ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ  ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ସେ ନିର୍ବାଚିତ ହୋଇଛନ୍ତି। ତେଣୁ ନବୀନ ଭୋଟ୍ ପରେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡ଼ିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

୨୦୦୦ ନିର୍ବାଚନରେ ହିଞ୍ଜିଳିରୁ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ ନବୀନ ପଟ୍ଟନାୟକ। ୨୦୦୪, ୨୦୦୯ ଏବଂ ୨୦୧୪ରେ ବିଜେଡି ସୁପ୍ରିମୋ ନବୀନ ସେହି ଆସନରୁ ଲଗାତାର ଭାବେ ଜିତି ଆସୁଥିଲେ। ୨୦୧୯ରେ ସେ ହିଞ୍ଜିଳରୁ ପ୍ରାର୍ଥୀ ହେବେ ବୋଲି ସମସ୍ତଙ୍କୁ ଜଣାଥିଲା। ତେବେ ଶେଷ ମୁହୂର୍ତ୍ତରେ ବିରୋଧୀମାନଙ୍କୁ ଚମକାଇ ନବୀନ ଘୋଷଣା କରିଥିଲେ ଯେ ସେ ବିଜେପୁର ଆସନରୁ ମଧ୍ୟ ଲଢ଼ିବେ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକୁ ନବୀନଙ୍କ ପାରମ୍ପରିକ ଆସନ ଭାବେ ବିଚାର କରାଯାଉଛି। କାରଣ ୧୯୯୭ରେ ଯେତେବେଳେ ନବୀନ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସେ ଆସିକା ଆସନରୁ ଜନତା ଦଳ ଟିକେଟରେ ଉପ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ  ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ଗଠନ ହେଲା। ନବୀନ ବାବୁ ଏହାର ସଭାପତି ହେଲେ। ୧୯୯୮ ଏବଂ ୧୯୯୯ରେ ମଧ୍ୟ ନବୀନ ପଟ୍ଟନାୟକ ଆସିକାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ରେ ଯେତେବେଳେ ବିଧାନସଭା ପାଇଁ ନବୀନ ପ୍ରାର୍ଥୀ ହେଲେ ଆସିକା ଲୋକସଭା ଅଧୀନରେ ଥିବା ହିଞ୍ଜିଳି ଆସନକୁ ସେ ବାଛିଥିଲେ।

ହିଞ୍ଜିଳି ଛାଡ଼ିବେ, ବିଜେପୁର ରଖିବେ?

ନବୀନ କେଉଁ ଆସନ ରଖିବେ କେଉଁ ଆସନ ଛାଡ଼ିବେ ତାକୁ ନେଇ ଉଭୟ ବିଜେପୁର ଓ ହିଞ୍ଜଳିରେ ଚାଲିଛି ଆଲୋଚନା। ତେବେ ଚାରି ଚାରିଥର ନବୀନ ହିଞ୍ଜିଳି ଆସନରୁ ପ୍ରତିନିଧିତ୍ୱ କରିଥିବା କାରଣରୁ ଏଥର ହିଞ୍ଜିଳି ଛାଡ଼ି ବିଜେପୁରକୁ ରଖିପାରନ୍ତି ବୋଲି ମନେକରାଯାଉଛି।

ବିଜେପୁରକୁ ବାଛିବା ପଛରେ ବିଜେଡି ପାଇଁ ଆଉ ଏକ କାରଣ ମଧ୍ୟ ରହିଛି।  ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଏହାକୁ ନେଇ ବିଜେଡି ଉପରେ ଚାପ ସୃଷ୍ଟି ହୋଇଥିଲା। ଏହି ସମୟରେ ଆସିଲା ବିଜେପୁର ଉପନିର୍ବାଚନ। ବରଗଡ଼ ଜିଲ୍ଲା ବିଜେପୁର ଆସନରେ ତିନି ତିନିଥର ବିଧାୟକ ଥିବା କଂଗ୍ରେସର ସୁବଳ ସାହୁଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ବିଜେଡି ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର କରାଇଥିଲା।

ପଶ୍ଚିମ ଓଡ଼ିଶା ବିଜେପି ପାଇଁ ଅଧିକ ସୁବିଧାଜନକ ଏବଂ ବିଜେଡିକୁ ଅଡ଼ୁଆ। ଏହାର ମୁକାବିଲା କରିବା ପାଇଁ ଏଥର ନିର୍ବାଚନରେ ପଶ୍ଚିମ ଓଡ଼ିଶା ଉପରେ ପୂରା ନଜର ରଖିଥିଲା ବିଜେଡି। ଶେଷ ମୁହୂର୍ତ୍ତରେ ନବୀନଙ୍କୁ ବିଜେପୁର ପ୍ରାର୍ଥୀ କରି ବିଜେଡି ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏକ ରଣନୀତି ରଚିଥିଲା।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜଣେ ପ୍ରାର୍ଥୀ ଦୁଇଟି ଜାଗାରୁ ନିର୍ବାଚିତ ହେଲେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ ନବୀନ ଯେଉଁ ଆସନଟିକୁ ଛାଡ଼ିବେ ସେଠାରେ ଉପନିର୍ବାଚନ ହେବ।

Comment