ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେପି ଟିକେଟରେ କେହି ଜିତନ୍ତୁ କି ନଜିତନ୍ତୁ, କିନ୍ତୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ନିଶ୍ଚିତ ଜିତିବେ ବୋଲି ଦୃଢ଼ ଆଶା ବାନ୍ଧିଥିଲା ବିଜେପି। କିନ୍ତୁ ଭୋଟ ଗଣତି ପରେ ବିଜେପି ହାତରୁ କେନ୍ଦ୍ରାପଡ଼ା ଖସି ଯାଇଛି।

ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ଆସନକୁ ନେଇ ବିଜେପିର ରାଜ୍ୟ ଓ କେନ୍ଦ୍ର ନେତାମାନେ ମନରେ ଯେଉଁ ଆଶା ବାନ୍ଧିଥିଲେ ତାହା ଭୋଟ ଗଣତି ପରେ ମଉଳି ଯାଇଛି। ବୈଜୟନ୍ତଙ୍କ ପରାଜୟ ବିଜେପି ପାଇଁ ବଡ଼ ଧକ୍କା ହୋଇଛି।

ବିଜେପିର ଉଭୟ କେନ୍ଦ୍ର ଏବଂ ରାଜ୍ୟ ନେତା ବୈଜୟନ୍ତଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

କେନ୍ଦ୍ରାପଡ଼ାରେ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ଅନୁଭବ ମହାନ୍ତି। ସେ ୧୫୨୫୮୪ ଭୋଟରେ ବିଜୟୀ ହୋଇଛନ୍ତି। ଅନୁଭବଙ୍କୁ ମୋଟ ୬୨୮୯୩୯ ଖଣ୍ଡ ଭୋଟ ମିଳିଛି, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବୈଜ୍ୟନ୍ତ ପଣ୍ଡଙ୍କୁ ୪୭୬୩୫୫ ଭୋଟ ମିଳିଛି.

ବାଜିରେ ଲାଗିଥିଲା କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉଭୟ ବିଜେପି ଏବଂ ବିଜେଡିର ସମ୍ମାନ ବାଜିରେ ଲାଗିଥିଲା। କେମିତି ଏହି ଆସନରୁ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବେ ତାକୁ ନେଇ ଜୋରଦାର ପ୍ରୟାସ କରିଥିଲେ ବିଜେପି ଏବଂ ବିଜେଡି। ହେଲେ ଶେଷରେ ବିଜେଡି ଏହି ଆସନକୁ ପୁଣିଥରେ ଅକ୍ତିଆର କରି ନେଇଛି।

ସବୁଠୁ ବଡ଼ କଥା ହେଉଛି ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ବୈଜୟନ୍ତ କେମିତି ଦୂରେଇଲେ ତାହା କାହାକୁ ଅଛପା ନାହିଁ। ଏଣୁ ବୈଜୟନ୍ତଙ୍କୁ ପରାଜିତ କରିବା ବିଜେଡିର ଥିଲା ଏକମାତ୍ର ଲକ୍ଷ୍ୟ।

ଏପଟେ ବିଜେପିରେ ଯୋଗ ଦେଉ ଦେଉ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି କରିବା ସହ ଟିକେଟ ଦେଇଥିଲା। ନରେନ୍ଦ୍ର ମୋଦି ମଧ୍ୟ ବୈଜୟନ୍ତଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଏଣୁ ବୈଜୟନ୍ତଙ୍କୁ ଜିତାଇବା ହିଁ ବିଜେପିର ଏକମାତ୍ର ଲକ୍ଷ୍ୟ ଥିଲା।

ବୈଜୟନ୍ତଙ୍କୁ ଟକ୍କର ଦେବା ଲାଗି ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଚାର ବେଳେ ‘ବେଇମାନ ଏବଂ ସ୍ୱାଭିମାନ’କୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ଶେଷରେ ବିଜେଡି ବାଜି ମାରି ନେଇଛି।

କେନ୍ଦ୍ରାପଡ଼ାକୁ ନେଇ କେତେ କଥା

ପ୍ରଚାର ବେଳେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ କେତେ କଥା ଘଟିଥିଲା। ସିଧାସଳଖ ମୋଦି ଏବଂ ନବୀନ ତୀର ମରାମରି ହୋଇଥିଲେ। ମୋଦି କେନ୍ଦ୍ରାପଡ଼ା ପ୍ରଚାର କରିବାକୁ ଆସିଥିବା ବେଳେ ବୈଜୟନ୍ତଙ୍କ ଉପସ୍ଥିତିରେ ନବୀନଙ୍କୁ ସିଧାସଳଖ ତୀର ମାରିଥିଲେ। କହିଥିଲେ, “ନବୀନ ବାବୁ ତମେ ସମ୍ମାନର ସହ ରାଜନୀତିରୁ ବିଦାୟ ନେଇଯାଅ’’। ଏହାର ଜବାବ ମଧ୍ୟ ଦେଇଥିଲେ ନବୀନ।

ମୋଦି କେନ୍ଦ୍ରାପଡ଼ା ସଭାରେ ମାରିଥିବା ବାଣର ଜବାବ ନବୀନ ବାଲେଶ୍ବର ସଭାରେ ଦେଇଥିଲେ। ନବୀନ କହିଥିଲେ ଯେ “ଆମ ଶପଥ ଗ୍ରହଣ ଉତ୍ସବକୁ ଆପଣଙ୍କୁ ନିମନ୍ତ୍ରଣ ରହିଲା’’।

ମୋଦି ଏବଂ ନବୀନଙ୍କ କଥା କଟାକଟିକୁ ନେଇ ରାଜନୀତି ସରଗରମ ରହିଥିଲା।

ନିର୍ବାଚନ ପରେ ବିଭିନ୍ନ ନ୍ୟୁଜ ଚ୍ୟାନେଲ ଏବଂ ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ୍ କରିଥିଲେ। ଓଡ଼ିଶାରେ ୧୨ରୁ ଅଧିକ ଲୋକସଭା ଆସନ ବିଜେପି ପାଇବ ବୋଲି ଆକଳନ କରିଥିଲେ। ଏଥିରେ ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ଆସନ ବି ରହିଥିଲା। ଏଣୁ ବିଜେପି ଦୃଢ଼ ନିଶ୍ଚିତ ଥିଲା ଯେ ବୈଜୟନ୍ତ ଏଥର ନିଶ୍ଚିତ ଜିତିବେ। ହେଲେ ଶେଷରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ନିରାଶ ହେବାକୁ ପଡ଼ିଛି।

Comment