ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଯୋଡି ଅଭୂତପୂର୍ବ ସଫଳତା ହାସଲ କରିବା ପରେ ଏବେ କେନ୍ଦ୍ରରେ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ମୋଦି ଯେତେବେଳେ ନୂଆ ସରକାର ଗଠନ କରିବେ ତାହା ନିଶ୍ଚିତ ଭାବରେ ପ୍ରଥମ ପାଳି ସରକାର ଭଳି ଏକ ବଡ଼ ସରକାର ହେବ। ଯେହେତୁ ବିଜେପି ନିଜେ ସନ୍ତୋଷଜନକ ଆସନରେ ବିଜୟ ଲାଭ କରିଛି, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଜେପିର ହିଁ ଅଧିକାଂଶ ମନ୍ତ୍ରୀ ରହିବା ଆଶା କରାଯାଉଛି। ଏଥର ସହଯୋଗୀ ଦଳ ମାନଙ୍କୁ ବେଶୀ ମନ୍ତ୍ରୀ ପଦ ନମିଳିପାରେ।

ଓଡ଼ିଶାରୁ ମୋଦି ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାର ଆକଳନ ଏବେ ଆରମ୍ଭ ହୋଇଯାଇଛି।କଳ୍ପନା ଜଳ୍ପନା ଚାଲିଛି ଯେ ଓଡିଶାରୁ ଯେଉଁ ଆଠ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣ ନିଶ୍ଚିତ ଭାବରେ ମନ୍ତ୍ରୀ ପଦ ପାଇବେ।

ଏମାନଙ୍କ ମଧ୍ୟରେ ଅଛନ୍ତି ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା। ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଗତ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଏ ଦୁଇ ଜଣ ପୁଣି ଥରେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି।ତେବେ ସୁରେଶ ପୂଜାରୀ ଅପରାଜିତା ଷଡ଼ଙ୍ଗୀ ଓ ବସନ୍ତ ପଣ୍ଡାଙ୍କ ମଧ୍ୟରୁ କାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ସାମିଲ କରିବେ ତାହା ଅପେକ୍ଷା କରି ଦେଖିବାକୁ ହେବ।

ଅପରାଜିତା ଜଣେ କେନ୍ଦ୍ର ସଚିବ ରହି ସାରିଛନ୍ତି।ଏଣୁ ତାଙ୍କର ଅଭିଜ୍ଞତାକୁ କାମରେ ଲଗାଇବା ପାଇଁ ମୋଦି ନିଶ୍ଚିତରେ ଚାହିଁବେ।ସେହିଭଳି ସୁରେଶ ପୂଜାରୀ ଦଳର ଜଣେ ବରିଷ୍ଠ ନେତା।