ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ବିଧାନସଭା ଓ ଲୋକସଭା  ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ଯଦି ଦେଖାଯାଏ ସ୍ୱାଧୀନତା ପରଠାରୁ ଏହା ହେଉଛି ସବୁଠାରୁ ବଡ଼ ବିପର୍ଯ୍ୟୟ। ଆଗରୁ କେବେ ବି କଂଗ୍ରେସ ଏତେ ତଳକୁ ଖସି ଯାଇନଥିଲା। ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ତ ହରାଇଲା। ତା’ ସାଙ୍ଗକୁ ଲୋକଙ୍କ ମନରେ ଦଳ ପ୍ରତି ଯେଉଁ ସମ୍ମାନ ଥିଲା ତାହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବର୍ତ୍ତମାନ କଂଗ୍ରେସରେ କେବଳ ପରିବର୍ତ୍ତନର ସ୍ୱର ଶୁଣାଯାଉଛି। ଓଡ଼ିଶା କଂଗ୍ରେସରେ ଏକ ବଡ଼ ଧରଣର ଅଦଳ ବଦଳ ହେବ ବୋଲି ଆଲୋଚନା ହେଉଛି।

କବାଟ ବନ୍ଦ ବୈଠକ

ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପିସିସିରେ ଢେର କିଛି ବଦଳିବ। ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ଜିତେନ୍ଦ୍ର ସିଂହ ଓ ଛତିଶଗଡ଼ ମନ୍ତ୍ରୀ ଟିଏସ ସିଂହଦେଓଙ୍କ ଉପସ୍ଥିତିରେ ନିକଟରେ ଏକ କବାଟ କିଳା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀ ସାମିଲ ହୋଇଥିଲେ। ଖବର ଆସୁଛି ଯେ ଦଳର ବରିଷ୍ଠ ନେତା ଯଥା ଜର୍ଜ ତିର୍କୀ ଓ ବବି ମହାନ୍ତି ଦଳର ନିର୍ବାଚନ ବିପର୍ଯ୍ୟୟ ପାଇଁ କର୍ମୀଙ୍କୁ ଦୋଷ ଦେଇଥିଲେ।

ପୁଣି କମିଟି

ଇତି ମଧ୍ୟରେ ବରିଷ୍ଠ ନେତା ଓ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୨୧ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଦଳର ବିପର୍ଯ୍ୟୟ ସମ୍ପର୍କରେ ଆମୂଳଚୂଳ ସମୀକ୍ଷା କରିବ। ଯେଉଁ ନେତା ଓ କର୍ମୀ ନିର୍ବାଚନ ବିପର୍ଯ୍ୟୟ ପାଇଁ ଦାୟୀ ବୋଲି ଜଣାପଡ଼ିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ଭଲ କାମ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବାର ଯୋଜନା ମଧ୍ୟ ରହିଛି।

ତିରିଶି ଦରକାର

ସିଂହଦେଓଙ୍କ କହିବା ଅନୁଯାୟୀ, ଦଳର ମୋଟ ଭୋଟ ପରିଣାମ ଏଥର ବିଧାନସଭା ନିର୍ବାଚନରେ ୧୬ ପ୍ରତିଶତକୁ ଖସିଯାଇଛି। ଏହାକୁ ୩୦ ପ୍ରତିଶତକୁ ବଢ଼ାଇବା ପାଇଁ ଉଦ୍ୟମ କରାଯିବ। ସିଂଦେଓଙ୍କ କହିବା କଥା ଭୋଟ ବ୍ୟାଙ୍କ ୧୬ ପ୍ରତିଶତରୁ ୮୦ ପ୍ରତିଶତକୁ ବଢ଼ିବା କଷ୍ଟ। କିନ୍ତୁ ଏହା ୩୦ ପ୍ରତିଶତ ସହଜରେ ହୋଇପାରିବ।

ନୂଆ ପିସିସି

ଅନ୍ୟ ଜଣେ ନେତା କଳାହାଣ୍ଡି ସଂସଦୀୟ ପ୍ରାର୍ଥୀ ଭକ୍ତ ଚରଣ ଦାସ କହିଛନ୍ତି ଯେ ପ୍ରକୃତ ବିରୋଧୀ ଦଳ ଭଳି ଦଳ  କାମ ନ କରିବା କାରଣରୁ ବିଜେପି ତାହାର ଫାଇଦା ନେଲା। ଏଥିପାଇଁ ସେ ସବୁ ନେତାଙ୍କୁ ଦାୟୀ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟନାୟକ ନିଜେ କହିଛନ୍ତି ଯେ ବର୍ତ୍ତମାନର ପିସିସିକୁ ଭାଙ୍ଗି ଏକ ନୂଆ ପିସିସି ଗଠିତ ହେବା ଜରୁରୀ।

Comment