ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ବିଧାନସଭା ଓ ଲୋକସଭା ନିର୍ବାଚନର ଗୋଟିଏ ରୋଚକ ତଥ୍ୟ ହେଉଛି କଂଗ୍ରେସର ପୁରୁଖା ନେତା ଯେଉଁମାନେ ନିଜ ପୁଅ ଝିଅଙ୍କୁ ଟିକେଟ ଦିଆଇଥିଲେ କେହି ବି ନିର୍ବାଚନ ବୈତରଣୀ ପାର ହୋଇ ପାରିନାହାନ୍ତି। ଲୋକେ ଏହି ପ୍ରାର୍ଥୀମାନଙ୍କୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ଅବଶ୍ୟ ଜଣେ ହିଁ ଏଥିରୁ ବର୍ତ୍ତି ଯାଇଛନ୍ତି।

ନିର୍ବାଚନ ପରବର୍ତ୍ତୀ ତର୍ଜମା ଅନୁସାରେ  ଦେଶର ସବୁଠାରୁ ପୁରୁଣା ଦଳ ପକ୍ଷରୁ ଚାରି ଯୋଡ଼ା ବରିଷ୍ଠ ନେତାଙ୍କ ପୁତ୍ର କନ୍ୟା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କିଛି ଲୋକସଭା ତ ଆଉ କିଛି  ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।

ପିସିସି ସଭାପତି ନିରଞ୍ଜନ ପଟନାୟକ ନିଜେ ଦୁଇଟି ବିଧାନସଭା ଆସନରୁ ଲଢ଼ିଥିବା ବେଳେ ବ୍ୟବସାୟ କରୁଥିବା ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରାଯାଇଥିଲା। ନିରଞ୍ଜନ ନିଜେ ଦୁଇଟି ଯାକ ଆସନରେ ପରାଜିତ ହୋଇଥିବା ବେଳେ ପୁଅ ମଧ୍ୟ ତୃତୀୟ ସ୍ଥାନରେ ରହିଲେ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ବି ନିଜ ପୁଅ ସାଗର ଦାସଙ୍କୁ ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଇଥିଲେ ଓ ନିଜେ କଳାହାଣ୍ଡି ଲୋକସଭା ଆସନରୁ ଲଢ଼ିଥିଲେ। ଦିହିଁଙ୍କ ମଧ୍ୟରୁ କେହି ନିର୍ବାଚନରେ ସଫଳତା ହାସଲ କରିପାରି ନାହାନ୍ତି।

ସେହିଭଳି ଦଳର ଅନ୍ୟତମ ବରିଷ୍ଠ ନେତା ଜର୍ଜ ତିର୍କୀ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ବିରମିତ୍ରପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ନିଜେ ସୁନ୍ଦରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ। ଉଭୟ ବାପା ପୁଅ ନିର୍ବାଚନ ହାରିଛନ୍ତି।

ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ କଥା ମଧ୍ୟ ଏକା ପ୍ରକାର। ନିଜେ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ ପାଇଥିବା ବେଳେ ଝିଅ ମଧୁମିତାଙ୍କ ପାଇଁ ସିମୁଳିଆ ଆସନ ସକାଶେ ପ୍ରାର୍ଥୀ କରାଇଥିଲେ। ଉଭୟ ପିତା ଓ ପୁତ୍ରୀଙ୍କ ଶୋଚନୀୟ ପରାଜୟ ହୋଇଛି।

ସବୁଠାରୁ ବଡ଼ ଅପମାନ ପହଞ୍ଚିଛି ବରିଷ୍ଠ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ। ଅବଶ୍ୟ ଏଥର ସେ ନିଜେ ନିର୍ବାଚନ ଲଢ଼ି ନ ଥିଲେ। କିନ୍ତୁ ତାଙ୍କର ଦୁଇ ଝିଅଙ୍କୁ ଭିନ୍ନ ଭିନ୍ନ ଦଳରୁ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ସୁନିତା ଓ ଅମିତା ଉଭୟେ ନିର୍ବାଚନରେ ହାରିଛନ୍ତି।

କେବଳ ସାନ୍ତ୍ୱନା ହେଉଛି ବଲାଙ୍ଗିର। ବରିଷ୍ଠ ନେତା ନରସିଂହ ମିଶ୍ର କୌଣସି ପ୍ରକାର ବିଧାନସଭାକୁ ଆସିପାରିଥିବା ବେଳେ ତାଙ୍କ ପୁଅ ସମରେନ୍ଦ୍ର ଲୋକସଭା ଲଢ଼େଇରେ ତୃତୀୟ ସ୍ଥାନରେ ରହିଥିଲେ।

Comment