ସ୍ତ୍ରୀ ମତେ ତାଙ୍କର ପରିବାରବର୍ଗ ବୋଲି କହି ମତେ ବସ୍ରେ ଚଢେଇ ଦେଇଥିଲେ। ଫଳରେ ମୁଁ ବସ୍‌ରେ ବସି ଭୁବନେଶ୍ୱର ଯିବାର ସୁଯୋଗ ପାଇଲି। କିନ୍ତୁ ପ୍ରତି ମୁହୂର୍ତ୍ତରେ ମୋ’ ମନରେ ଡର ଲାଗୁଥିଲା କି ଭୁବନେଶ୍ୱର କେତେବେଳେ ଆସିବ। ବସ୍ ବାଲା ମତେ ଆଉ କୁଆଡେ ନେଇ ଯିବନି ତ? ଏମିତି କେତେ କ’ଣ ଭାବି ମନର ଭୟ ସୃଷ୍ଟି ହେଉଥିଲା। ସେଥିଲାଗି ମୁଁ ପ୍ରତି ବସ୍ ଷ୍ଟପ୍‌ରେ ଓହ୍ଲାଇ ପଡୁଥିଲି। ଲୋକଙ୍କୁ ପଚାରୁଥିଲି ଏଇଟା ଭୁବନେଶ୍ୱର କି?

ସେ ଯାହାବି ହେଉ ୨ ଘଣ୍ଟାର ବସ୍ ଯାତ୍ରା ପରେ ମୁଁ ଭୁବନେଶ୍ୱର ବରମୁଣ୍ଡାରେ ପହଞ୍ଚି ଥିଲି। ସେହି ବରମୁଣ୍ଡା ବସ୍ ଷ୍ଟପରୁ ଦୌଡି ଦୌଡି ମୁଁ କଳିଙ୍ଗ ଷ୍ଟାଡିୟମଠାରେ ପହଞ୍ଚିଥିଲି

ତା’ପରେ ୨ ଦିନ ଧରି ମୁଁ ମୋର ସ୍ପୋର୍ଟସ୍ ହଷ୍ଟେଲ ଇଣ୍ଟରଭ୍ୟୁ ପାଇଁ ଯାହା ସବୁ ଫିଜିକାଲ ପରୀକ୍ଷା ଦେବାକୁ ଥିଲା ମୁଁ ଦେଇଥିଲି॥

(ଦୂତୀ ଚାନ୍ଦଙ୍କ ସୋସିଆଲ ମିଡିଆ ପେଜରୁ ସିଧା ସଳଖ ଅଣାଯାଇଥିବା ଲେଖା)

ହଁ ମୋର ସମଲିଙ୍ଗୀ ସମ୍ପର୍କ ଅଛି – ଦୂତୀ ଚାନ୍ଦ

Comment