ଓଡ଼ିଶାଲାଇଭ ବ୍ୟୁରୋ

(ନୂଆପଡାରୁ ନନ୍ଦିଘୋଷ ଖମାରି ): -ଜାତୀୟ ରାଜପଥକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନେକ ଯୋଜନା ମାନ କରୁଛନ୍ତି। ମାତ୍ର ଏହି ଯୋଜନା କେତେ କାମ କରୁଛି ତାହା ନୂଆପଡ଼ା ଜିଲ୍ଲାର ୩୫୩ ନମ୍ବର ଜାତୀୟ ରାଜପଥରେ ଚାଲିଥିବା କାମକୁ ଦେଖିଲେ ସହଜରେ ଅନୁମାନ କରିହେବ।

ନୂଆପଡା ଜିଲ୍ଲା  କୁରୁମପୁରୀ  ଠାରୁ  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା  ପର୍ଯ୍ୟନ୍ତ  ୬୭ କିମି ରାଜ ରାସ୍ତାକୁ ତିଆରି  କରିବା ପାଇଁ ଆନ୍ଧ୍ରପ୍ରଦେଶର ଜିଭିଆର ନାମକ ଏକ ଠିକା କମ୍ପାନୀ ହାତକୁ ନେଇ ରାଜପଥ କାମକୁ ଦୁଇ ବର୍ଷ  ମଧ୍ୟରେ ଶେଷ  କରିବା ପାଇଁ  ଚୁକ୍ତି ରଖିଥିଲା। ହେଲେ ଠିକାଦାର ଅଧା ରୁ କମ  କାମ କରି ଅଂଚଳରୁ ଚମ୍ପଟ ମାରିବାରୁ ପ୍ରସାଶନ ଅନ୍ୟ ଏକ କମ୍ପାନୀକୁ କାମ ଶେଷ କରିବା ପାଇଁ ଦାଇତ୍ୱ ଦେଇଥିଲା।

ହେଲେ ସ୍ଥିତି “ଯଥା ପୂର୍ବମ  ତଥା  ପରମ” ଭଳି।  ଏହି ଠିକା କମ୍ପାନୀ ମଧ୍ୟ  କାମକୁ ଅଧା ରେ ପକାଇ ସମ୍ପୂର୍ଣ ବନ୍ଦ କରି ଦେବା ଫଳରେ ଲୋକେ ନାହିଁ ନଥିବ ଅସୁବିଧା ଭୋଗ କରୁଛନ୍ତି। ଆଗକୁ ବର୍ଷାଦିନ ଆରମ୍ଭ ହେବାକୁ ଥିବାବେଳେ ଲୋକେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାସ୍ତାର  ବିଭିନ୍ନ ସ୍ଥାନରେ  ପୋଲ ନିର୍ମାଣ ପାଇଁ ୩ ବର୍ଷ ତଳୁ ରାସ୍ତା ଖୋଳାଯାଇଛି । ଯେଉଁଥିପାଇଁ ଲୋରେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରତି ଦିନ ହଜାର ହଜାର ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତା ସାରା ଖାଲଖମା ସାଙ୍ଗକୁ ପଡିରହିଛି ବାଲି, ମୋରମ, ଚିପ୍ସ । ଗାଡି ଯିବା ଆସିବା ସମୟରେ ପ୍ରବଳ ମାତ୍ରାରେ ଧୂଳି ଉଡୁଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାର  ସମାଧାନ ନିମନ୍ତେ  କୋମନା, ତରବୋଡ଼, ଉଦ୍ୟାନବନ୍ଦ  ତଥା କୁରୁମପୁରୀ ବାସୀ ଜିଲ୍ଲା ପ୍ରସାଶନ କୁ ବିଗତ ସପ୍ତାହରେ ଭେଟି ସାତ ଦିନ ଭିତରେ କାମ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

ଏହା ଭିତରେ ଗୋଟିଏ ସପ୍ତାହ ବିତିଥିଲେ ବି ପ୍ରଶାସନ ତରଫରୁ ସେମିତି କୌଣସି କାମ ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ଆସନ୍ତାକାଲିଠୁ ଅନିର୍ଦିଷ୍ଟ  କାଳ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ବାଞ୍ଜିବାହାଲ ଜାତୀୟ ରାଜପଥକୁ ଅବରୋଧ କରିବେ କହିଛନ୍ତି।

ତେବେ ଏହାରିଭିତରେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ୩୫୩ ନମ୍ବର ରାସ୍ତା ନିର୍ମାଣ ପାଇଁ ତତ୍ପରତା ଦେଖାଉଛି ଓ ଲୋକେ ଏହାର ସୁଫଳ ପାଇପାରୁଛନ୍ତି।

Comment