ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୁନ୍ଦରଗଡ଼ ଲୋକସଭା ଆସନରେ ପୁଣି ଥରେ ବାଜି ମାରି ପାରନ୍ତି ଜୁଏଲ ଓରାମ। ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଜୁଏଲ ୬୯ ହଜାର ୬୯୪ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଜର୍ଜ ତିର୍କୀଙ୍କୁ ଜୁଏଲ ପଛରେ ପକାଇଛନ୍ତି।

ସୁନ୍ଦରଗଡ଼ରେ ଜୁଏଲ ଏବଂ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ବାଳଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସବୁ ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରିଥିଲା ଭୋଟ ଗଣତି। ସୁନିତା ନିର୍ବାଚନ ଲଢ଼େଇରେ ତୃତୀୟ ସ୍ଥାନରେ ରହିଥିଲେ।

ଗତ ୨୦୧୪ରେ ବିଜେପି ଗୋଟିଏ ମାତ୍ର ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏହି ଆସନଟି ଥିଲା ସୁନ୍ଦରଗଡ଼। ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ପରାଜିତ କରି ଜୁଏଲ ଲୋକସଭାକୁ ଯାଇଥିଲେ ଏବଂ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।

ଏଥର ଜୁଏଲଙ୍କ ଗଡ଼ ସୁନ୍ଦରଗଡ଼କୁ ଭାଙ୍ଗିବା ପାଇଁ ବିଜେଡି ମହିଳା କାର୍ଡ ଖେଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତାଙ୍କୁ କଂଗ୍ରେସରୁ ଆଣି ବିଜେଡି ଟିକେଟ ଦେଇଥିଲା।

ଆଶା କରାଯାଉଥିଲା ସୁନ୍ଦରଗଡ଼ରେ ଜୁଏଲ ଏବଂ ସୁନିତାଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ। ହେଲେ ଆଶା ଆଶାରେ ହିଁ ରହିଗଲା। ବିଜେଡିର ମହିଳା କାର୍ଡ ଏଠି ଫେଲ୍ ମାରିଥିଲା। ପୁଣିଥରେ ସୁନ୍ଦରଗଡ଼ର ଜୁଏଲ ହୋଇଛନ୍ତି ଜୁଏଲ। ଏଠି ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି।

Comment