ଓଡ଼ିଶାଲାଇଭ୍ ବ୍ୟୁରୋ

ହିଂସା ଏବଂ ଉତ୍ତେଜନକେୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି। ବୁଧବାର ସକାଳ ୧୧ଟା୩୦ରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ କାରଣରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

କେନ୍ଦ୍ରାପଡ଼ା ସହରର ବଡହାଟ ଗାଁରେ ଗତ ୩ ତାରିଖରେ ଘଟିଥିବା ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରୁଛି। ଗଣ୍ଡଗୋଳର ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଗତକାଲି ସନ୍ଧ୍ୟାରେ ବଡହାଟ ଗ୍ରାମବାସୀ ଏବଂ କେତେକ ସଂଗଠନର କର୍ମକର୍ତ୍ତା ଟାଉନ ଥାନା ଘେରାଉ କରି ପୋଲିସ ବିରୋଧି ନାରା ଦେଇଥିଲେ।

ଖବରପାଇ କେନ୍ଦ୍ରାପଡ଼ା ଏସ୍‌ପି ନିତିଶେଖର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ଆନ୍ଦୋଳନ ହଟାଇଦେବାକୁ ସକ୍ଷମ ହୋଇଥିଲେ। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କଥା ଦେଇଥିଲେ ଏସ୍‌ପି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନକଲେ ପୁଣି ଆନ୍ଦୋଳନକୁ କରିବାକୁ ଚେତାବନୀ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ।

ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟ ପୋଲିସ ବିଭାଗ ତତ୍ପର ହୋଇ ଉଠିଛି। ବୁଧବାର ଦିନ ୧୧.୩୦ ମିନିଟଠାରୁ କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

ଇମେଲ୍, ହ୍ଵାଟ୍ସଆପ, ଫେସବୁକ, ଟୁଇଟରକୁ ବ୍ୟବହାର କରି ମିଛ ଛବି ଓ ଖବର ପ୍ରସାରଣ ଉପରେ ରୋକ ଲଗାଇଛି ରାଜ୍ୟ ଗୃହ ବିଭାଗ। ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ପୋଲିସ ସୁତ୍ରରୁ ଜଣା ପଡିଛି।

ଅତିରିକ୍ତ ପୋଲିସ ଡିଜି ଅଶୋକ ପଣ୍ଡା, ଆଇଜି ଦୀପ୍ତେସ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଏସ୍‌ପି ନିତି ଶେଖର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରାଯାଇଛି।

ସହରର ବିଭିନ୍ନ ସମ୍ଵେଦନଶୀଳ ସ୍ଥାନମାନଙ୍କରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି।

Comment