ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନରେ ଅର୍ଥ ଶକ୍ତି କାମ କରେ ବୋଲି ଯେଉଁ ଧାରଣା ରହିଆସିଛି,ଅନ୍ତତଃ ୨୦୧୯ ନିର୍ବାଚନରେ ତାହା ଭୁଲ ପ୍ରମାଣିତ ହୋଇଛି। ପଇସା ପାଖରେ ଥିଲେ ଯେ ନିର୍ବାଚନ ଜିତି ହେବ ଏହି ସିଦ୍ଧାନ୍ତ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପଲଟି ମାରିଛି। ଏଥର ନିର୍ବାଚନରେ ଓଡିଶାରୁ ଉଭୟ ଲୋକସଭା ଓ ବିଧାନସଭା ପାଇଁ  ପ୍ରାୟ ୧୦୦ ଜଣ କୋଟିପତି ମଇଦାନକୁ ଓହ୍ଲାଇଥିଲେ।

ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳକୁ ଯଦି ତର୍ଜମା କରାଏ ଅନେକ ହେଭିୱେଟ ନିର୍ବାଚନ ହାରିଛନ୍ତି। ସମ୍ପତ୍ତି ତାଲିକା ଘୋଷଣା କରିଥିବା ସାଂସଦ ପ୍ରାର୍ଥୀଙ୍କ ଭିତରୁ ପ୍ରଥମେ ନବଜ୍ୟୋତି ପଟ୍ଟନାୟଙ୍କ କଥା ଦେଖାଯାଉ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତିଙ୍କ ସମ୍ପତ୍ତି ୧୦୪ କୋଟି। ସେ ବିଜେଡିର ରବୀନ୍ଦ୍ର ଜେନାଙ୍କ ସହ  ବାଲେଶ୍ୱରରୁ ଲଢୁଥିଲେ ଯାହାଙ୍କ ସମ୍ପତ୍ତି ୭୨ କୋଟି। ଉଭୟେ ନିର୍ବାଚନରେ ଚିତପଟାଙ୍ଗ ମାରିଛନ୍ତି । ସେହିଭଳି କେନ୍ଦ୍ରାପଡା ଆସନରୁ ଲଢ଼ିଥିବା ବୈଜୟନ୍ତ ପଣ୍ଡାଙ୍କ ମୋଟ ସମ୍ପତ୍ତି ୫୮ କୋଟି। ସେ ବି ବିଫଳ ହୋଇଛନ୍ତି।

ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଲଢ଼ିଥିବା ଚନ୍ଦ୍ରଶେଖର ନାଇଡୁଙ୍କ ସମ୍ପତ୍ତି ୩୬ କୋଟି ହୋଇଥିବା ବେଳେ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓଙ୍କ ସମ୍ପତ୍ତି ୨୦କୋଟି। ନବରଙ୍ଗପୁର ପ୍ରାର୍ଥୀ ବଳଭଦ୍ର ମାଝୀ ୯ କୋଟି,ଢେଙ୍କାନାଳର କମାକ୍ଷା ସିଂହଦେଓ ୧୫ କୋଟି,କଟକର ପ୍ରକାଶ ମିଶ୍ର ୯ କୋଟି ଓ ସମ୍ବଲପୁର ଆସନରୁ ହାରିଥିବା ନଳିନୀ ପ୍ରଧାନଙ୍କ ସମ୍ପତ୍ତି ୮ କୋଟି ବୋଲି ଘୋଷଣାପତ୍ରରେ ଉଲ୍ଲେଖ ରହିଛି।

ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଥିବା କୋଟିପତିଙ୍କ ଭିତରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ ଯାହାଙ୍କ ସମ୍ପତ୍ତି ହେଉଛି ୬୦ କୋଟି। ସବୁଠୁ ଆଶ୍ଚର୍ଯ୍ୟ ବଡ଼ମ୍ବା କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତିଙ୍କ ସମ୍ପତ୍ତି ହେଉଛି ୧୦୭ କୋଟି। କିନ୍ତୁ ସେ ମାତ୍ର ୬୨୨୪ ଭୋଟ ପାଇଛନ୍ତି। ଜଗତସିଂହପୁର ଆସନରୁ ଲଢ଼ିଥିବା ଚିରଞ୍ଜୀବ ବିଶ୍ୱାଳ ୩୪ କୋଟି ଟଙ୍କାର ମାଲିକ ଅଥଚ ଏଥର ଜିତି ପାରିନାହାନ୍ତି। ଅନ୍ୟ ଦୁଇ ଜଣ ଯେଉଁମାନଙ୍କର ପ୍ରଚୁର ସମ୍ପତ୍ତି କିନ୍ତୁ ନିର୍ବାଚନ ହାରିଛନ୍ତି ସେମାନେ ହେଲେ କନକ ବର୍ଦ୍ଧନ ସିଂହଦେଓ ଓ ଜୟଲଲ ବେହେରା।

Comment