ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପଞ୍ଚମ ପାଳି ସରକାର ପରେ ସୋସିଆଲ ମିଡିଆରେ ନବୀନ-ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା।

୧୧୨ ଆସନ ପାଇ ପଞ୍ଚମ ଥର ପାଇଁ ସରକାର ଗଠନ କରଛି ବିଜୁ ଜନତା ଦଳ। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଏହି ଫଟୋକୁ ବିଜେଡିର ଆଗଧାଡ଼ିର ମୁଖପାତ୍ର ସସ୍ମିତ ପାତ୍ର ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଗତ ୩୧ ତାରିଖ ଦିନ ପୋଷ୍ଟ କରି ବିଜେଡି ବିଜୟର ଶ୍ରେୟ ଉଭୟ ନବୀନ ଏବଂ ପାଣ୍ଡିଆନଙ୍କୁ ଦେଇଛନ୍ତି।

ସସ୍ମିତ ସୋସିଆଲ ମିଡିଆରେ ଲେଖିଛନ୍ତି, ‘‘ନବୀନ ପଟ୍ଟନାୟକ ଏବଂ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କର ଏହା ହେଉଛି କ୍ୱଚିତ୍ ଫଟୋ। ଜଣେ ଷ୍ଟେଟସ୍‌ ମ୍ୟାନ ଏବଂ ଆଉ ଜଣେ ଦକ୍ଷ ସେନାପତି। ଫଟୋରେ ଫୁଟି ଉଠୁଥିବା ହସ ସେମାନଙ୍କ ଆତ୍ମତୃପ୍ତିକୁ ସୂଚାଉଛି। ସେମାନଙ୍କ ନିଷ୍ଠା, ପ୍ରତିବଦ୍ଧତା ଏବଂ ପ୍ରଗାଢ଼ ଅନୁରାଗ ଓଡ଼ିଶାକୁ ପରିବର୍ତ୍ତନ କରିପାରିଛି। ନବୀନବାବୁ ରେକର୍ଡ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତ।’’

ନବୀନ-ପାଣ୍ଡିଆନଙ୍କ ଫଟୋ ସମ୍ଭବତଃ ନବୀନ ନିବାସରୁ ଉଠା ଯାଇଥିବା ପ୍ରଛଦପଟରୁ ଜଣାପଡ଼ିଛି। ପଞ୍ଚମ ପାଳି ପୂର୍ବରୁ ନବୀନ-ପାଣ୍ଡିଆନଙ୍କ ଏଭଳି ହାଲ୍‌କା ମୁହୂର୍ତ୍ତର ଫଟୋ କେବେ ଦେଖିବାକୁ ମିଳିନଥିଲା।

ସସ୍ମିତଙ୍କ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ଏହି ଫଟୋକୁ ଲୋକେ ଡାଉନଲୋଡ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

୨୦୦୦ ବ୍ୟାଚର ଆଇଏଏସ୍‌ ଅଫିସର ଭି କାର୍ତ୍ତିକେୟନ ପାଣ୍ଡିଆନ ୨୦୧୧ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ରହି ଆସିଛନ୍ତି। ଏହା ପୂର୍ବରୁ ସେ ଗଞ୍ଜାମର ଜିଲ୍ଲାପାଳ ରହିଥିଲେ। ନବୀନଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଗଞ୍ଜାମ ଜିଲ୍ଲା ଅଧିନରେ ଆସୁଥିବାରୁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କର ପ୍ରିୟଭାଜନ ହୋଇପାରିଥିଲେ।

ଗଞ୍ଜାମ ଜିଲ୍ଲାରୁ ବହୁ ଶ୍ରମିକ ରୋଜଗାର ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଥିଲେ। କିନ୍ତୁ ୨୦୦୮ରେ ଗଞ୍ଜାମ ଜିଲ୍ଲାପାଳ ଥିବା ପାଣ୍ଡିଆନ ଏନଆର୍‌ଇଜିଏସ୍‌ ଯୋଜନାକୁ ସଫଳତାର ସହ ଜିଲ୍ଲାରେ କାର୍ଯ୍ୟକାରୀ କରାଇ ମୁଖ୍ୟମନ୍ତ୍ରୀଙ୍କ ସୁଦୃଷ୍ଟିରେ ରହିଥିଲେ।

Comment