ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନବୀନ ଯେଉଁଠି ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେଠି ବିଜୟ ଉତ୍ସବ ପାଳନ କରି ଶକ୍ତି ପ୍ରଦର୍ଶନ କଲା ବିଜେପି।

ଓଡ଼ିଶାରେ ପରାଜିତ ହେବା ପରେ ବି ବିଜେପି ଆଜି ପାଳନ କରିଛି ବିଜୟ ଉତ୍ସବ। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଦଳ ନେତା ଓ କର୍ମୀଙ୍କୁ ଧରି ବିଜୟ ଉତ୍ସବ ପାଳନ କରିଛି।

ନବୀନ ପଟ୍ଟନାୟକ ଯେଉଁଠି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେଇଠି ବିଜେପି ବିଜୟ ଉତ୍ସବ ପାଳନ କରି ଶକ୍ତି ପ୍ରଦର୍ଶନ କରିଛି। ପରାଜୟ ପରେ ବି ଆମେ ବିଜୟର ଆଶା ରଖିଛୁ ବୋଲି ବିଜେପି ଏହି ବାର୍ତ୍ତା ଦେଇଛି।

ବିଜୟ ଉତ୍ସବ କ’ଣ ପାଇଁ?

ବିଜେପି ଓଡ଼ିଶାର ୨୧ ଲୋକସଭା ଆସନରୁ ୮ଟିରେ ବିଜୟୀ ହୋଇଛି। ନରେନ୍ଦ୍ର ମୋଦି ଓଡ଼ିଶାର ଦୁଇ ଜଣଙ୍କୁ ମନ୍ତ୍ରୀ କରିଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ କରିଛି ବିଜେପି।

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ଧର୍ମେନ୍ଦ୍ର ଏବଂ ପ୍ରତାପ। ଶନିବାର ସକାଳେ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପାରମ୍ପାରିକ ବାଜା ଓ ବିଜେପି ଜିନ୍ଦାବାଦ ନାରାରେ କମ୍ପିଥିଲା ଏୟାରପୋର୍ଟ ପରିସର।

ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ଯାଇଥିଲେ। ପୁରୀରେ ବି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ।

ଏହାପରେ ପୁରୀରୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ପ୍ରତାପ ଭୁବନେଶ୍ୱର ଆସିଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ବିଜେପି ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜୟୀ ସାଂସଦ ଏବଂ ବିଧାୟକମାନଙ୍କୁ ମଧ୍ୟ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ପରାଜୟରେ ଭାଙ୍ଗି ପଡ଼ିବା ଉଚିତ ନୁହେଁ’’

ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ନେତା ଓ କର୍ମୀଙ୍କ ମନୋବଳ ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ‘‘ଆମେ ନିର୍ବାଚନରେ ହାରି ଯାଇଥିଲେ ମଧ୍ୟ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ମନୋବାଳକୁ ସୁଦୃଢ଼ କରି ଆମକୁ ଆଗକୁ ଯିବାକୁ ପଡ଼ିବ। ଏଥିପାଇଁ ସଂଘର୍ଷ କରିବାକୁ ପଡ଼ିବ।’’

ପ୍ରତାପ ଷଡ଼ଙ୍ଗୀ କହିଥିଲେ, ‘‘ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଆଗକୁ ବଢୁଛି। ବିଜେପିର ଶକ୍ତି ବୃଦ୍ଧି ପାଇଛି। ଦଳକୁ ଆଗକୁ ନେବା ପାଇଁ ସମସ୍ତଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଦଳରେ ଯେଉଁମାନେ ବେଇମାନି କରିବେ ସେମାନଙ୍କ ଅବସ୍ଥା ମିର୍ଜାଫର ଏବଂ ଜୟଚନ୍ଦ୍ରଙ୍କ ଅବସ୍ଥା ଭୋଗିବ। ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ କଠିନ ପରିଶ୍ରମ ବଳରେ ବିଜେପି ଗଢ଼ା ହୋଇଛି। ଏହାକୁ ଆହୁରି ସଶକ୍ତ କରିବାକୁ ପଡ଼ିବ।’’

୨୦୧୯ ନିର୍ବାଚନରେ ବିଜେପି ମିଶନ-୧୨୦ ପ୍ଲସ୍‌ର ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ିଥିଲା। ହେଲେ ବିଜେପିର ଏହି ମିଶନ ପୂରଣ ହୋଇ ନଥିଲା। ବିଜେପିକୁ ମାତ୍ର ୨୩ଟି ବିଧାନସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା। ୮୧ଟି ଆସନରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲା।

ବିଧାନସଭା ଆସନରେ ଭୋଟ ପ୍ରତିଶତ ୧୮ରୁ ବଢ଼ି ୩୨ ହୋଇଥିଲା। ସେହିପରି ଲୋକସଭା ଆସନରେ ୨୧ରୁ ୩୮ ପ୍ରତିଶତ ହୋଇଛି।

ନିର୍ବାଚନ ବେଳେ ହାଇଭୋଲଟେଜ ପ୍ରଚାର

ନିର୍ବାଚନ ପୂର୍ବରୁ ବିଜେପି ଅନ୍ୟ ଦଳରୁ ନେତାଙ୍କୁ ଆଣି ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ କେବଳ କୁସୁମ ଟେଟେ, କେ ସୂର୍ଯ୍ୟନାରାୟଣ ରାଓ ଏବଂ ସୁକାନ୍ତ ନାୟକ ଜିତିଥିଲେ। ଅନ୍ୟ ଆମଦାନୀ ନେତା ପରାଜିତ ହୋଇଥିଲେ।

ସବୁଠି ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଥିଲା। ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବିଜେପି ପାଇଁ ପ୍ରଚାର କରିଥିଲେ। ହେଲେ ବିଜେପି ବିଜେଡିକୁ ଶାସନ ଗାଦିରୁ ହଟାଇବାକୁ ସମର୍ଥ ହୋଇ ନଥିଲା।

ପରାଜୟର କାରଣ ଖୋଜିବ ବିଜେପି

ଓଡ଼ିଶାରେ ବିଜେପି କାହିଁକି ପରାଜିତ ହେଲା ତାର କାରଣ ଖୋଜିନି ଦଳ। ହେଲେ ଏହା ପୂର୍ବରୁ ବିଜୟ ଉତ୍ସବ ପାଳନ କରିଛି। ଖୁବଶୀଘ୍ର ଆମେ ପରାଜୟର କାରଣ ଖୋଜିବୁ ବୋଲି କହିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂହ। ଏହାସହ ବିଧାନସଭାରେ ବିରୋଧୀ ଦଳ ନେତା କିଏ ହେବେ ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ନଥିଲେ ଜୁଏଲ, ଅପରାଜିତା

ସମ୍ବର୍ଦ୍ଧନା ଉତ୍ସବରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି। ନବ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କୁ ଦଳ ସମ୍ବର୍ଦ୍ଧିତ କରିଛି। ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏହି ଉତ୍ସବରେ ଉପସ୍ଥିତ ନଥିବାରୁ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ଦଳର ସବୁ ନେତା ଓ କର୍ମୀ ଉପସ୍ଥିତ ଥିବା ବେଳେ ଅପରାଜିତା ଏବଂ ଜୁଏଲ କାହିଁକି ଉପସ୍ଥିତ ନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରାଜିତା ସକାଳେ ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ସନ୍ଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଉତ୍ସବରେ ଅନୁପସ୍ଥିତ ରହିବାର କାରଣ ଖୋଜୁଛନ୍ତି କର୍ମୀ।

ସେହପିରି ୨୦୧୪ରେ ଜୁଏଲ ଓଡ଼ିଶାରୁ ଏକମାତ୍ର ବିଜେପି ସାଂସଦ ଭାବେ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ଏଥର ମଧ୍ୟ ଜୁଏଲ ନିର୍ବାଚିତ ହୋଇଛନ୍ତି। କିନ୍ତୁ ମୋଦି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ନାହାନ୍ତି। ଜୁଏଲଙ୍କ ଭଳି ବରିଷ୍ଠ ନେତା ସମ୍ବର୍ଦ୍ଧନା ଉତ୍ସବରେ କାହିଁକି ଯୋଗ ଦେଲେ ନାହିଁ ତାକୁ ନେଇ ରୋଚକ ଚର୍ଚ୍ଚା ଚାଲିଛି।

ଆହୁରି ପଢ଼ନ୍ତୁ :-

ରଥଯାତ୍ରା ସିଧାପ୍ରସାରଣ ଉପରେ ଲାଗିଲା କଟକଣା, ଟେଲିଭିଜନ ରାଇଟ୍‌ସ ନିଲାମ ଡାକିଲେ ସରକାର

Comment