ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା : ମେଘନାଦ ପାଚେରୀ ଘେରା ମନ୍ଦିର ବେଢା ମଧ୍ୟରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ ଚୋରି ହେବା ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନଗର ଥାନା କେରେଡାଗଡର ପ୍ରାଚୀନ ଜଗନାଥଙ୍କ ମନ୍ଦିର ବେଢା ମଧ୍ୟରୁ କେହି ଦୁର୍ବୃତ୍ତ ଏକ ବିଶାଳ ଚନ୍ଦନ ଗଛକୁ ଗତକାଲି ରାତିରେ କାଟି ନେଇଥିବା ଆଜି ମନ୍ଦିରର ବିଶୋଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କାର ଏହି ବିଶାଳ ଓ ବିରଳ ଚନ୍ଦନ ଗଛକୁ କାଟିବାରେ ମେସିନ କରତ ବ୍ୟବହାର ହୋଇଥିବା ଜଣାପଡିଛି।

ସବୁଠୁ ବଡ଼ କଥା ହେଉଛି ମନ୍ଦିରର ଚାରିପାଖରେ ମେଘନାଦ ପାଚେରୀ ରହିଥିବା ବେଳେ ସମ୍ମୁଖ ଓ ପଛ ଦ୍ଵାରରେ କବାଟ ବନ୍ଦ ଥିବା ବେଳେ ମନ୍ଦିର ପରିସରରୁ ଦୁର୍ବୃତ୍ତମାନେ ଏତେ ବଡ଼ ଗଛକୁ କାଟିନେଇ କେମିତି ଫେରାର ହେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜଗନ୍ନାଥଙ୍କ ସେବାୟତମାନେ ମନ୍ଦିରରେ ଶୋଇଥିବା ବେଳେ ଏତେବଡ ଗଛ କେମିତି ମନ୍ଦିର ବେଢ଼ା ଡେଇଁଲା ତାହା କେରେଡାଗଡ ଗ୍ରାମବାସୀଙ୍କୁ ଚକିତ କରିଛି। ଏନେଇ ଗ୍ରାମବାସୀ ମନ୍ଦିର ପରିଚାଳନା କମିଟି ଏବଂ ସେବାୟତଙ୍କ ଉପରେ ସନ୍ଦେହ କରୁଛନ୍ତି। ମନ୍ଦିରଟି କନିକା ରାଜାଙ୍କ ଅଧିନରେ ପରିଚାଳିତ ହେଉଛି। କନିକା ରାଜାଙ୍କ ପରିଚାଳନାଧିନ ମଠ ମନ୍ଦିରରୁ ବାରମ୍ଵାର ମୁଲ୍ୟବାନ ମୂର୍ତ୍ତି ଚୋରି ହେବା ପରେ ଏବେ ମନ୍ଦିର ବେଢାରୁ ମୁଲ୍ୟବାନ ଚନ୍ଦନ ଗଛ ଚୋରି ହେବା ଭକ୍ତମାନଙ୍କ ମନରେ ଗଭୀର ଆଘାତ ଦେଇଛି।

Comment