ଓଡ଼ିଶାଲାଇଭ ବ୍ୟୁରୋ

ଛୁଟି ପରେ ସ୍କୁଲରେ କେମିତି ପଢ଼ା ହେବ ପାଠ?

ସରି ଆସିଲାଣି ଖରା ଛୁଟି। ରଜ ପରେ ଖୋଲିବ ସ୍କୁଲ। ଜୁନ୍ ୧୯ରେ ସମସ୍ତ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ହେଲେ ବାତ୍ୟା ଫନିରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଘର ଭାଙ୍ଗି ଯାଇଥିବାରୁ କେମିତି ପାଠ ପଢ଼ା ହେବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ।

ମେ’ ୩ ତାରିଖରେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି। ଲୋକଙ୍କ ଘର ଉଜାଡ଼ି ଦେବା ସହ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପକାଇଥିଲା। ହେଲେ ଫନି ମାଡ଼ରୁ ବର୍ତ୍ତି ନଥିଲା ସ୍କୁଲ ଘର। କେଉଁଠି ସ୍କୁଲର ଛାତ ଉଡ଼ି ଯାଇଥିଲା ତ ଆଉ କେଉଁଠି ପାଚେରୀ ଭାଙ୍ଗି ଯାଇଥିଲା। ଆଉ କେଉଁ ସ୍କୁଲରେ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କେଉଁଠି ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ଶାଳା ଭାଙ୍ଗି ଯାଇଥିଲା।

ବାତ୍ୟା ଫନିକୁ ଆଜି ମାସେ ପୂରିଥିବା ବେଳେ ଅଧିକାଂଶ ସ୍କୁଲ ଘର ସଜଡ଼ା ହୋଇପାରି ନାହିଁ। ଫଳରେ ସ୍କୁଲ ଖୋଲିଲେ କେମିତି ପାଠ ପଢ଼ା ହେବ ସେଇ ଚିନ୍ତା ଏବେ ସମସ୍ତଙ୍କ ଘାରିଛି।

‘‘ମୁଁ ଏବର୍ଷ ମାଟ୍ରିକ ପରୀକ୍ଷା ଦେବି। ହେଲେ ଆମ ସ୍କୁଲ ଘର ବାତ୍ୟାରେ ଭାଙ୍ଗି ଯାଇଥିବାରୁ ଠିକ୍ ସମୟରେ ପାଠପଢ଼ା ହେବ କି ନାହିଁ ସନ୍ଦେହ। ଆମମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର ସ୍କୁଲ ଘର ମରାମତି କରନ୍ତୁ’’, ଏହା କହିଛନ୍ତି ପୁରୀ ବ୍ରହ୍ମଗିରି ଅଞ୍ଚଳର ଜଣେ ଛାତ୍ର।

ବାତ୍ୟା ଫନିରେ ଅଧିକାଂଶ ସ୍କୁଲକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇଥିଲା। ସେସବୁ ସ୍ଥାନ ଅସଜଡ଼ା ହୋଇପଡ଼ିଛି। ସେହିପରି ଏବେ ଯାଏଁ ଅଧିକାଂଶ ଲୋକ ଘର ମରାମତି କରିପାରି ନଥିବାରୁ ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ତେବେ ଏହି ସ୍କୁଲମାନଙ୍କରେ କେମିତି ପାଠପଢ଼ା ହେବ ତାହା ବି ପ୍ରଶ୍ନବାଚୀ ଘେରରେ।

ନୂଆ ସରକାର ଗଠନ ହେବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ଶିକ୍ଷା ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଘର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଯେଉଁଭଳି ସ୍ଥିତି ରହିଛି ରଜ ପୂର୍ବରୁ ସ୍କୁଲ ଘର ମରାମତି କରିବା ଏତେ ସହଜ ହେବନି ବୋଲି ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକେ କହିଛନ୍ତି।

Comment