ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“କଂଗ୍ରେସ ଅମଳରେ ଜଟଣୀର ବହୁ ବିକାଶ ହୋଇଛି। ମୁଁ ୧୫ ବର୍ଷ ହେଲା ବିରୋଧୀ ଦଳରେ ରହିଥିଲେ ମଧ୍ୟ କେବେ ଜଟଣୀବାସୀଙ୍କୁ ଛାଡ଼ିନି କି ଜଟଣୀବାସୀ ମତେ ଛାଡ଼ି ନାହାନ୍ତି। ଜଟଣୀର ଯୁବକ, ମହିଳା, ଛାତ୍ରମାନେ ମୋଦି, ନବୀନଙ୍କ ଉପରେ ଭରସା ତୁଟାଇ ମତେ ପୁଣି ସମର୍ଥନ କରିଛନ୍ତି’’, ଏହା କହିଛନ୍ତି ଜଟଣୀର ନିର୍ବାଚିତ ପ୍ରାର୍ଥୀ ସୁର ରାଉତରାୟ।

୧୫ ବର୍ଷ ପରେ ଜଟଣୀରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସୁର ରାଉତରାୟ। ଏଥର ଜଟଣୀରେ ସୁରଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୁରଙ୍କ ବିପକ୍ଷରେ ବିଜେଡି ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ବାଜି ମାରି ନେଇଛନ୍ତି ସୁର।

ସୁର ୫୩ ହଜାର ୧୧ ଭୋଟ ପାଇଥିବା ବେଳେ ବିଭୂତି ୪୬ ହଜାର ୫୨୪ ଭୋଟ ପାଇଥିଲେ। ୬ ହଜାର ୭୮୩ ଭୋଟ ବ୍ୟବଧାନରେ ସୁର ବିଭୂତିଙ୍କୁ ପରାଜିତ କରିଥିବା ଜଣାପଡ଼ିଛି।

“ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ଵର ରାଜଧାନୀ କରିଥିଲେ। ଭୁବନେଶ୍ଵର ରାଜଧାନୀ ହେବା ପରେ ଏହାର ଆଖପାଖ ଅଞ୍ଚଳର ବିକାଶ ହୋଇଥିଲା। ଜଟଣୀର ମଧ୍ୟ ଅନେକ ବିକାଶ ହୋଇଛି। ମୁଁ ବିଧାୟକ ଥାଏ କି ନଥାଏ ଜଟଣୀବାସୀଙ୍କ ସୁଖଦୁଃଖରେ ସବୁବେଳେ ରହିଛି’’, କହିଛନ୍ତି ସୁର ରାଉତରାୟ।

Comment