ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ କାମ କଲାନି ଅମିତ ଶାହଙ୍କ ‘ମିଶନ-୧୨୦+’। ମାତ୍ର ୨୩ରେ ସନ୍ତୁଷ୍ଟ ରହିଲା ବିଜେପି।

‘‘ବିଜେପିର ଗଣିତ ବୁଝିପାରୁ ନାହାନ୍ତି ନବୀନ। ଆମ ଆକଳନ କେବେ ଭୁଲ୍ ହେବ ନାହିଁ। ଗତ ଜୁଲାଇରେ କହିଥିଲି ୧୨୦ରେ ଆସନରେ ଜିତିବୁ। ଆଜି ମଧ୍ୟ ଏହି ପ୍ରସଙ୍ଗକୁ ଦେହରାଉଛି। ଆମେ କେମିତି ୧୨୦+ ଆସନ ପାଇବୁ ତାହା ନିର୍ବାଚନ ଫଳ ବାହାରିବାର ସକାଳ ସାଢ଼େ ୧୦ଟାରେ ଜଣାପଡିବ। ଏଣୁ ନବୀନବାବୁ ଆଜିଠାରୁ ଗଣିବା ଶିଖନ୍ତୁ’’, ୨୦୧୭ରେ ଏହା ଥିଲା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବୟାନ।

୨୦୧୭ ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱର ପାଲହାଇଟ୍‌ସ୍‌ଠାରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିଲେ ଅମିତ ଶାହ। ବୁଦ୍ଧିଜୀବୀମାନଙ୍କୁ ଉଦବୋଧନ ଦେବା ସହ ନବୀନଙ୍କୁ ବିଜେପିର ଗଣିତ ବୁଝାଇଥିଲେ।

ହେଲେ ସେ ଗଣିତ କୁଆଡ଼େ ଗଲା ଏବଂ ମିଶନ-୧୨୦ କାହିଁକି ସଫଳ ହେଲାନି ବୋଲି ନିର୍ବାଚନ ଫଳ ବାହାରିବା ପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କାହିଁକି କାମ କଲାନି ଶାହଙ୍କ ମିଶନ?

ସବୁଠୁ ବଡ଼ କଥା ହେଉଛି ‘ମିଶନ-୧୨୦’ ବିଫଳ ହେବା ପାଇଁ ବିଜେପିର କିଛି ନେତା ଏବଂ ରାଜନୀତି ପର୍ଯ୍ୟବେକ୍ଷକ ମୁଖ୍ୟତଃ ତିନୋଟି କାରଣକୁ ଦାୟୀ କରୁଛନ୍ତି।

କାରଣ ନମ୍ବର ୧ – ବିଜେପି ଏଥର ୧୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା। ହେଲେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇ ନଥିବା ଅଭିଯୋଗ ହୁଏ। ଯେଉଁ କାରଣ ପାଇଁ ପ୍ରାର୍ଥୀଙ୍କ ଉପରେ ଭରସା କରିପାରିଲେନି ଭୋଟର। ମୋଦି ଲହର ଥିଲେ ମଧ୍ୟ ସ୍ଥାନୀୟ ପ୍ରାର୍ଥୀ ଭୋଟରଙ୍କ ମନ ଜିଣି ପାରିଲେ ନାହିଁ। ଫଳରେ ବିଜେପିର ମିଶନ ଫେଲ୍ ହେଲା ବୋଲି କୁହାଯାଉଛି।

କାରଣ ନମ୍ବର ୨- ଶାହଙ୍କ ମିଶନ ଫେଲ୍ ମାରିବାର ଦ୍ୱିତୀୟ କାରଣ ହେଉଛି ମୂଳ ଏବଂ ଆମଦାନୀ ନେତାଙ୍କ ମଧ୍ୟରେ ତାଳମେଳ ଅଭାବ। ଗତ ପାଞ୍ଚ ବର୍ଷ ହେଲା ବିଜେପି ସହ ମୂଳରୁ ଜଡ଼ିତ ଥିବା ନେତାମାନେ ୨୦୧୯ ନିର୍ବାଚନରେ ଟିକେଟ ନେବାକୁ ଆଶା କରିଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ଅନ୍ୟ ଦଳର ନେତାମାନେ ଆସି ବିଜେପିରେ ଯୋଗ ଦେଇ ଟିକେଟ ନେଇ ଚାଲିଗଲେ।

ଏହା ହିଁ ଦଳରେ ବିଭେଦ ସୃଷ୍ଟି କରିଥିଲା। ପାର୍ଟି ଅଫିସରୁ ପ୍ରାର୍ଥୀମାନେ ଟିକେଟ ନେଇ ଚାଲିଗଲେ ସତ, ହେଲେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ନେତା-ନେତାଙ୍କ ଭିତରେ ତାଳମେଳ ରହିଲାନି। ଯେଉଁଠି ଆମଦାନୀ ନେତା ନେତା ଟିକେଟ ପାଇଲେ ସେଠି ମୂଳ ବିଜେପି ନେତାଙ୍କ ଭିତରେ ଅସନ୍ତୋଷ ତେଜିଲା। ଯେଉଁଠି ମୂଳ ବିଜେପି ନେତା ଟିକେଟ ପାଇଲେ, ସେଠି ଆମଦାନୀ ନେତାଙ୍କର ସମର୍ଥନ ରହିଲାନି। ଫଳରେ ବିଜେପି ଫେଳ୍ ମାରିଲା।

କାରଣ ନମ୍ବର ୩ – ବିଜେପି ଓଡ଼ିଶାରେ ଫେଲ୍ ମାରିବାର ବଡ଼ କାରଣ ହେଉଛି ନେତୃତ୍ୱ ଅଭାବ। କାହା ନେତୃତ୍ୱକୁ ଭରସା କରି ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ ଏବଂ କାହାକୁ ଭରସା କରି ଭୋଟର ଓଡ଼ିଶା ବିଧାନସଭା ପାଇଁ ଭୋଟ ଦେବେ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଓଡ଼ିଶାର ଅଧିକାଂଶ ଭୋଟର ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଓଡ଼ିଶାବାସୀ ନିଜର ରାୟ ଦେଇଛନ୍ତି। ସେଥିପାଇଁ ୨୧ ଲୋକସଭା ଆସନରେ ଏଥର ବିଜେପି-ବିଜେଡି ଭିତରେ ହୋଇଥିଲା କଡ଼ା ଫାଇଟ୍। ୨୦୧୪ରେ ଗୋଟିଏ ଲୋକସଭା ଆସନ ପାଇଥିବା ବିଜେପି ୨୦୧୯ରେ ୮ଟି ଆସନ ପାଇବାରେ ସମର୍ଥ ହୋଇଛି।

ହେଲେ ୫୦ରୁ ୫୫ ବିଧାନସଭା ଆସନ ପାଇବାକୁ ଆଶା କରିଥିବା ବିଜେପି ମାତ୍ର ୨୩ଟି ଆସନ ପାଇବାର କାରଣ ହେଉଛି ଏଠି ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ଦଳ ଘୋଷଣା କରି ନଥିଲା।

ଏଣୁ ଓଡ଼ିଶାର ଭୋଟର ନବୀନଙ୍କ ପ୍ରତି ପୁଣିଥରେ ଢଳିଥିବା ଚର୍ଚ୍ଚା ହେଉଛି।

କାରଣ ନମ୍ବର ୪ – ବିଜେଡି ଭଳି ବିଜେପି ଆଜି ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ସଙ୍ଗଠନ ସୁଦୃଢ଼ କରିପାରିନି। ଅମିତ ଶାହ ବୁଥ୍ ଉପରେ ଗୁରୁତ୍ୱ ଦେଉଥିଲେ ହେଁ ଓଡ଼ିଶାର ବିଜେପି ନେତାମାନେ ବୁଥ୍ ସ୍ତରରେ ଯେଉଁଭଳି ସଙ୍ଗଠନ କରିବା କଥା ତାହା କରିପାରି ନଥିବା କୁହାଯାଉଛି। ଫଳରେ ବିଜେଡି ପୁଣିଥରେ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇବାରେ ସମର୍ଥ ହୋଇଥିବା ଆଲୋଚନା ହେଉଛି।

କେବେ ଉଠିଲା ମିଶନ-୧୨୦ କଥା?

୨୦୧୪ରେ ୧୦ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଖାତା ଖୋଲିବାରେ ସମର୍ଥ ହୋଇଥିବା ବିଜେପିର ଟାର୍ଗେଟରେ ଥିଲା ୨୦୧୯ ନିର୍ବାଚନ। ଏଥିପାଇଁ ଗତ ପାଞ୍ଚ ବର୍ଷ ତଳୁ ବିଜେପି ଓଡ଼ିଶାରେ ଅଭିଯାନ ଆରମ୍ଭ କରିଥିଲା।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଏହି ଅଭିଯାନ କିଛି ମାତ୍ରାରେ ସଫଳ ହୋଇଥିଲା। ଅର୍ଥାତ୍ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଥିଲା। ପଞ୍ଚାୟତ ନିର୍ବାଚନରେ ହିଁ ବିଜେପି ବିଜେଡିକୁ ନେକ୍ ଟୁ ନେକ୍ ଫାଇଟ୍ ଦେଇଥିଲା।

ପଞ୍ଚାୟତ ସଫଳତା ପରେ ବିଜେପି ୨୦୧୯ ନିର୍ବାଚନ ପାଇଁ ଆରମ୍ଭ କରିଥିଲା କସରତ। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ୨୦୧୭ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ‘ମୋ’ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରକମ ଶୁଭାରମ୍ଭ କରିବା ସହ ‘ମିଶନ୍-୧୨୦’ର ଲକ୍ଷ୍ୟ ରଖ୍‌ଥିଲେ।

୨୦୧୯ ନିର୍ବାଚନରେ ବିଜେପି ୧୨୦ରୁ ଅଧିକ ବିଧାନସଭା ଆସନ ପାଇ ସରକାର ଗଠନ କରିବାକୁ ଅମିତ ଶାହ କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହାର ଠିକ୍ ଗୋଟିଏ ମାସ ପରେ ତିନି ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଥିଲେ ଶାହ। ପାର୍ଟି ଅଫିସରେ ଦଳୀ କର୍ମକର୍ତ୍ତାଙ୍କୁ ନେଇ କବାଟକିଳା ବୈଠକ କରିବା ସହ ଜନତା ମଇଦାନରେ କର୍ମୀଙ୍କୁ ମନ୍ତ୍ର ଫୁଙ୍କିଥିଲେ। ଏସବୁ ସଭା ଏବଂ ବୈଠକରେ ଶାହ ମିଶନ-୧୨୦ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ। ବୁଥ୍ ସ୍ତରରୁ ସଙ୍ଗଠନ ସୁଦୃଢ଼ କରିବା ପାଇଁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।

ଅମିତ ଶାହଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଯେତେ ଥର ଓଡ଼ିଶା ଆସିଛନ୍ତି ସେମାନେ ମଧ୍ୟ ‘ମିଶନ୍-୧୨୦’ ଉପରେ ଜୋର୍ ଦେଇଥିଲେ। ହେଲେ ୨୦୧୯ ନିର୍ବାଚନ ଶେଷ ହୋଇଗଲା ପଛେ ବିଜେପି ଏବଂ ଶାହଙ୍କ ମିଶନ କାମ ଦେଲାନି।

ତେବେ ଅମିତ ଶାହଙ୍କ ମିଶନ ଓଡ଼ିଶାରେ କାହିଁକି ବିଫଳ ହେଲା ତାକୁ ନେଇ ରାଜନୀତି ପଣ୍ଡିତ କାରଣ ଖୋଜୁଛନ୍ତି।

Comment