ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଏଥର ଭୋଟରେ ଓଡ଼ିଶାର ହାଇପ୍ରୋଫାଇଲ୍ ନେତାଙ୍କ ମଧ୍ୟରେ କିଭଳି କଡ଼ା ଟକ୍କର ହୋଇଛି ଭୋଟ୍ ଗଣତିରୁ ତାହା ଜଣାପଡ଼ିଛି। କାରଣ ଗୋଟିଏ ଯୋଡିଏ ରାଉଣ୍ଡ ପରେ ଆଗରେ ଥିବା ପ୍ରାର୍ଥୀ ପଛକୁ ଚାଲିଯାଉଛନ୍ତି। ମୁଖ୍ୟତଃ ବିଜେଡ଼ି ଓ ବିଜେପି ଭିତରେ ଟକ୍କର ଚାଲିଛି। ବର୍ତ୍ତମାନ ସୁଦ୍ଧା ଥିବା ଟ୍ରେଣ୍ଡ୍ ଅନୁଯାୟୀ କେତେକ ଆସନରେ କିଏ ଜିତିବେ ଓ କିଏ ହାରିବେ କହିବା ସତରେ ମୁସ୍କିଲ୍।
ଭୁବନେଶ୍ଵରରେ ଅପରାଜିତା
ଭୁବନେଶ୍ଵର ଲୋକସଭା ଆସନରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଭିତରେ ଚାଲିଛି ଲଢ଼େଇ। ପ୍ରଥମ କେତୋଟି ରାଉଣ୍ଡରେ ଅପରାଜିତା ଆଗରେ ଥିଲେ। ପୁଣି ମଝିରେ ଗୋଟିଏ ରାଉଣ୍ଡରେ ଅରୂପ ଅପରାଜିତାଙ୍କୁ ପଛରେ ପକାଇ ଆଗକୁ ଆସିଥିଲେ। ହେଲେ ୧୧:୫୦ ସୁଦ୍ଧା ଅପରାଜିତା ଅରୂପଙ୍କଠାରୁ ୬୧୦୯ ଭୋଟରେ ଆଗୁଆ ଅଛନ୍ତି।
ଏପର୍ଯ୍ୟନ୍ତ ହୋଇଥିବା ମୋଟ୍ ଗଣତି ଭିତରୁ ଅପରାଜିତାଙ୍କୁ ମିଳିଛି ୪୯,୮୦୧ ଭୋଟ୍। ସେହିପରି ଅରୂପ ପାଇଛନ୍ତି ୪୩,୬୯୨।
ତୃତୀୟ ସ୍ଥାନରେ ଅଛନ୍ତି ସିପିଆଇଏମ୍ ନେତା ଜନାର୍ଦ୍ଦନ ପତି। ସେ ଏପର୍ଯ୍ୟନ୍ତ ପାଇଛନ୍ତି ୨୨୭୩ ଭୋଟ୍।
ପୁରୀରେ ଛାଇ ଆଲୁଅ ଖେଳ
ପୁରୀ ଲୋକସଭା ଆସନରେ ଏଥର ଚାଲିଛି ଛାଇ ଆଲୁଅ ଖେଳ। କେତେବେଳେ ବିଜେଡିର ପିନାକୀ ମିଶ୍ର ଆଗରେ ତ କେତେବେଳେ ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ୍ ପାତ୍ର ଆଗରେ। ପ୍ରତି ରାଉଣ୍ଡ ଫଳାଫଳ ଆସିବା ପୂର୍ବରୁ କହି ହେଉନାହିଁ ଯେ କିଏ ଏଥର ଆଗରେ ରହିବେ। ତେଣୁ ପିନାକୀଙ୍କୁ ଏଥର ପୁରୀ ଆସନ ସମ୍ଭାଳି ରଖିବା ଏକ ବଡ଼ ଆହ୍ବାନ ହେବ।
ବର୍ତ୍ତମାନ ସୁଦ୍ଧା ସମ୍ବିତ୍ ପାତ୍ରଙ୍କ ଠାରୁ ପିନାକୀ ମାତ୍ର ୧୯୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସମ୍ବିତଙ୍କୁ ମିଳିଛି ମୋଟ୍ ୪୦୮୫୪ ଭୋଟ୍। ସେହିପରି ପିନାକୀ ପାଇଛନ୍ତି ୪୧୦୪୬ ।
ସେହିପରି କଂଗ୍ରେସର ମୁଖପାତ୍ର ସତ୍ୟପ୍ରକାଶ ନାୟକ ମୋଟ୍ ୪୨୫୨ଭୋଟ୍ ପାଇଛନ୍ତି।
କେନ୍ଦ୍ରାପଡ଼ାରେ ଅନୁଭବ ଆଗରେ
ଏଥର କେନ୍ଦ୍ରାପଡ଼ା ଉପରେ ସମସ୍ତଙ୍କ ନଜର। ଏହି ଆସନରୁ ଲଗାତାର ଭାବେ ଦୁଇ ଥର ଜିତିଥିବା ବୈଜୟନ୍ତ ପଣ୍ଡାଙ୍କୁ କଡା ଟକ୍କର ଦେଉଛନ୍ତି ଅଭିନେତା ଅନୁଭବ ମହାନ୍ତି। ବୈଜୟନ୍ତଙ୍କଠାରୁ ଅନୁଭବ ୩୪୩୨ ଭୋଟରେ ଆଗୁଆ ଅଛନ୍ତି।
ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟ୍ ମଧ୍ୟରୁ ଅନୁଭବ ପାଇଛନ୍ତି ୯୭୪୪। ବୈଜୟନ୍ତଙ୍କୁ ମିଳିଛି ୬୩୨୧। ଆରମ୍ଭରୁ ବୈଜୟନ୍ତ ପଛୁଆ ଚାଲିଛନ୍ତି।
ସେହିପରି କଂଗ୍ରେସର ପ୍ରାର୍ଥୀ ଆଇନଜୀବୀ ଧରଣୀଧର ନାୟକ ୧୪୧୧ ଭୋଟ୍ ପାଇଛନ୍ତି।
ନବୀନଙ୍କ ପାଇଁ ସବୁଠାରୁ ବଡ଼ କଣ୍ଟା ସାଜିଥିବା ବୈଜୟନ୍ତ କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି କରିବା ସହ ମୁଖପାତ୍ର ଭାବେ ଘୋଷଣା କରିଥିଲା। ତେଣୁ କେନ୍ଦ୍ରାପଡ଼ା ଆସନ ବଞ୍ଚାଇ ରଖିବା ଖାଲି ବୈଜୟନ୍ତ ନୁହନ୍ତି ଦଳ ପାଇଁ ମଧ୍ୟ ସମ୍ନାନର ପ୍ରଶ୍ନ ହେବ।
ଅନ୍ୟପକ୍ଷରେ ବୈଜୟନ୍ତଙ୍କୁ ହରାଇବା ବିଜେଡିର ସବୁଠାରୁ ବଡ଼ ସଫଳତା ହେବ। ତେଣୁ ଏଠାରେ ଶେଷ ମୁହୂର୍ତ୍ତରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଆସନରେ ଟକ୍କର ଜୋରଦାର ହେବ ବୋଲି ଜଣାଥିଲା।
କଟକର ଭର୍ତ୍ତୃହରି ଆଗରେ
କଟକ ଲୋକସଭା ଆସନରେ ମଧ୍ୟ ଟକ୍କର ରହିଛି। ତେବେ ସେଠାରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜେପିର ପ୍ରକାଶ ମିଶ୍ରଙ୍କଠାରୁ ୭୯୬୪ ଭୋଟରେ ଆଗୁଆ ଅଛନ୍ତି।
ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ମୋଟ୍ ଭୋଟ୍ ଭିତରୁ ଭର୍ତ୍ତୃହରିଙ୍କୁ ମିଳିଛି ୨୨,୧୭୦। ସେହିପରି ପ୍ରକାଶ ମିଶ୍ର ପାଇଛନ୍ତି ୧୪,୨୦୬। ସେହିପରି କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋଙ୍କୁ ମିଳିଛି ମାତ୍ର ୩୫୧୦।
ଏହି ଆସନରେ ଭର୍ତ୍ତୃହରି ମହତାବ ଗତ ୫ଥର ହେଲା ଲଗାତାର ଭାବେ ଜିତି ଆସୁଛନ୍ତି।
ସୁନ୍ଦରଗଡ଼ରେ ଜୁଏଲ୍– ଜର୍ଜ ଲଢ଼େଇ
ସୁନ୍ଦରଗଡ଼ରୁ ଏକାଧିକ ଥର ଲୋକସଭାକୁ ଜିତି ଆସିଥିବା ଜୁଏଲଙ୍କୁ ଏଥର ଜୋରଦାର ଟକ୍କର ଦେଉଛନ୍ତି ଜର୍ଜ ତିର୍କି। ଆଜି କିଛି ସମୟ ପର୍ଯ୍ୟନ୍ତ ଜର୍ଜ ଜୁଏଲଙ୍କଠାରୁ ଆଗରେ ରହିଥିଲେ।
ବର୍ତ୍ତମାନ ସୁଦ୍ଧା ଜୁଏଲ୍ ଜର୍ଜଙ୍କଠାରୁ ୬୮୧୭ ଭୋଟରେ ଆଗୁଆ ରହିଛନ୍ତି।
ଜୁଏଲ୍ ଏପର୍ଯ୍ୟନ୍ତ ପାଇଛନ୍ତି ୨୫୪୦୨ ଭୋଟ୍। ସେହିପରି ଦ୍ବିତୀୟ ସ୍ଥାନରେ ରହି ଜର୍ଜ ପାଇଛନ୍ତି ୧୮,୫୮୫। ବିଜେଡିର ସୁନିତା ବିଶ୍ବାଳ ୧୨,୨୨୦ ଭୋଟ୍ ପାଇଛନ୍ତି।
ସୁନ୍ଦରଗଡ଼ ଆସନରୁ ଜୁଏଲ୍ ଓରାମ୍ ୪ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ବାଲେଶ୍ଵରରେ ଚାଲିଛି ଦୋଳି ଖେଳ
ବାଲେଶ୍ବର ଆସନରେ ବିଜେଡି ଓ ବିଜେପି ଭିତରେ ଚାଲିଛି ଦୋଳି ଖେଳ। ଏଠାରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କଠାରୁ ମାତ୍ର ୧୬୬୩ ଭୋଟରେ ପଛୁଆ ଅଛନ୍ତି।
ରବୀନ୍ଦ୍ର ଜେନା ଏପର୍ଯ୍ୟନ୍ତ ପାଇଛନ୍ତି ୧୯,୭୮୩ ଭୋଟ୍। ସେହିପରି ପ୍ରତାପ ପାଇଛନ୍ତି ୨୧,୪୪୬। କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ୭୨୦୪ ଭୋଟ୍ ହାସଲ କରିଛନ୍ତି।
ବାଲେଶ୍ବରରେ ପ୍ରତାପ ଓ ରବୀନ୍ଦ୍ରଙ୍କ ଭିତରେ ଟକ୍କର ଚାଲିଛି। ଗତ ନିର୍ବାଚନରେ ଏହି ଆସନରେ ପ୍ରତାପ ଷଡଙ୍ଗୀକୁ ରବୀନ୍ଦ୍ର ଜେନା ହରାଇଥିଲେ। ଏଥର ବାଲେଶ୍ଵରରେ ମୋଦି ଲହର କାମ ଦେଉଛି କି ନାହିଁ ତାହା ଦେଖିବା କଥା।