ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦକ୍ଷିଣରେ ନବୀନଙ୍କ ଯାଦୁ। ବ୍ରହ୍ମପୁର, ଆସିକା, କନ୍ଧମାଳ ଓ କୋରାପୁଟଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ସବୁଠି ବିଜୁ ଜନତା ଦଳ ପ୍ରାର୍ଥୀ ଆଗୁଆ। କେବଳ ସେତିକି ନୁହେଁ ଅନେକ ସ୍ଥାନରେ ବିଜେଡି ପ୍ରାର୍ଥୀମାନେ ଭଲ ଭୋଟ୍ ବ୍ୟବଧାନରେ ଅଛନ୍ତି। ବିଶେଷକରି ଆସିକା ଆସନରେ ନୂଆ ମୁହଁ ପ୍ରମିଳା ବିଷୋୟୀ ୪୧,୯୯୫ ଭୋଟରେ ଆଗୁଆ ଅଛନ୍ତି।

ଆସିକା ଆସନରେ ଜିତିବେ ପ୍ରମିଳା

ଆସିକାରେ ୧୨:୫୦ ସୁଦ୍ଧା ଗଣତି ଅନୁଯାୟୀ ବିଜେଡିର ପ୍ରମିଳା ବିଷୋୟୀଙ୍କୁ ୧୦,୦୩୫୯ ଖଣ୍ଡ ଭୋଟ୍ ମିଳିଛି। ତାଙ୍କ ପଛକୁ ରହିଛନ୍ତି ବିଜେପିର ଅନୀତା ଶୁଭଦର୍ଶିନୀ। ଅନୀତାଙ୍କୁ ମିଳିଛି ୫୮୩୬୪। ଅର୍ଥାତ୍ ପ୍ରମିଳା ୪୧,୯୯୫ ଭୋଟରେ ଆଗରେ ଅଛନ୍ତି।

ଆଜି ଭୋଟ ଗଣତି ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ସମସ୍ତ ରାଉଣ୍ଡରେ ପ୍ରମିଳା ଆଗରେ ରହି ଆସିଛନ୍ତି। ଧୀରେ ଧୀରେ ତାଙ୍କର ଭୋଟ୍ ବ୍ୟବଧାନ ବଢ଼ିଚାଲିଛି। ତେଣୁ ଆସିକା ଆସନରୁ ସାଂସଦ ଭାବେ ଲୋକସଭାକୁ ପ୍ରମିଳାଙ୍କ ବାଟ ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି। ଆସିକାରେ ୧୨:୫୦ ସୁଦ୍ଧା ଗଣତି ଅନୁଯାୟୀ ବିଜେଡିର ପ୍ରମିଳା ବିଷୋୟୀଙ୍କୁ ୧୦,୦୩୫୯ ଖଣ୍ଡ ଭୋଟ୍ ମିଳିଛି। ତାଙ୍କ ପଛକୁ ରହିଛନ୍ତି ବିଜେପିର ଅନୀତା ଶୁଭଦର୍ଶିନୀ। ଅନୀତାଙ୍କୁ ମିଳିଛି ୫୮୩୬୪। ଅର୍ଥାତ୍ ପ୍ରମିଳା ୪୧,୯୯୫ ଭୋଟରେ ଆଗରେ ଅଛନ୍ତି।

ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ

କିଛି ଦିନ ତଳେ କଂଗ୍ରେସ ଶିବିର ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଗଞ୍ଜାମର ପୁରୁଖା ନେତା ଚନ୍ଦ୍ରଶେଖର ସାହୁ ଏଥର ଲୋକସଭାକୁ ଯିବା ଏକପ୍ରକାର ନିଶ୍ଚିତ ମନେ ହେଉଛି। କାରଣ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରଶେଖର ତାଙ୍କ ନିକଟବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀଭୃଗୁବକ୍ସି ପାତ୍ରଙ୍କଠାରୁ ୨୦,୦୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ଚନ୍ଦ୍ରଶେଖରଙ୍କୁ ଏପର୍ଯ୍ୟନ୍ତ ମିଳିଛି ୭୧,୬୯୭ ଭୋଟ୍। ଭୃଗୁ ପାଇଛନ୍ତି ୫୧,୧୦୬। ସେହିପରି କଂଗ୍ରେସର ଚନ୍ଦ୍ରଶେଖର ନାଇଡୁ ୨୨୪୬୦ ଭୋଟ୍ ପାଇଛନ୍ତି।

କନ୍ଧମାଳରେ ଅଚ୍ୟୁତ ସାମନ୍ତ

କନ୍ଧମାଳ ପାଇଁ ନବୀନ ଖେଳିଥିବା ଆଦିବାସୀ କାର୍ଡ କାମ ଦେଇଛି। ଏହି ଲୋକସଭା ଆସନ ପାଇଁ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀଙ୍କୁ ହଟାଇ ବିଜେଡି ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକେଟ୍ ଦେଇଥିଲା। କିସ୍ ସ୍କୁଲ୍ ମାଧ୍ୟମରେ ହଜାର ହଜାର ଆଦିବାସୀ ପିଲାଙ୍କୁ ମାଗଣାରେ ପାଠପଢ଼ାଇ ଆଦିବାସୀ ସମାଜ ସହ ଯୋଡ଼ି ହୋଇଥିବା ଡକ୍ଟର ସାମନ୍ତ କନ୍ଧମାଳରେ ଦଳର ବିଜୟ ସୁନିଶ୍ଚିତ କରିପାରିବେ ବୋଲି ହାଇକମାଣ୍ଡ ଚିନ୍ତା କରିଥିଲେ। ଏବେ ତାହା ପ୍ରମାଣିତ ହେବାକୁ ଯାଉଛି।

ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମିଳିଛି ୬୮୮୬୧ ଭୋଟ୍। ତାଙ୍କ ପଛକୁ ରହିଛନ୍ତି ବିଜେପିର ଐର ଖାରବେଳ ସ୍ୱାଇଁ। ତାଙ୍କୁ ମିଳିଛି ୪୭୯୨୭ ଭୋଟ। ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ। ମନୋଜଙ୍କୁ ମିଳିଛି ୧୫୫୮୪।

କୋରାପୁଟରେ କୌଶଲ୍ୟାଙ୍କ କମାଲ

କୋରାପୁଟ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ କୌଶଲ୍ୟା ହିକକାଙ୍କ କମାଲ୍ ଦେଖିବାକୁ ମିଳୁଛି। ସେ  ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସପ୍ତଗିରି ଓଲାକାଙ୍କଠାରୁ ୧୩୧୧୦ରେ ଭୋଟରେ ଆଗୁଆ ଅଛନ୍ତି। ସେ ବିଜେପିର ଜୟରାମ ପାଙ୍ଗିଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି।

ଏପର୍ଯ୍ୟନ୍ତ ହୋଇଥିବା ଗଣତି ଅନୁଯାୟୀ କୌଶଲ୍ୟାଙ୍କୁ ମିଳିଛି ୭୯୫୩୭ ଖଣ୍ଡ ଭୋଟ୍। ତାଙ୍କ ପଛକୁ କଂଗ୍ରେସକୁ ୬୬୨୩୦ ଏବଂ ବିଜେପିକୁ ୩୨୩୭୩ ।

୨୦୦୯ ମସିହାରେ ନବରଙ୍ଗପୁର ଆସନରେ ବିଜେଡି ଟିକେଟରେ ଜୟରାମ ପାଙ୍ଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ ଏହି  ଆସନରୁ ଝୀନ ହିକକାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ତେବେ ୨୦୧୯ରେ  ଦଳ ଝୀନଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ଠିଆ କରାଇଥିଲା। ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିରେ କିଛି ଦିନ ପୂର୍ବେ ନିଜ ଅସନ୍ତୋଷ ବ୍ୟକ୍ତି କରି ଜୟରାମ ପାଙ୍ଗି ବିଜେପିରେ ଯୋଗ ଦେଇଥିଲେ। ହେଲେ ଜୟରାମ ଏଥର ନିର୍ବାଚନରେ ବିଜେଡିକୁ ଟକ୍କର ଦେଇପାରିଲେ ନାହିଁ।

ନବରଙ୍ଗପୁରରେ ରମେଶ ମାଝି

ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବଳଭଦ୍ର ମାଝୀଙ୍କଠାରୁ ୩୫ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ରମେଶଙ୍କୁ ୧୭୪୭୬୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବଳଭଦ୍ରଙ୍କୁ ମିଳିଛି ୧୩୯୨୨୪। ତେବେ ତୃତୀୟ ସ୍ଥାନରେ ଥିବା ପ୍ରଦୀପ ମାଝୀ ପାଇଛନ୍ତି ୧୩୮୫୯୩ ଖଣ୍ଡ ଭୋଟ୍।

ଦକ୍ଷିଣରେ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣରେ ନବୀନଙ୍କ ଯାଦୁ କାମ ଦେଇଛି। ସେ ପ୍ରାର୍ଥୀ ମୂଳରୁ ବିଜେଡିର ହୁଅନ୍ତୁ କି ଅନ୍ୟ ଦଳରୁ ଆସିଥାନ୍ତୁ କିମ୍ବା ନୂଆ ମୁହଁ – ସବୁ କ୍ଷେତ୍ରରେ ଭୋଟ୍ ଗଣତିରେ ଆଗରେ ରହିଛନ୍ତି ନବୀନ। ସେହିପରି ବିଜେଡି ଛାଡ଼ି ଅନ୍ୟ ଦଳକୁ ଯାଇଥିବା ପ୍ରାର୍ଥୀମାନେ ନବୀନଙ୍କ କରିସ୍ମାକୁ କାଟିବାକୁ ସକ୍ଷମ ହୋଇପାରିନାହାନ୍ତି।

Comment