ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଅନେକ ଥର ସ୍ଲୋଗାନ ଦେଇଥିଲେ ‘ଅବ କି ବାର ୩୦୦ ପାର’। ଏହି ସ୍ଲୋଗାନଟି ଅନେକଙ୍କୁ ଅତିଶୟୋକ୍ତି ଭଳି ଲାଗୁଥିଲା। ଏବେ ଯେତେବେଳେ ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି, ସେହି ସ୍ଲୋଗାନ ସତ ହେବା ଦେଖା ଯାଉଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ଭୋଟ ଗଣତିର ଟ୍ରେଣ୍ଡକୁ ଯଦି ଲକ୍ଷ୍ୟ କରାଯାଏ, ବିଜେପି ପ୍ରାର୍ଥୀ ୩୦୦ରୁ ଅଧିକ ଆସନରେ ଆଗୁଆ ଅଛନ୍ତି। ଯଦି ଏହି ସଂଖ୍ୟା ବାସ୍ତବତାର ରୂପ ନିଏ ତେବେ ବିଜେପି ନିଜ ରେକର୍ଡ଼ କୁ ହିଁ ଭାଙ୍ଗିବ। ୨୦୧୪ ନିର୍ବାଚନରେ ବିଜେପି ଏକଲା ୨୮୨ଟି ଆସନ ଜିତିଥିଲା। ଅର୍ଥାତ ଗତ ବର୍ଷର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ବି ଏଥରର ପ୍ରଦର୍ଶନ ଟପିଯିବ।

କଂଗ୍ରେସ ହତାଶ

ନିର୍ବାଚନ ଫଳାଫଳ ଅଗ୍ରଗତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ଏଥର ନିର୍ବାଚନରେ ବିଶେଷ ଲାଭ ପାଇନାହିଁ। ଦଳର ପ୍ରାର୍ଥୀମାନେ ପ୍ରାୟ ୯୦ ଆସନରେ ଆଗୁଆ ଥିବା ଲକ୍ଷ୍ୟ କରାଯାଇଛି। କଂଗ୍ରେସ ପାଇଁ ଏଥରର ଫଳାଫଳ ଏଥିପାଇଁ  ଚିନ୍ତାଜନକ ଯେ ନିଜେ ରାହୁଲ ଗାନ୍ଧି ଆମେଥି ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ମୃତି ଇରାନୀଙ୍କଠାରୁ ପଛରେ ଅଛନ୍ତି। ଖାଲି ସେତିକି ନୁହେଁ କଂଗ୍ରେସର ହେଭିୱେଟ ନେତା ରାଜ୍ ବବର, ଜିତିନ ପ୍ରସାଦ, ସଲମାନ ଖୁର୍ସିଦ ବି ପଛେଇଛନ୍ତି।

ଲଗାତର ଭାବରେ ଦୁଇଟି ସାଧାରଣ ନିର୍ବାଚନରେ କଂଗ୍ରେସର ଏହି ପରାଜୟ ଦେଢ଼ ଶହ ବର୍ଷର  ଦଳର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୪ରେ  କଂଗ୍ରେସ ମାତ୍ର ୪୪ ଆସନରେ ବିଜୟ ଲାଭ କରିଥିଲା। ଅଧିକନ୍ତୁ, ବିରୋଧୀ ଦଳର ମାନ୍ୟତା ବି କଂଗ୍ରେସ ହରାଇଥିଲା। ପୁଣି ଥରେ କଂଗ୍ରେସ ବିପକ୍ଷ ଦଳର ନେତା ପଦବୀ ହରାଇବା ପାଇଁ ଯାଉଛି।

ସୁବର୍ଣ୍ଣ ଯୁଗ

ଗତ ଲୋକସଭା ନିର୍ବାଚନରେ ଜବରଦସ୍ତ ସଫଳତା ପରେ ଦଳର ମୁଖ୍ୟ ଅମିତ ଶାହ କହିଥିଲେ ଯେ ଏବେ ବିଜେପି ପାଇଁ ସୁବର୍ଣ୍ଣ ଯୁଗ ଆସିନାହିଁ। ଏହି ଯୁଗ ସେତେବେଳେ ଆସିବ ଯେତେବେଳେ ଦଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଉତ୍ତମ ପ୍ରଦର୍ଶନ କରିବ। ବର୍ତ୍ତମାନ ଦେଖିବା କଥା ସୁବର୍ଣ୍ଣ ଯୁଗ ଆସିବାରେ ଓଡ଼ିଶା ଓ ପଶ୍ଚିମବଙ୍ଗ କେତେ ଦୂର ସହାୟକ ହେବେ।

ମହାଗଠବନ୍ଧନ ଫେଲ

ଉତ୍ତର ପ୍ରଦେଶରେ ବିଜେପି ୮୦ ମଧ୍ୟରୁ ୫୦ରୁ ଅଧିକ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଚାଲିଥିବାର ଅର୍ଥ ଏଠି ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟିର ମେଣ୍ଟ କାମ କରି ନାହିଁ। ଏହି ଦୁଇ ଦଳର ମେଣ୍ଟ ପଛାଇବା ପଛରେ କାରଣ ହେଉଛି ଦଳର ନେତା ଓ କର୍ମକର୍ତ୍ତାଙ୍କ ଭିତରେ ତାଳ ମେଳ ରହି ନଥିଲା ଓ କେବଳ ମେଣ୍ଟ ପାଇଁ ମେଣ୍ଟ ନୀତିରେ ମାୟାବତୀ ଓ ଅଖିଳେଶ ନିର୍ବାଚନ ଲଢ଼ିଥିଲେ।

Comment