ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିଲେ ବାପା-ପୁଅ ଯୋଡ଼ି। ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଭାଗ୍ୟ ଏହି ନିର୍ବାଚନରେ କ’ଣ ହେଉଛି ତା’ ଉପରେ ସମସ୍ତଙ୍କର ନଜର ରହିଥିଲା।

ତେବେ ଦିନ ୧୨ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବାଲିକୁଦା-ଏରସମାରେ ବାପା ଦାମୋଦର ପଛରେ ପଡ଼ିଥିବା ବେଳେ ପାରାଦୀପରେ ପୁଅ ସମ୍ବିତ ରାଉତରାୟ ଆଗରେ ଥିବା ଜଣାପଡ଼ିଛି।

ବିଜେଡିରୁ ବହିଷ୍କାର ହେବା ପରେ ଦାମ ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ବାଲିକୁଦା-ଏରସମାରେ ପ୍ରାର୍ଥୀ କରିଥିଲା। ଦାମ ବିଜେପିରେ ଯୋଗ ଦେବା ପରେ ବାଲିକୁଦା-ଏରସମାର ମୂଳ ବିଜେପି ନେତା ରଘୁନନ୍ଦନ ଦାସ ବିଜେଡିରେ ଯୋଗ ଦେଇ ଟିକେଟ ନେଇଥିଲେ।

ଏଠି ଦାମ ଏବଂ ରଘୁନନ୍ଦନଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ ଦାମ ଅପରାହ୍ଣ ୧ଟା ସୁଦ୍ଧା ୧୯୬୮ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ୬ ହଜାର ୪୩୪ ଭୋଟ ପାଇଥିଲେ। ଏବେ ଏହି ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଜାରି ରହିଛି।

ଦାମ ବିଜେପିରେ ଯୋଗ ଦେବା ପରେ ବିଜେଡି ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେଇଥିଲା। ସମ୍ବିତ ଅପରାହ୍ଣ ୧ଟା ସୁଦ୍ଧା ୩ ହଜାର ୧୮୨ ଭୋଟ ପାଇ ଆଗୁଆ ଥିବା ବେଳେ କଂଗ୍ରେସର ଅରିନ୍ଦମ ସର୍ଖେଲ ୨ ହଜାର ୩୭୪ ଭୋଟ ପାଇ ପଛରେ ଅଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଜାରି ରହିଛି।

୨୦୧୯ ନିର୍ବାଚନ ପୂର୍ବରୁ ଏହି ବାପା-ପୁଅ ଯୋଡ଼ିଙ୍କୁ ନେଇ ରାଜନୀତି କରିଡ଼ର ସରଗରମ ରହିଥିଲା। ବାପା ବିଜେପି ଟିକେଟ ନେଇଥିବା ବେଳେ ପୁଅ ବିଜେଡି ଟିକେଟ ନେଇଥିଲେ। ତେବେ ବାପା-ପୁଅଙ୍କ ଭିତରୁ କାହା ପଲ୍ଲା ଭାରି ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

Comment