ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘ଅବ୍‌ କି ବାର୍ ୩୦୦ ପାର୍’ – ଏହି ନାରାରେ କମ୍ପୁଛି ସାରା ଦେଶ। କାରଣ ଟାର୍ଗେଟଠାରୁ ଅଧିକ ଆସନରେ ବିଜେପି ଜିତିଛି ଏବଂ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୪ ନିର୍ବାଚନ ପରି ୨୦୧୯ରେ ମଧ୍ୟ ମୋଦି ଲହର କାମ କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଷ୍ଟ୍ରାଟେଜି ଏବଂ ନମୋ ମନ୍ତ୍ର ପୂରା ଦେଶରେ କାମ କରିଛି।

ବିଜେପି ନେତୃତ୍ୱାଧୀନ ଏନଡିଏ ୩୦୦ ଟପିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୯୦ରେ ସୀମିତ ରହିଛି। ଅନ୍ୟ କିଛି ସ୍ଥାନରେ ଭୋଟ ଗଣତି ଜାରି ରହିଥିବାରୁ ପୂରା ଚିତ୍ର ସ୍ପଷ୍ଟ ହୋଇନି। ରାତି ସାରା କିଛି ଭୋଟ ଗଣତି କେନ୍ଦ୍ରରେ ଗଣତି ଜାରି ରହିଛି।

ବାରଣାସୀରେ ମୋଦି, ଗାନ୍ଧି ନଗରରୁ ଅମିତ ଶାହ

ବିଜେପି ଆଜି ଐତିହାସିକ ବିଜୟ ହାସଲ କରିଛି। ଏହି କ୍ରମରେ ନରେନ୍ଦ୍ର ମୋଦି ଏବଂ ଅମିତ ଶହ ମଧ୍ୟ ବୃହତ ବିଜୟ ହାସଲ କରିଛନ୍ତି। ମୋଦି ବାରଣାସୀରୁ ୭୯ ହଜାର ୫୦୫ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଅମିତ ଶାହ ଗାନ୍ଧିନଗରରୁ ସାଢ଼େ ୫ ଲକ୍ଷ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ମୋଦି ଟୁଇଟ କରିଥିଲେ ଯେ ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ଆତ୍ମବିଶ୍ୱାସ ଯୋଗୁ ଏହି ବିଜୟ ସମ୍ଭବ ହୋଇଛି।

୨୦୧୪ରେ ଏନଡିଏ ପାଇଥିଲା ୩୩୬

୨୦୧୪ରେ ନରେନ୍ଦ୍ର ମୋଦି ବିଜେପିର ପୋଷ୍ଟରବୟ ସାଜିଥିଲେ। ସାରା ଦେଶ ବୁଲି ମୋଦି ପ୍ରଚାର କରିଥିଲେ। ମୋଦି ବ୍ରାଣ୍ଡରେ ୨୦୧୪ରେ ବିଜେପି ନିର୍ବାଚନ ବୈତରଣୀ ପାର୍ ହୋଇଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ୩୩୬ ଆସନ ପାଇଥିଲା। ବିଜେପି କେବଳ ୨୮୨ ଆସନରେ ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ଏନଡିଏ ୩୪୪ ଟପିବ ବୋଲି ଆଶା କରାଯାଉଛି।

ୟୁପିରେ କାମ କଲାନି ଅଖିଳେଶ-ମାୟାବତୀ ମେଣ୍ଟ

ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ବିଜେପିର ବିଜୟରେ ରୋକ୍ ଲଗାଇବା ପାଇଁ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଭିତରେ ମେଣ୍ଟ ହୋଇଥିଲା। ହେଲେ ଏହି ମେଣ୍ଟ କିଛି କାମ ଦେଇ ନଥିବା ଜଣାପଡ଼ିଛି। ଭାରତୀୟ ରାଜନୀତିରେ ସବୁବେଳେ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶରେ ବିଜେପି ଅଖିଳେଶ-ମାୟାବତୀଙ୍କ ମେଣ୍ଟକୁ ଚକ୍‌ମା ଦେଇଛି। ବିଜେପି ମୋଟ ୮୦ଟି ଆସନରୁ ୬୦ଟିରେ ଆଗୁଆ ରହିଛି। ୨୦୧୪ରେ ବିଜେପି ଉତ୍ତରପ୍ରଦେଶରେ ୭୧ଟି ଆସନ ପାଇଥିଲା।

ପାର୍ଟି ଅଫିସରେ ବିଜୟ ଉତ୍ସବ

ବିଜେପିର ଏହି ଐତିହାସିକ ବିଜୟ ପରେ ନୂଆଦିଲ୍ଲୀସ୍ଥିତି ବିଜେପି ପାର୍ଟି ଅଫିସରେ ଦଳୀୟ କର୍ମୀ ଏବଂ ନେତା ମନାଇଥିଲେ ବିଜୟ ଉତ୍ସବ। ଏହି ଉତ୍ସବରେ ସାମିଲ ହୋଇଥିଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ପାର୍ଟି ଅଫିସରେ ଉପସ୍ଥିତ କର୍ମୀଙ୍କୁ ଶାହ ଓ ମୋଦି ହାତ ହଲାଇ ଉତ୍ସାହିତ କରିଥିଲେ। ଏହାପରେ ମୋଦି ଏବଂ ଶାହ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ।

‘‘ମୁଁ ମୋ’ ପାଇଁ କିଛି କରିବି ନାହିଁ। ମୋ’ ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ। ଦେଶବାସୀ ମୋ’ ଉପରେ ଯେଉଁ ଭରସା କରିଛନ୍ତି ତାକୁ ମୁଁ ନିଶ୍ଚିତ ଭାବେ ପୂରଣ କରିବି। ବିରୋଧୀଙ୍କୁ ସାଙ୍ଗରେ ନେଇ ଚାଲିବି’’, କହିଛନ୍ତି ନରେନ୍ଦ୍ର ମୋଦି।

Comment