ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଚଳିତ ଲୋକସଭା ଭୋଟ୍ ଗଣତି ବେଳେ ବହୁ ରୋଚକ ଦିଗ ଦେଖିବାକୁ ମିଳୁଛି। ବିଶେଷକରି ଏଥର ବିଜେଡି ଯେଉଁ ମହିଳା ଏବଂ ନୂଆ ମୁହଁ ଦେଇଛି ସେମାନଙ୍କ ଭିତରେ ଆସିକା ଏବଂ ଯାଜପୁର ଆସନରେ ଚମକ ଦେଖିବାକୁ ମିଳୁଛି। ଦିନ ୧୧:୩୦ ସୁଦ୍ଧା ଫଳାଫଳର ସ୍ଥିତି ବିଜେଡ଼ିକୁ ଖୁସି କଲାଭଳି ସୂଚନା ଦେଉଛି।

ଆସିକା ଆସନରେ ବ୍ୟବଧାନ ୨୦,୦୦୦

ଆସିକା ଲୋକସଭା ଆସନରେ ପ୍ରମିଳା ବିଷୋୟୀ ଲଗାତାର ଭାବେ ଆଗରେ ଅଛନ୍ତି। ରାଉଣ୍ଡ୍ ପରେ ରାଉଣ୍ଡ୍ ତାଙ୍କର ଭୋଟ୍ ସଂଖ୍ୟା ବଢ଼ି ଚାଲିଛି।  ବର୍ତ୍ତମାନସୁଦ୍ଧା ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅନିତା ଶୁଭଦର୍ଶିନୀଙ୍କଠାରୁ ୨୦,୫୫୯ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ପ୍ରମିଳା ଏପର୍ଯ୍ୟନ୍ତ ପାଇଛନ୍ତି ମୋଟ୍ ୪୪,୫୫୨ ଖଣ୍ଡ ଭୋଟ୍। ବିଜେପିର ଅନିତାଙ୍କୁ ମିଳିଛି ୨୩,୯୯୩। ବିଶେଷକରି ସିପିଆଇର ନେତା ରାମକୃଷ୍ଣ ପଣ୍ଡା ମାତ୍ର ୨୮୩୯ ଭୋଟ୍ ପାଇଛନ୍ତି।

ଆସିକା ଆସନରେ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ପ୍ରମିଳା ବିଷୋୟୀଙ୍କୁ ଟକେଟ୍ ଦେଇ ନବୀନ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏବେ ମନେହେଉଛି ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ପ୍ରମିଳା ଦଳ ପାଇଁ ଏକ ସଫଳତାର କାର୍ଡ ହେବ।

ଯାଜପୁରରେ ଶର୍ମିଷ୍ଠା ଆଗରେ

ଯାଜପୁର ଲୋକସଭା ଆସନରେ ବିଜେଡିରେ ନୂଆମୁହଁ ଶର୍ମିଷ୍ଠା ସେଠୀ ଭଲ ପ୍ରଦର୍ଶନ କରୁଛନ୍ତି। ସେ ତାଙ୍କର  ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମୀୟକାନ୍ତ ମଲ୍ଲିକଙ୍କଠାରୁ ୨୧,୯୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଏହି ଆସନରେ ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସର ମାନସୀ ଜେନା।

ବର୍ତ୍ତମାନ ସୁଦ୍ଧା ଶର୍ମିଷ୍ଠାଙ୍କୁ ମିଳିଛି ୬୫,୧୯୯ ଭୋଟ୍। ଅମୀୟକାନ୍ତ ପାଇଛନ୍ତି ୪୩,୨୮୯। ସେହିପରି କଂଗ୍ରେସର ମାନସ ଜେନା ମାତ୍ର ୮୭୪୫ ଭୋଟ ପାଇଛନ୍ତି।

ଯାଜପୁର ଆସନ ପାଇଁ ବହୁ ମହାରଥୀଙ୍କ ନାମ ଶୁଣାଯାଉଥିଲା। ହେଲେ ଶେଷ ମୁହୂର୍ତ୍ତରେ ନୂଆ ମୁହଁ ଶର୍ମିଷ୍ଠାଙ୍କୁ ଟିକେଟ୍ ଦେଇଥିଲେ।

ଯାଜପୁର ଲୋକସଭା ଆସନରେ ୨୦୦୪ ଏବଂ ୨୦୦୯ରେ ମୋହନ ଜେନା ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ରେ ଦଳ ନୂଆ ମୁହଁ ରୀତା ତରାଇଙ୍କୁ ଆଣିଥିଲା। ୨୦୧୯ରେ ପୁଣି ଦଳ ନୂଆ ମୁହଁ ଦେବାକୁ ଯାଇ ଶର୍ମିଷ୍ଠାଙ୍କୁ ପ୍ରାର୍ଥୀ କରିଛି।

Comment