ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୨୦୧୮ ମେ’ ୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ହେଲେ ତିଥି ଅନୁଯାୟୀ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା।

୨୦୧୮ ମେ’ ୯ରେ ଭୁବନେଶ୍ୱର ବାପୁଜୀନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁରେ ସାମ୍ୱାଦିକ ମହଲରେ ଶୋକର ଛାୟା ଖେଳିଯାଇଥିଲା।

ଚନ୍ଦ୍ରଭାନୁ ପଟ୍ଟନାୟକ ପଢ଼ା ଶୁଣା କରିଥିବା ଉଚ୍ଚ ଶିକ୍ଷିତଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ଅଧ୍ୟାପନା ଛାଡି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରି ନେଇଥିଲେ। ୧୯୮୪ରେ ସମ୍ବାଦ ଖବରକାଗଜରୁ ସେ ସାମ୍ବାଦିକତା ଆରମ୍ଭ କରିଥିଲେ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବାଦକୁ ନୂଆ ରୂପ ଦେବାରେ ଯେଉଁ କେତେଜଣ ସାମ୍ବାଦିକଙ୍କର ଅବଦାନ ରହିଥିଲା ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାନୁ ପଟ୍ଟନାୟକ ଥିଲେ ଅନ୍ୟତମ।

ସମ୍ବାଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରିବା ପରେ ସେ ନିଜର ଏକ ପାକ୍ଷିକ ନ୍ୟୁଜ୍ ପତ୍ରିକା ‘ଶତାବ୍ଦୀ’ର ସମ୍ପାଦକ ଓ ପ୍ରକାଶକ ଥିଲେ। ୨୦୦୦ ମସିହାରୁ ସେ ‘ଶତାବ୍ଦୀ’ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକରୁ ପ୍ରକାଶିତ ଦୈନିକ ‘ସମାଜ’ର ସମ୍ପାଦକ ଥିଲେ। ୨୦୧୦ ମାର୍ଚ୍ଚରୁ ୨୦୧୧ ଏପ୍ରିଲ ପର୍ଯ୍ୟନ୍ତ ସେ ସମାଜର ସମ୍ପାଦକ ଥିଲେ। ଏହା ପୂର୍ବରୁ ସେ ଅଳ୍ପ ସମୟ ପାଇଁ ଦୈନିକ ସମୟର ସମ୍ପାଦନା ଦାୟିତ୍ୱରେ ମଧ୍ୟ ଥିଲେ। ପରେ ସେ ମୁକ୍ତ ବୃତ୍ତ ସାମ୍ବାଦିକତାକୁ ଆପଣାଇ ନେଇଥିଲେ।

LEAVE A REPLY

Please enter your comment!
Please enter your name here