ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ଲୋକସଭା ଆସନରେ କିଏ ଜିତିବ ବାଜି? ଏହାକୁ ନେଇ ଗତ ମାସେ ହେଲା ମାନସ ମନ୍ଥନ ଚାଲିଥିଲା। ଆଜି ଭୋଟ ଗଣତି ଚାଲିଥିବା ବେଳେ ଧିରେ ଧିରେ କେନ୍ଦ୍ରାପଡ଼ାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ବିଜୟ ସମ୍ଭାବନା ଅଧିକ ରହିଥିବା ଜଣାପଡୁଛି। ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୪୬ ହଜାର ୨୫୭ ଭୋଟ ବ୍ୟବଧାନ ଆଗରେ ରହିଥିବା ଚିତ୍ର ଆସିଛି।

ଅନୁଭବ ମୋଟ ୧ ଲକ୍ଷ ୫୫ ହଜାର ୪୬୫ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୧ ଲକ୍ଷ ୯ ହଜାର ୨୦୮ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୩୦ ହଜାର ୪୫୨ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ଉଭୟ ବିଜେଡି ଏବଂ ବିଜେପିର ସମ୍ମାନ କେନ୍ଦ୍ରାପଡ଼ାରେ ବାଜିରେ ଲାଗିଥିଲା।

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡା କେନ୍ଦାପଡ଼ା ଲୋକସଭା ଆସନରୁ ଟିକେଟ ନେଇଥିଲେ। ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ଅଭିନେତାରୁ ନେତା ହୋଇଥିବା ଅନୁଭବଙ୍କୁ ଟିକେଟ ଦେଇଥିଲା ବିଜେଡି।

ଅନୁଭବ ଏବଂ ବୈଜୟନ୍ତ ପ୍ରଚାର ମଇଦାନକୁ ସରଗରମ କରିଥିଲେ। ବୈଜୟନ୍ତଙ୍କ ପାଇଁ ନରେନ୍ଦ୍ର ମୋଦି ପ୍ରଚାର କରିଥିବା ବେଳେ ଅନୁଭବଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିଥିଲେ। ଏପରିକି ନବୀନ କେନ୍ଦ୍ରାପଡ଼ାରେ ରାତ୍ରୀଯାପନ କରିଥିଲେ।

ଏଣୁ ଏହି ହାଇଭୋଲଟେଜ ନିର୍ବାଚନ ମଣ୍ଡଳୀରେ କିଏ ଜିତିବ ଏବଂ କିଏ ହାରିବ ତା’ ଉପରେ ନଜର ରହିଥିଲା।

ଭୋଟ ଗଣତି ବେଳେ ଇଭିଏମରେ ଅନୁଭବ ଏବଂ ବୈଜୟନ୍ତଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ସାଢ଼େ ୪ଟା ସୁଦ୍ଧା ଅନୁଭବ ୪୬ ହଜାର ଭୋଟ ବ୍ୟବଧାନରେ ଆଗୁଆ ରହିଥିବାରୁ ଅନୁଭବଙ୍କ ବିଜୟ ସମ୍ଭାବନା ଅଧିକ ରହିଥିବା କୁହାଯାଉଛି।

Comment