ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଶିବସେନା କହିଲା ‘ଉପବାଚସ୍ପତି ପଦ ଆମର ଦାବି ନୁହେଁ, ହକ୍’

‘‘ଓଡ଼ିଶାରେ ବିଜେପି ବିରୋଧରେ ନିର୍ବାଚନ ଲଢୁଥିଲା ବିଜେଡି। ଏଣୁ ଉପବାଚସ୍ପତି ପଦ ବିଜେଡିକୁ କେମିତି ମିଳିବ?’’ ଏହି ପ୍ରଶ୍ନ ଉଠାଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ଲୋକସଭାରେ ଉପବାଚସ୍ପତି ପଦକୁ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ଉଠୁଥିବାରୁ ଶିବସେନା ଏହାକୁ ବିରୋଧ କରିଛି। ଉପବାଚସ୍ପତି ପଦ ଆମର ଦାବି ନୁହେଁ ଅଧିକାର ବୋଲି କହିଛି ଶିବସେନା। ଶିବସେନା ଏହି ପ୍ରଶ୍ନ ଉଠାଇବା ପରେ ଉପବାଚସ୍ପତି କିଏ ହେବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ଲୋକସଭାରେ କିଏ ହେବେ ବାଚସ୍ପତି ଏବଂ କିଏ ହେବେ ଉପବାଚସ୍ପତି? ସରକାର ଗଠନ ହେବା ଦିନରୁ ହିଁ ଏହି ଚର୍ଚ୍ଚା ଲାଗି ରହିଥିଲା। ହେଲେ ଗତ ଦୁଇ ଦିନ ହେଲା ଏହି ପଦବୀ ପାଇଁ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ଆଜି କେଁ ପୂରାଇଛି ଏନଡିଏର ପ୍ରମୁଖ ସହଯୋଗୀ ଶିବସେନା।

ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ‘‘ଉପବାଚସ୍ପତି ପଦ ହେଉଛି ଆମର ହକ୍। ବିଜେଡି ଆମର ସାଥୀ। ହେଲେ ସେ ଏନଡିଏ ମେଣ୍ଟରେ ନାହିଁ। ଏନଡିଏ ସହ ଶିବସେନା ରହିଛି। ଆମକୁ ଗୋଟିଏ ମାତ୍ର ମନ୍ତ୍ରୀପଦ ମିଳିଛି। ଏଣୁ ଆମକୁ ଉପବାଚସ୍ପତି ପଦ ମିଳିବା ଦରକାର।’’

ଲୋକସଭାରେ ଶିବସେନାର ୧୮ ଏବଂ ରାଜ୍ୟସଭାରେ ୩ ସାଂସଦ ଅଛନ୍ତି। ସେହିପରି ଲୋକସଭାରେ ବିଜେଡିର ୧୨ ଜଣ ସାଂସଦ ଅଛନ୍ତି। ଭର୍ତ୍ତୃହରି ୨୦୧୭ ବର୍ଷ ପାଇଁ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ। ସେ ଲଗାତର ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଣୁ ଉପବାଚସ୍ପତି ପଦ ପାଇଁ ଭର୍ତ୍ତୃହରିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

ଗତ ଲୋକସଭାରେ ଏଆଇଏଡିଏମ୍‌କେକୁ ମିଳିଥିଲା ଉପବାଚସ୍ପତି ପଦ।

ଜୁନ୍ ୧୭ରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଜୁନ୍ ୧୯ରେ ବାଚସ୍ପତି ପଦ ନିର୍ବାଚନ ହେବ।

Comment