ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାତି ପାହିଲେ ବାହାରିବ ୨୦୧୯ ନିର୍ବାଚନର ଫଳାଫଳ। ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବ। ପ୍ରତି ଭୋଟ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଭୋଟ ଗଣତି କେନ୍ଦ୍ର ବାହାରେ ଥିବା ଲୋକଙ୍କୁ ନିର୍ବାଚନ ଫଳାଫଳ ସମ୍ପର୍କରେ ଅବଗତ କରିବା ଲାଗି ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି। ଏହାସହ ଭୁବନେଶ୍ୱରରେ ଭୋଟରଙ୍କୁ ନିର୍ବାଚନ ଫଳାଫଳ ଜଣାଇବା ଲାଗି ଡିଜିଟାଲ ଡିସ୍‌ପ୍ଲେ ବୋର୍ଡର ବ୍ୟବସ୍ଥା କରାଯାଇଛି।

ଫରେଷ୍ଟ ପାର୍କ, ଜୟଦେବ ଭବନ ଏବଂ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଡିଜିଟାଲ ଡିସ୍‌ ପ୍ଲେ ବୋର୍ଡ ଲାଗିବ।

୨୩ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ। ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗଣତି ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ପରେ ଇଭିଏମ୍ ଭୋଟ ଗଣତି ହେବ। ଏହାସହ ଭିଭିପାଟ ଭୋଟ ଗଣତିକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ପ୍ରତ୍ୟେକ ବୁଥର ଆନୁମାନିକ ଭାବେ ଚୟନ କରାଯାଇଥିବା ୫ଟି ଲେଖାଏଁ ଭିଭିପାଟ୍ ଭୋଟ ଗଣତି କରାଯାଇ ଇଭିଏମ୍‌ ସହ ମେଳ କରାଯିବ।

ପ୍ରତ୍ୟେକ ଗଣତି ହଲରେ ଲୋକସଭା ପାଇଁ ୭ଟି ଟେବୁଲ ଓ ବିଧାନସଭା ପାଇଁ ୭ଟି ଟେବୁଲ ରହିବ। ଗୋଟିଏ ଟେବୁଲ ପାଇଁ ୩ ଜଣ ଅଧିକାରୀ ନିୟୋଜିତ ହେବେ। ସ୍ୱଚ୍ଛତା ଅବଲମ୍ବନ ପାଇଁ ଜଣେ ଗଣତି ସୁପରଭାଇଜର, ଜଣେ ଗଣତି ସହାୟକ, ଜଣେ ମାଇକ୍ରୋ ଅବଜର୍ଭର ରହିବେ।

Comment