ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏଥର ଓଡ଼ିଶାରେ ୨୧ ଲୋକସଭା ଆସନ ମଧ୍ୟରୁ ୧୨ଟିରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏହି ୫ ମହିଳାଙ୍କ ମଧ୍ୟରୁ ଜଣେ ନାଁ କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ସେ ହେଉଛନ୍ତି କେନ୍ଦୁଝରର ନବ ନିର୍ବାଚିତ ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ।

କେବଳ ରାଜ୍ୟରେ ନୁହେଁ ଚନ୍ଦ୍ରାଣୀଙ୍କୁ ନେଇ ଏବେ ଜାତୀୟ ରାଜନୀତିରେ ବି ଅନେକ ଚର୍ଚ୍ଚା ହେଉଛି।

ଚର୍ଚ୍ଚାର କାରଣ ହେଉଛି ଚନ୍ଦ୍ରାଣୀ ମାତ୍ର ୨୫ ବର୍ଷ ବୟସରେ କେନ୍ଦୁଝରର ସାଂସଦ ଭାବେ ବିଜେଡି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି।  ମେ’ ୨୯ରେ ଶପଥ ନେବାପରେ ସେ ଲୋକସଭାରେ ସବୁଠୁ କମ ବୟସ୍କ ସଦସ୍ୟା ହେବେ।

ଚନ୍ଦ୍ରାଣୀ ବିଜେପିର ଦୁଇଥର ସାଂସଦ ଥିବା ଅନନ୍ତ ନାୟକଙ୍କୁ ୬୬, ୨୦୩ ଭୋଟ ବ୍ୟବଧାନରେ ହରାଇଛନ୍ତି ବିଜୟୀ ହୋଇଛନ୍ତି।

ନିର୍ବାଚନ ଜିତିବାପରେ ଗଣମାଧ୍ୟମକୁ ପତ୍ରିକ୍ରିୟା ଦେଇ ଚନ୍ଦ୍ରାଣୀ କହିଛନ୍ତି, ‘‘ କେନ୍ଦୁଝରର ଯାହାବି ମୌଳିକ ସମସ୍ୟା ଅଛି ଦିଲ୍ଲୀ ଦରବାରରେ ତାହା ଉପସ୍ଥାପନ କରିବି। ନିଜ ଅଞ୍ଚଳର ଉନ୍ନତି ପାଇଁ ଯଥା ସମ୍ଭବ ଚେଷ୍ଟା କରିବି। କେନ୍ଦୁଝର ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ କିଛି ପଦକ୍ଷେପ ନିଆଯାଉ ଦିଲ୍ଲୀ ଦରବାରରେ ଦାବି ରଖିବି।’’

ଚନ୍ଦ୍ରାଣୀଙ୍କ ଘର କେନ୍ଦୁଝର ଜିଲ୍ଲା ଟିକରଗୁମୁରା ଗାଁରେ। ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ। ଏସଓଏ ବିଶ୍ୱ ବିଦ୍ୟାଳୟରେ (୨୦୧୭)ସେ ମେକାନିକାଲ ଇଞ୍ଜିନିୟରିଂରେ ଅଧ୍ୟୟନ କରିଛନ୍ତି।

ଇଞ୍ଜିନିୟରିଂ ସରିବା ପରେ ଚାକିରି ଖୋଜୁଥିଲେ ଚନ୍ଦ୍ରାଣୀ। ମାତ୍ର କୁହାଯାଏ ଭାଗ୍ୟରେ ଯାହାଥାଏ ଆମେ ତାହା ହିଁ ପାଇଥାଉ। ଠିକ୍ ସେହିପରି ଚନ୍ଦ୍ରାଣୀଙ୍କ ଭାଗ୍ୟରେ ଥିଲା ଅଲଗା କିଛି ଆଉ ସେ ଏହାରି ଭିତରେ ବିଜେଡି ଟିକେଟରେ କେନ୍ଦୁଝର ଲୋକସଭା ଆସନ ଲାଗି ନିର୍ବାଚନ ଲଢ଼ିଥିଲେ।

ସୂଚନା ଅନୁସାରେ ଚନ୍ଦ୍ରାଣୀଙ୍କ ଅଜା କେନ୍ଦୁଝରର ପୂର୍ବତନ ସାଂସଦ ରହି ସାରିଛନ୍ତି।

ଚନ୍ଦ୍ରାଣୀ ଓ ବିବାଦ

ବିଜେଡି ଟିକେଟ ପାଇବା ପରଠୁ ଚନ୍ଦ୍ରାଣୀଙ୍କୁ ନେଇ ବହୁ ବାଦ ବିବାଦ ଦେଖାଯାଇଥିଲା। ଏମିତିକି ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି କାମ କରିଥିବା ଅପରାଧୀଙ୍କୁ ପୋଲିସ ଗିରଫ କରିଥିଲା।

ଏହାପରେ ପୁଣି ସେ ଆଉ ଏକ ଅଡ଼ୁଆରେ ପଡ଼ିଥିଲେ। ନିଜ ବାପାଙ୍କ ନାଁ ୩ଟି ଜାଗାରେ ଭିନ୍ନ ଭିନ୍ନ ଥିବାରୁ ବିରୋଧୀ ତାଙ୍କୁ ବିବାଦକୁ ଟାଣିଥିଲେ। ନିଜ ପ୍ରାର୍ଥିପତ୍ର ପତ୍ରରେ ଚନ୍ଦ୍ରାଣୀ ବାପାଙ୍କ ନାଁ ରହିଥିଲା ସଞ୍ଜୀବ ମୁର୍ମୁ। ତେବେ ଭୋଟର କାର୍ଡରେ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ସିହ୍ନା ରହିଥିଲା। ସେହିପରି  ବି.ଟେକ ପଢିବା ବେଳେ ତାଙ୍କ ବାପାଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ସୋରେନ୍ ରହିଥିଲା।

ତିନିଟି ଜାଗାରେ ବାପାଙ୍କ ନାଁ ତିନି ପ୍ରକାର ଥିବାରୁ ରିଟର୍ଣ୍ଣିଂ ଅଫିସର କିପରି ତାଙ୍କ ନାମାଙ୍କନ ପତ୍ରକୁ କାଏମ ରଖିଲେ, ତାକୁ ନେଇ ସନ୍ଦେହ ହେଉଥିବା ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି।

ଶେଷରେ ଚନ୍ଦ୍ରାଣୀ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ମୁର୍ମୁ ବୋଲି ସ୍ପଷ୍ଟ କରିଥଲେ।

ରାଜନୀତିରେ ନାଁ ନଥିବା ଏହି ପ୍ରାର୍ଥୀ ପ୍ରଥମ ଉଦ୍ୟମରେ ହିଁ ସଫଳତା ପାଇଛନ୍ତି। ତେବେ ମାତ୍ର ୨୫ ବର୍ଷ ବୟସରେ ସାଂସଦ ହୋଇ ନିର୍ବାଚିତ ହୋଇଥିବାରୁ ଅନେକ ଲୋକ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି

Comment