ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

naveenବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ବିଜେଡି ଟିକେଟକୁ ନେଇ ବଢ଼ିଲା ଚର୍ଚ୍ଚା।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ୧୯ ବର୍ଷ ଲମ୍ବା ରାଜନୀତିକ ଇନିଂସ୍ ପରେ ପ୍ରଥମ ଥର ପାଇଁ ୨୦୧୯ ନିର୍ବାଚନରେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ପାରମ୍ପରିକ ଆସନ ହିଞ୍ଜିଳି ସମେତ ବରଗଡ଼ ଜିଲ୍ଲା ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ। ହେଲେ ନୂଆ ସରକାର ଗଠନ ହେବାର ମାତ୍ର ତିନି ଦିନ ପରେ ନବୀନ ହିଞ୍ଜିଳିକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଜେପୁର ଆଉ ଏକ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି।

୨୦୧୮ ଫେବ୍ରୁଆରି ୨୪ରେ ହାଇଭୋଲଟେଜ ଉପ-ନିର୍ବାଚନ ଦେଖିଥିବା ବିଜେପୁରବାସୀ ୨୦୧୯ରେ ପୁଣି ଏକ ଉପ-ନିର୍ବାଚନ ଦେଖିବାକୁ ଯାଉଛନ୍ତି। ଆସନ୍ତା ୬ ମାସ ଭିତରେ ବିଜେପୁରରେ ଆଉ ଏକ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ଏହି ଉପ-ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୮ ଉପ-ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିବା ରିତା ସାହୁ ନା ୨୦୧୯ ନିର୍ବାଚନ ବେଳେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କ ଉପରେ ଦଳ ଭରସା କରିବ ତାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି।

କଂଗ୍ରେସ ଗଡ଼ ବିଜେପୁରରେ ବିଜେଡି ବାନା

ବିଜେପୁର ବିଧାନସଭା ଆସନଟି କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା। ଚାରିଆଡ଼େ ନବୀନଙ୍କ ହାୱା ବହୁଥିବା ବେଳେ ଏଠାରେ ରିତା ସାହୁଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଥିଲେ।

୨୦୦୪, ୨୦୦୯ ଏବଂ ୨୦୧୪ ନିର୍ବଚେନରେ ସୁବଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲେ। କିନ୍ତୁ ୨୦୧୭ରେ ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସର ଗଡ଼ ବିଜେପୁରକୁ ଭାଙ୍ଗିଥିଲା ବିଜେଡି।

ସୁବଳଙ୍କ ସ୍ତ୍ରୀ ଏବଂ ପୁଅ ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ ଫେବ୍ରୁଆରି ୨୪ରେ ହୋଇଥିବା ଉପ-ନିର୍ବାଚନରେ ନବୀନ ସୁବଳଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ରିତା ଜଣେ ମହିଳା ହୋଇଥିବାରୁ ଏବଂ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବାରୁ ଅନୁକମ୍ପାମୂଳକ ଭୋଟ ପାଇ ବିଧାନସଭାକୁ ଆସିଥିଲେ।

ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ବିଜେପି ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଅସଲ ଲଢ଼େଇ ହୋଇଥିଲା ବିଜେଡି ଏବଂ ବିଜେପି ଭିତରେ। ବିଜେଡି ପ୍ରାର୍ଥୀ ରୀତାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ନିଜେ ନବୀନ। ଏକାଧିକ ଥର ନବୀନ ବିଜେପୁରରେ ପ୍ରଚାର କରିଥିଲେ।

ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ଓଡ଼ିଶା ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ। ବହୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ଆସିଥିଲେ। ହେଲେ ବିଜେପିର ସବୁ ଅଙ୍କ ଭୁଲ୍ ହୋଇଥିଲା। ଶେଷରେ ବିଜେଡି ପ୍ରାର୍ଥୀ ରିତା ସାହୁ ହିଁ ବିଜୟ ମୁକୁଟ ପିନ୍ଧିଥିଲେ।

ବର୍ଷକର ବିଧାୟକ ରିତା

ବିଧାନସଭାକୁ ନିର୍ବାଚିତ ହେବାର ମାତ୍ର ବର୍ଷକ ପରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଥିଲା। ରିତାଙ୍କୁ ଟିକେଟ ନଦେଇ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ନବୀନ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।

ଏବେ ନବୀନ ବିଜେପୁର ଆସନ ଛାଡ଼ିବା ପରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ନବୀନ ଉପ-ନିର୍ବାଚନରେ ବର୍ଷକର ବିଧାୟକ ରିତା ସାହୁଙ୍କ ଉପରେ ଭରସା କରିବେ ନା ଆଉ କାହା ଉପରେ ତାହା ହିଁ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଚର୍ଚ୍ଚାରେ ସୁବାସ ଚୌହାନଙ୍କ ନାଁ

୨୦୧୯ ନିର୍ବାଚନ ଚାଲିଥିବା ବେଳେ ବିଜେପି କ୍ୟାମ୍ପରୁ ଅଚାନକ ଦୁଇ ଜଣ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଥିଲେ। ସେମାନେ ହେଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ସୁବାସ ଚୌହନ ଏବଂ ମୟୂରଭଞ୍ଜର ରାଜକିଶୋର ଦାସ। ରାଜକିଶୋରଙ୍କୁ ବିଜେଡି ମୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା। ରାଜକିଶୋର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ହେଲେ ସୁବାସଙ୍କୁ ଟିକେଟ ଦେଇ ନଥିଲା ଦଳ। ସୁବାସ ୨୦୧୪ରେ ବିଜେପି ଲୋକସଭା ଟିକେଟ ପାଇ ବରଗଡ଼ରୁ ଲଢ଼ି ପରାଜିତ ହୋଇଥିଲେ। ନିର୍ବାଚନ ପୂର୍ବରୁ ସୁବାସ ବିଜେଡିକୁ ଆସିଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ନଦେଇ ପ୍ରଚାର କାମରେ ଲଗାଇଥିଲା। ଏବେ ନବୀନ ବିଜେପୁର ଆସନ ଛାଡ଼ିଥିବାରୁ ସୁବାସ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।

ତେବେ ନବୀନ ବିଜେପୁରରେ କାହାକୁ ଟିକେଟ ଦେଉଛନ୍ତି ତାହା ଅପେକ୍ଷା ଦେଖିବାର କଥା।

ବିଜେପୁର ପାଇଁ ବିଜେପି କଷିବ ଅଙ୍କ

ବିଜେପୁରରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଯାଇଛି। ଶାସକ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଜେପି କିନ୍ତୁ ଏଥର ମାପିଚୁପି ଅଙ୍କ କଷିବ ବୋଲି କୁହାଯାଉଛି। ୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ବିଜେଡିକୁ କଡ଼ା ଫାଇଟ୍ ଦେଇଥିଲା ବିଜେପି।

ଉପ-ନିର୍ବାଚନ ବେଳେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ଟିକେଟ ଦେଇଥିଲା। ଅଶୋକ ବିଜେଡି ଟିକେଟ ନପାଇବାରୁ ବିଜେପିରେ ଯୋଗ ଦେଇ ଟିକେଟ ନେଇଥିଲେ। ତାଛଡ଼ା ଅଶୋକ ୨୦୦୦ରେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ। କିନ୍ତୁ ୨୦୧୪ରେ ଦଳ ବିରୋଧୀ କାମ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ।

ଉପ-ନିର୍ବାଚନରେ ଯେଉଁ ବିଜେପି ଅଶୋକଙ୍କ ଉପରେ ଭରସା କରିଥିଲା ୨୦୧୯ରେ କିନ୍ତୁ ତାଙ୍କୁ ଟିକେଟ ଦେଇ ନଥିଲା। ସନତ ଗଡ଼ତିଆଙ୍କୁ ପାର୍ଟି ଟିକେଟ ଦେଇଥିଲା। ନବୀନଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସନତ ୫୩ ହଜାର ୪୮୨ ଭୋଟ ପାଇଥିଲେ। ନବୀନଙ୍କ ଲୋକପ୍ରିୟତା ଆଗରେ ସେ ପରାଜିତ ହୋଇଥିଲେ।

କିନ୍ତୁ ହେବାକୁ ଥିବା ଉପ-ନିର୍ବାଚନରେ ନବୀନ ପ୍ରାର୍ଥୀ ହେବେନି। ଏଣୁ ବିଜେପି ବିଜେପୁରରେ ହେବାକୁ ଥିବା ଉପ-ନିର୍ବାଚନରେ ମାପିଚୁପି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି।

Comment