ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଦ୍ୱିତୀୟ ଇନିଂସ୍ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେନ୍ଦ୍ରରେ ପୁଣି ଥରେ ସରକାର ଗଠନ କରିଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଗୁରୁବାର ସନ୍ଧ୍ୟାରେ ପଦ ଏବଂ ଗୋପନୀୟତା ପାଇଁ ଶପଥ ପାଠ କରିବା ପରେ ମୋଦି ତାଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୮ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୯ ହେଉଛନ୍ତି ନୂଆ ମୁହଁ।

ମୋଦିଙ୍କ ଟିମ୍‌ରେ ୨୫ ଜଣ କ୍ୟାବିନେଟ, ୯ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଏବଂ ୨୪ ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି। ଉତ୍ତରପ୍ରଦେଶରୁ ସବୁଠୁ ଅଧିକ ୯ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସ୍ମୃତି ଇରାନିଙ୍କୁ କ୍ୟାବିନେଟ

ଆମେଥି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରାଜିତ କରିଥିବା ସ୍ମୃତି ଇରାନିଙ୍କୁ ମୋଦି ତାଙ୍କ କ୍ୟାବିନେଟରେ ସାମିଲ କରିଛନ୍ତି। ମୋଦିଙ୍କ କ୍ୟାବିନେଟରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କ ଭିତରେ ସ୍ମୃତି ହେଉଛନ୍ତି ସବୁଠୁ କମ୍ ବୟସର ମନ୍ତ୍ରୀ। ରାମବିଲାସ ପାସଓ୍ୱାନ ସବୁଠୁ ଅଧିକ ବୟସର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ବାଦ୍ ପଡ଼ିଲେ ସୁରେଶ ପ୍ରଭୁ, ମାନେକା ଗାନ୍ଧି

ମୋଦିଙ୍କ ପ୍ରଥମ ପାଳି ସରକାରରେ ମନ୍ତ୍ରୀ ଥିବା ଜେପି ନଡ୍ଡା, ରାଧାମୋହନ ସିଂହ, ମାନେକା ଗାନ୍ଧି, ଜୟନ୍ତ ସିହ୍ନା, ସୁରେଶ ପ୍ରଭୁଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ। ଅମିତ ଶାହ ମନ୍ତ୍ରୀ ହୋଇଥିବାରୁ ଜେପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଅତିଥିମାନେ ସାମିଲ ହୋଇଥିଲେ। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ସୁଷମା ସ୍ୱରାଜ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ପୂର୍ବରୁ ମୋଦି ମହାତ୍ମା ଗାନ୍ଧି ଏବଂ ଅଟଳବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୋଦି ବାଜପେୟୀଙ୍କୁ ମନେପକାଇ ଟୁଇଟ୍ କରିଛନ୍ତି। ଅଟଳଜୀ ଥିଲେ ଆଜି ବହୁତ ଖୁସି ହୋଇଥାନ୍ତେ ବୋଲି ମୋଦି ଟୁଇଟ୍ କରିଛନ୍ତି।

Comment