ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନ ନବୀନଙ୍କ ପାଇଁ ପୁଣି ଥରେ ଭଲ ଫଳ ଆଣିଦେଇଛି। ହେଲେ ପୁରୀ ଜିଲ୍ଲାର ଦୁଇ ପ୍ରମୁଖ ଆସନ ପୁରୀ ଏବଂ ବ୍ରହ୍ମଗିରିରେ ବିଜେଡିର ଗଡ଼ ହଲ୍‌ଚଲ୍‌ ହେବାକୁ ଯାଉଛି। ପୁରୀ ଆସନରୁ ମହେଶ୍ୱର ମହାନ୍ତି ଏବଂ ବ୍ରହ୍ମଗିରି ଆସନରୁ ସଞ୍ଜୟ ଦାସବର୍ମାଙ୍କ ପରାଜୟ ଭଳି ସ୍ଥିତି ଦଳ ପାଇଁ ଆହ୍ୱାନ ସୃଷ୍ଟି କରିଛି।

ଜୟନ୍ତ ଆଗରେ, ମହେଶ୍ୱର ପଛରେ

ସନ୍ଧ୍ୟା ୮ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ଅଥ୍ୟ ଅନୁଯାୟୀ ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତିଙ୍କଠାରୁ ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀ ୬ ହଜାର ୯ଶହ ୯୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ରହିଛନ୍ତି। ଏଥର ଭୋଟ୍‌ରେ ଯେଉଁ କଡ଼ା ଟକ୍କର ଚାଲିଛି ସେଥିରେ ଗଣତିର ଶେଷ ପର୍ଯ୍ୟାୟ ଆଡକୁ ଏହି ସଂଖ୍ୟାକୁ ଟପିବା ପାଇଁ ମହେଶ୍ୱରଙ୍କ ପାଇଁ ହୁଏତ ସହଜ ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ହୋଇଥିବା ମୋଟ ଭୋଟରୁ ଜୟନ୍ତ ୬୯,୫୦୬ ପାଇଥିଲାବେଳେ ମହେଶ୍ୱରଙ୍କୁ ମିଳିଛି ୬୨୫୧୩

ମହେଶ୍ୱର ମହାନ୍ତି ବିଜେଡିର ଜଣେ ଟାଣୁଆ ନେତା। ପୁରୀ ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା। ୧୯୯୫ ମସିହାରୁ ମହେଶ୍ୱର ଲଗାତର ଭାବେ ଓଡ଼ିଶା ବିଧାନସଭାକୁ ଜିତି ଆସୁଛନ୍ତି। ଏହି ୨୫ ବର୍ଷ ଭିତରେ ସେ ଏକାଧିକ ଥର ମନ୍ତ୍ରୀ ହୋଇଥିବା ବେଳେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିଛନ୍ତି।

୨୦୦୪ ନିର୍ବାଚନରେ ଜିତି ମହେଶ୍ୱର ବାଚସ୍ପତି ହୋଇଥିଲେ। ତେବେ ୨୦୦୮ ବେଳକୁ ମହିଳା ମାର୍ଶାଲ୍ ଗ୍ରାୟତ୍ରୀ ପଣ୍ଡା ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପାଇଁ ତାଙ୍କୁ ସେହି ପଦ ହରାଇବାକୁ ପଡ଼ିଥିଲା। ୨୦୧୪ ନିର୍ବାଚନରେ ସେ ଜିତିକରି ଆସିଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିନଥିଲା। ତେବେ ଭୋଟ୍‌ରେ ସେ ଜିତି କରି ଆସିଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିନଥିଲା। ୨୦୧୫ ନବକଳେବର ପୂର୍ବରୁ ତାଙ୍କୁ ନବୀନ ନବକଳେବର ଭତ୍ତିଭୂମି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରି କ୍ୟାବିନେଟ୍ ପାହ୍ୟା ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ମହେଶ୍ୱରଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଥିଲା।

ଅନ୍ୟପକ୍ଷରେ ଏଥର ନିର୍ବାଚନରେ ମହେଶ୍ୱରଙ୍କୁଚେକ୍ ଦେଇଥିବା ବିଜେପିର ଜୟନ୍ତ କୁମାର ଷଡଙ୍ଗୀ ପୂର୍ବରୁ ବିଜେଡିରେ ଥିଲେ ସେ ପୁରୀ ପୌରପାଳିକାର ଅଧ୍ୟକ୍ଷ ରହିଥିଲେ। ଜୟନ୍ତ ସତ୍ୟବାଦୀ ଆସନରୁ ଦଳୀୟ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ବିଜେଡି ତାଙ୍କୁ ନିରାଶ କରିବାରୁ ଚଳିତ ନିର୍ବାଚନର କିଛି ଦିନ ଆଗରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପୁରୀରେ ଜୟନ୍ତଙ୍କ ସଂଗଠନର ଶକ୍ତି ସାଙ୍ଗକୁ ‘ମୋଦି ଲହର’ କାମ କରିଥିବା କୁହାଯାଉଛି।

ଅଡୁଆରେ ସଞ୍ଜୟ

ବ୍ରହ୍ମଗିରି ଆସନରୁ ବିଜେଡିର ସଞ୍ଜୟ ଦାସବର୍ମାଙ୍କ ପରାଜୟ ଭଳି ସ୍ଥିତି ସୃଷ୍ଟି ହୋଇଛି। ସନ୍ଧ୍ୟା ୭ଟା ୩୦ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୨୭୩୪ ଭୋଟ୍‌ରେ ପଛୁଆ ଅଛନ୍ତି।

ଆଜି ଭୋଟ୍ ଗଣତି ବେଳେ ଦିନ ତମାମ୍ ଏହି ଗଣିତ ତଳଉପର ହେଉଥିଲା। ତେବେ ଗଣତି ପାଖାପାଖି ଶେଷ ମୁଣ୍ଡରେ ପହଞ୍ଚିଥିବାରୁ ଏହି ସଂଖ୍ୟା ସଞ୍ଜୟଙ୍କ ପାଇଁ ଭାରୀ ପଡ଼ିପାରେ। ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟ ମଧ୍ୟରୁ ଲଳିଟେନ୍ଦୁ ୭୮,୮୬୪ ଭୋଟ ପାଇଥିଲାବେଳେ ସଞ୍ଜୟ ପାଇଛନ୍ତି ୬୭,୧୩୦।

ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର ହେଉଛନ୍ତି ସଞ୍ଜୟଙ୍କ ପାରମ୍ପରିକ ଶତ୍ରୁ ଲୁଲୁ ମହାପାତ୍ରଙ୍କ ସାନ ଭାଇ। ୨୦୧୪ରେ ଲୁଲୁ ସଞ୍ଜୟଙ୍କ ବିପକ୍ଷରେ ଲଢ଼ି ମାତ୍ର ୧୩୪୧ ଭୋଟ୍‌ରେ ପରାଜିତ ହୋଇଥିଲେ। ପୂର୍ବରୁ ଲୁଲୁ ମହାପାତ୍ର ତିନି ଥର ବ୍ରହ୍ମଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସଞ୍ଜୟ ଲୁଲୁଙ୍କଠାରୁ ହାରିଥିଲେ।

ବିଜେଡିର ସଞ୍ଜୟ ଦାସବର୍ମା ୨୦୦୯ ଏବଂ ୨୦୧୪ରେ ବ୍ରହ୍ମଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସଞ୍ଜୟ ନବୀନଙ୍କ ଟିମ୍‌ରେ ଦୁଇ ଥର ମନ୍ତ୍ରୀ ରହିଛନ୍ତି। ତେଣୁ ଏଥର ଯଦି ସଞ୍ଜୟଙ୍କର ପରାଜୟ ହୁଏ ତେବେ ତାହା ଦଳ ପାଇଁ ମହଙ୍ଗା ବୋଲି ବିଚାର କରିବାକୁ ହେବ।

ଏଥର ବ୍ରହ୍ମଗିରିରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ଲୁଲୁଙ୍କ ଝିଅ ଉପାସନା ଜୋରଦାର ପ୍ରଚାରରେ ସାମିଲ୍ ହୋଇଥିଲେ। ଲଳିତେନ୍ଦୁ ଓ ଉପାସନା କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ।

Comment