ନୀଳାମ୍ବର ରଥ

‘ଜାବୁଡ଼ି ଧରିଥିବା କୌଣସି ଜିନିଷକୁ ହରାଇବାରେ ହିଁ ଅଧିକ ଦୁଃଖ ଥାଏ’ – ଏହି ଧାଡ଼ିଟି ଏକ ଦାର୍ଶନିକ ତତ୍ତ୍ୱ ବୋଲି କହିଲେ ଭୁଲ୍ ହେବ ନାହିଁ। ଅର୍ଥାତ୍ ମଣିଷ ଯେତେବେଳେ କୌଣସି ଜିନିଷ ପ୍ରତି ଅଧିକ ଆସକ୍ତ ହୋଇପଡ଼େ ସେତେବେଳେ ସେହି ଜିନିଷଟି ହରାଇବାର ଭୟ ତା’ ମନରେ ଅଧିକ ଘାରିଥାଏ। ଆସକ୍ତି ଯେତେ କମ୍ ଥାଏ ହରାଇବାର ଦୁଃଖ ସେତେ କମ୍। ଏହି ମର୍ମରେ ଏକ ଟୁଇଟ୍ କରିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସଦ୍ୟ ହାରିଥିବା ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ତାଙ୍କ ଅନୁଗାମୀମାନଙ୍କୁ ଶୁଭରାତ୍ରୀ ଜଣାଇବା ପୂର୍ବରୁ ଶୁକ୍ରବାର ଦିନ ଏହି ଟୁଇଟ୍‌ଟି କରିଥିଲେ। ଅର୍ଥାତ୍ କେନ୍ଦ୍ରାପଡ଼ା ଫଳାଫଳ ଆସିବାର ଗୋଟିଏ ଦିନ ପରେ ସେ ଏହି ବାର୍ତ୍ତା ସୋସିଆଲ୍ ମିଡିଆ ମାଧ୍ୟମରେ ଛାଡ଼ିଛନ୍ତି। କେନ୍ଦ୍ରାପଡ଼ାରୁ ବୈଜୟନ୍ତଙ୍କ ବିଜୟ ଏଥର ଥୁଆ ବୋଲି ଯେଉଁମାନେ ବିଚାର କରୁଥିଲେ ସେମାନେ ଏକ ଝଟ୍‌କା ଖାଇଛନ୍ତି। ସେ ଭିତରେ ଅଛନ୍ତି ବୈଜୟନ୍ତ, ବିଜେପି ଦଳ ଏବଂ ବୈଜୟନ୍ତଙ୍କୁ ଭଲ ପାଉଥିବା ଅନେକ ଲୋକ। ତେବେ ରାଜନୀତିରେ, ବିଶେଷକରି ଭୋଟ୍ ରାଜନୀତିରେ ଯେ, କୌଣସି ଗ୍ୟାରେଣ୍ଟି ନାହିଁ ଏବେ ସେମାନେ ଏକଥା ବୁଝିଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଫଳାଫଳ ଆସିବା ପୂର୍ବରୁ ବୈଜୟନ୍ତ ମିଡିଆକୁ କହିଥିଲେ ଯେ କେନ୍ଦ୍ରାପଡ଼ାବାସୀଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି। ସେ କେନ୍ଦ୍ରାପଡ଼ା ପାଇଁ କାମ କରି ଆସୁଛନ୍ତି। ତେଣୁ କେନ୍ଦ୍ରାପଡ଼ାର ଭୋଟର୍ ତାଙ୍କୁ ନିରାଶ କରିବେ ନାହିଁ। ତେବେ ବୈଜୟନ୍ତଙ୍କ ଏହି ଆଶା ଆଶାରେ ହିଁ ରହିଗଲା। ତାଙ୍କୁ ବିଜେଡିର ଅନୁଭବ ମହାନ୍ତି ଦେଢ଼ଲକ୍ଷରୁ ଅଧିକ ଭୋଟ୍‌ରେ ହରାଇ ନିର୍ବାଚିତ ହେଲେ।

ଫଳାଫଳ ଆସିବା ପରେ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କ ମତକୁ ସ୍ୱୀକାର କରିଥିଲେ। ସେ ଟୁଇଟ୍ କରି କେନ୍ଦ୍ରାପଡ଼ାର ଭୋଟରମାନଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚିତ ସାଂସଦ ଅନୁଭବଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିର୍ବାଚନ ପୂର୍ବରୁ ଲଗାତାର ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତୃତୀୟ ମହଲାକୁ ତୀର ମାରୁଥିବା ବୈଜୟନ୍ତ ଭୋଟ୍‌ରେ ବିଜେଡରି ଅଭୂତପୂର୍ବ ସଫଳତା ପରେ ନବୀନ ବାବୁଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲିନଥିଲେ।

ଫେରିବା ବୈଜୟନ୍ତଙ୍କ ସେହି ଦାର୍ଶନିକସୁଲଭ ଟୁଇଟ୍ ପାଖକୁ। ଏହି ଟୁଇଟ୍‌ ସହିତ ସେ ଯେଉଁ ଭିଜୁଆଲ୍ ବା ଛବିଟି ଯୋଡ଼ିଛନ୍ତି ସେଥିରେ ରହିଛି ବୁଦ୍ଧଙ୍କ ଚିତ୍ର। ପରମ କାରୁଣିକ ବୁଦ୍ଧ କହିଥିଲେ ‘କାମନାର ବିନାଶରେ ହିଁ ଦୁଃଖର ବିନାଶ’ । ଅର୍ଥାତ୍ ଜଣେ ବ୍ୟକ୍ତି ଯଦି କାମନା ବା ଆଶାଠାରୁ ଉର୍ଦ୍ଧ୍ୱକୁ ଚାଲିଯାଇପାରେ ତେବେ ତା ପାଇଁ ହାରିବା ଓ ଜିତିବା  ଭିତରେ ବିଶେଷ ଫରକ ପଡ଼େ ନାହିଁ! ବୈଜୟନ୍ତ ପଣ୍ଡା  ସମ୍ଭବତଃ ଏହି ଫଳାଫଳକୁ ଗ୍ରହଣ କରିବା ସହ ଆଗାମୀ ସମୟକୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ବେଳେ ଅନ୍ତର୍ମୁଖୀ ହୋଇପଡ଼ିଛନ୍ତି।

ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ କହିଥିଲେ କର୍ମ କରି ଚାଲ। ଫଳ ପାଇଁ ଆସକ୍ତ ହୁଅ ନାହିଁ। ଏହି ଦାର୍ଶନିକ ତତ୍ତ୍ୱ ମଣିଷର ହାରିବାର ଦିନ, ଦୁଃଖର ଦିନ, ହତାଶାର ଦିନ ବା ଅଭାବର ଦିନ ବେଳେ କାମରେ ଆସିପାରେ।

ସାଧାରଣତଃ ରାଜନୈତିକ ଆଦର୍ଶ (ପଲିଟିକାଲ୍ ଫିଲୋସଫି) ଏବଂ  ଜଣେ ବ୍ୟକ୍ତିର ନିଜସ୍ୱ ଆଦର୍ଶ ଭିତରେ ତାଳମେଳ ନ ରହିଲେ ରାଜନୀତିରେ ଆତ୍ମସନ୍ତୋଷ ଲାଭ କରିବା ହୁଏତ ସମ୍ଭବପର ନୁହେଁ। ଭୋଟ୍ ରାଜନୀତିରେ ବା କ୍ଷମତା ରାଜନୀତିରେ ପାଇବା ଓ ହରାଇବା କିମ୍ବା ହାରିବା ଓ ଜିତିବା ଏକ ଗତିଶୀଳ ପ୍ରକ୍ରିୟା। ତେବେ ସବୁଠାରୁ ବଡ଼ କଥା ହେଉଛି  ହାରିବା ପରେ ଜଣେ ବ୍ୟକ୍ତି ତା ଜୀବନର ପରବର୍ତ୍ତୀ କାର୍ଯ୍ୟଧାରାକୁ କିଭଳି ଭାବରେ ପରିଚାଳିତ କରୁଛି। ବିଜେଡି ସହ ଲମ୍ବା ଲଢ଼େଇ ଆରମ୍ଭ କରି ଦଳରୁ ବିଦା ହେବା ଏବଂ ନିର୍ବାଚନରେ ପରାଜିତ ହେବା ଭଳି ଦୁଇଟି ଶକ୍ତ ଧକ୍କା ଖାଇଛନ୍ତି ବୈଜୟନ୍ତ। ଆଗକୁ ଦେଖିବା କଥା କ’ଣ ହେବ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ।

ବିଜେଡିରୁ ବିତାଡ଼ିତ ହେବା ପରେ କେଉଁ ଦଳରେ ଯୋଗଦେବେ ବା ତାଙ୍କ ରାଜନୈତିକ ଲକ୍ଷ୍ୟ କ’ଣ ହେବ ଏଥିପାଇଁ ବେଶ୍ କିଛି ସମୟ ନେଇଥିଲେ ବୈଜୟନ୍ତ ପଣ୍ଡା। ସେ ବିଜେପିକୁ ଯିବେ କି କଂଗ୍ରେସକୁ, କିମ୍ବା ନିଜେ ଏକ ଦଳ ଗଢ଼ିବେ – ଏହି ତିନୋଟି କଥା ଲଗାତାର ଭାବେ ଚର୍ଚ୍ଚା ହୋଇଥିଲା। ହେଲେ ଶେଷରେ ବୈଜୟନ୍ତ ହାତରେ ପଦ୍ମ ଧରିବାକୁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତି ତାଙ୍କ ରାଜନୈତିକ କ୍ୟାରିୟରର ଏକ ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା। ବିଜେପି ତାଙ୍କୁ ଜାତୀୟସ୍ତରରେ ଉପସ୍ଥାପନ କରିବା ପାଇଁ ଦଳର ଉପସଭାପତି କରିବା ସହ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା। ତାଙ୍କ ଉପରେ ମଧ୍ୟ ଦେଶର ବିଭିନ୍ନ ଗଣମାଧ୍ୟମର ନଜର ରହିଥିଲା। ଏହି ପରିବର୍ତ୍ତିତ ପରିସ୍ଥିତିରେ ବୈଜୟନ୍ତ ଆଗକୁ କ’ଣ ନିଷ୍ପତ୍ତି ନେଉଛନ୍ତି ଏବଂ ଦଳ ତାଙ୍କ ପାଖରେ କିପରି ଠିଆ  ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

କେନ୍ଦ୍ରାପଡ଼ା ଆସନରୁ ହାରିବା ପରେ ବୈଜୟନ୍ତ ଗୋଟିଏ ଟୁଇଟ୍‌ର ଜବାବରେ ଯାହା ଲେଖିଥିଲେ ତାହା ଗୁରୁତ୍ୱପୂର୍ଣ୍ଣ। ଜଣେ ଭଦ୍ରବ୍ୟକ୍ତି ଟୁଇଟ୍ କରି ଓଡ଼ିଶାରେ କେନ୍ଦ୍ରାପଡ଼ା ଆସନରୁ ବୈଜୟନ୍ତ ଓ ପୁରୀ ଆସନରୁ ଡକ୍ଟର ସମ୍ବିତ୍ ପାତ୍ରଙ୍କ ପରାଜୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଲେଖିଥିଲେ ଯେ ଓଡ଼ିଶାରେ  ଇଭିଏମ୍‌ରେ  କିଛି ତ୍ରୁଟି ରହିଛି ନହେଲେ ବିଜେପିର ଏହି ଦୁଇ ଟାଣୁଆ  ନେତା ଭୋଟ୍‌ରେ ହାରିବା କଥା ନୁହେଁ। ଏହାର ଉତ୍ତର ଦେଇ ବୈଜୟନ୍ତ ଯାହା ଲେଖିଥିଲେ ତାହାର ମର୍ମ ହେଉଛି ଓଡ଼ିଶାରେ ଇଭିଏମ୍‌ର କୌଣସି ଦୋଷ ନାହିଁ। ତାଙ୍କ ହାରିବା ପଛର ଅଲଗା କାରଣ ରହିଛି। ବରିଷ୍ଠ ରାଜନେତା ବୈଜୟନ୍ତ ଏବେ ସେହି କାରଣ ଖୋଜିବା ପାଇଁ ଚେଷ୍ଟା କରୁଥିବେ ନିଶ୍ଚୟ।

କେନ୍ଦ୍ରାପଡ଼ା ଓଡ଼ିଶା ରାଜନୀତିର ଏକ କଷଟିପଥର ବୋଲି ବାରମ୍ବାର ପ୍ରମାଣ ଦେଇଛି। ଏହି କଥା ବିଜେଡି ନେତାମାନେ  କହି ଆସୁଛନ୍ତି। ରାଜ୍ୟର ଭୋଟରମାନଙ୍କ ଉପରେ ନବୀନଙ୍କ ପ୍ରଭାବ, ଅଭିନେତା ଅନୁଭବଙ୍କ ଷ୍ଟାର୍ ଇମେଜ୍, ବିଶେଷକରି ବିଜେଡି ନେତା ଓ କର୍ମୀଙ୍କ  ଷ୍ଟ୍ରାଟେଜି କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ହରାଇ ଅନୁଭବଙ୍କୁ ଜିତାଇବା ପଛର ପ୍ରମୁଖ କାରଣ। ତା’ ସାଙ୍ଗକୁ କେନ୍ଦ୍ରାପଡ଼ାର ‘ମୋଦି ଲହର’ କୌଣସି ପ୍ରଭାବ ପକାଇ ପାରିଲା ନାହିଁ। ତେଣୁ  ସେହି ଆସନରୁ ଅତୀତରେ ଲୋକସଭାକୁ ବାରମ୍ବାର ପ୍ରତିନିଧିତ୍ୱ କରୁଥିବା ସତ୍ତ୍ୱେ ବୈଜୟନ୍ତ ଏଥର ନିର୍ବାଚନ ବୈତରଣୀ ପାର ହୋଇପାରିଲେ ନାହିଁ।

ବେପାର ବଣିଜ ହେଉ କି ରାଜନୀତି, ‘ବ୍ରାଣ୍ଡ୍‌’ ଏକ ବଡ଼ ଜିନିଷ। ମୋଦି ତାଙ୍କ ବ୍ରାଣ୍ଡରେ ଜିତି ଦିଲ୍ଲୀ ପାଇଁ ଏକକ ସଂଖ୍ୟା ଗରିଷ୍ଠତା ପାଇଲେ। ଓଡ଼ିଶାରେ ନବୀନ ତାଙ୍କ ବ୍ରାଣ୍ଡ୍‌ର କମାଲ ଦେଖାଇଲେ। ହେଲେ ଏହି ପ୍ରତିଯୋଗିତା ଭିତରେ କିଏ ଜିତିଲେ, କିଏ ହାରିଲେ ତା’କୁ ନେଇ ଚାଲିଛି ଚର୍ଚ୍ଚା। ତେଣୁ ଏଥର କେନ୍ଦ୍ରାପଡ଼ା ପଳାଫଳକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ହୁଏତ ଅନୁଧ୍ୟାନ କରିବାକୁ ଚାହିଁବେ ଯେ ନିର୍ବାଚନରେ ଗୋଟିଏ ଦଳ ଓ ତା’ର ଦଳପତିଙ୍କ ବ୍ରାଣ୍ଡରେ ସବୁ ଚାଲେ ନା ପ୍ରାର୍ଥୀଙ୍କର ନାମ ଓ କାମ କିଛି ଗୁରୁତ୍ୱ ବହନ କରେ!

ବାସ୍ତବିକ କେନ୍ଦ୍ରାପଡ଼ା ଏକ ପଲିଟିକାଲ୍ କେସ୍ ଷ୍ଟଡି – ବିଜେପି ପାଇଁ, ବିଜେଡି ପାଇଁ ବି!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ସମ୍ପାଦକ)

Comment