ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦିନେ ସ୍ଵୟଂ ସହାୟକ ଗୋଷ୍ଠୀର ନେତ୍ରୀ ହିସାବରେ ଗଞ୍ଜାମ ଜିଲ୍ଲାରେ ପରିଚିତ ପ୍ରମିଳା ବିଷୋୟୀ ଏବେ ନୂଆ ପରିଚୟ ପାଇବାକୁ ଯାଉଛନ୍ତି। ପ୍ରମିଳା ହେବେ ଆସିକାରୁ ୧୭ତମ ଲୋକସଭାର ମାନ୍ୟବର ସଦସ୍ୟା। ଗୋଟିଏ ସାଧାରଣ ପରିବାରରୁ ଆସିଥିବା ପ୍ରମିଳା ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଏକ ନୂଆ ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏଥର ନିର୍ବାଚନରେ ଓଡ଼ିଶାର ବିଭିନ୍ନ ଲୋକସଭା ଆସନ ମଧ୍ୟରେ ପ୍ରମିଳା ବିଷୋୟୀ ଅପରାହ୍ଣ ୪:୩୦ ସୁଦ୍ଧା ସର୍ବାଧିକ ଲିଡ୍‌ରେ ରହିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀଙ୍କଠାରୁ ୧ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ତେଣୁ ତାଙ୍କର ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି।

ଏପର୍ଯ୍ୟନ୍ତ ହୋଇଥିବା ଗଣତି ଅନୁଯାୟୀ ପ୍ରମିଳାଙ୍କୁ ମୋଟ୍ ୩,୦୨,୨୯୮ ଭୋଟ୍ ମିଳିଛି। ସେହିପରି ତାଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ଅନୀତା ପ୍ରିୟଦର୍ଶିନୀଙ୍କୁ ୧,୯୪,୨୩୬  ଭୋଟ୍ ମିଳିଛି।

ଅନୀତା ହେଉଛନ୍ତି ଗଞ୍ଜାମର ଟାଣୁଆ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ।  ରାମକୃଷ୍ଣ ପଟ୍ଟନାୟକ ଦୀର୍ଘଦିନ ଧରି ଗଞ୍ଜାମ ରାଜନୀତିକୁ ପ୍ରଭାବିତ କରି ଆସୁଥିଲେ। ତାଙ୍କ ସ୍ତ୍ରୀ କୁମୁଦିନୀ ଆସିକାରୁ ୨୦୦୦ ମସିହା ଉପନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ନବୀନ ଓ ରାମକୃଷ୍ଣଙ୍କ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ରାମକୃଷ୍ଣ ଓ କୁମୁଦିନୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଆସିକା ଆସନରୁ ୧୯୯୭ ମସିହାରେ ନବୀନ  ଜନତା ଦଳ ଟିକେଟରେ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିଥିଲେ। ୨୦୦୦ ମସିହା ଉପନିର୍ବାଚନରେ ଏହି ଆସନରୁ କୁମୁଦିନୀ ଲୋକସଭାକୁ ଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଆସିକା ଆସନରେ ବିଜେଡି ପ୍ରତିଥର ପ୍ରାର୍ଥୀ ବଦଳାଇଛି। ୨୦୦୪ରେ ହରିହର ସ୍ବାଇଁ, ୨୦୦୯ରେ ନିତ୍ୟାନନ୍ଦ ପ୍ରଧାନ ଏବଂ ୨୦୧୪ରେ ଲଡ଼ୁକିଶୋର ସ୍ଵାଇଁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ।

Comment