ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପିସିସି ସଭାପତି ଦୌଡ଼ରେ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

୨୦୧୯ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ଶୋଚନୀୟ ଭାବେ ପରାଜିତ ହୋଇଛି। ଗତ ୧୯ ବର୍ଷ ହେଲା ଓଡ଼ିଶାର ଦୁଇ ନମ୍ବର ସ୍ଥାନରେ ରହି ଆସୁଥିବା କଂଗ୍ରେସ ଏଥର ତିନି ନମ୍ବରକୁ ଖସି ଆସିଛି। ଫଳରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି।

ନିରଞ୍ଜନଙ୍କ ପରେ କିଏ ଓଡ଼ିଶା କଂଗ୍ରେସର ମଙ୍ଗ ଧରିବ ଏବଂ ପିସିସି ସଭାପତି ଗାଦିରେ କିଏ ବସିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଛି ନେତା ନିରଞ୍ଜନଙ୍କୁ ପୁଣି ପିସିସି ସଭାପତି କରିବାକୁ ଦାବି କରୁଥିଲେ ମଧ୍ୟ ହାଇକମାଣ୍ଡ ତାଙ୍କୁ ଆଉ ଥରେ ଦାୟିତ୍ୱ ଦେବାକୁ ଚାହୁଁ ନଥିବା ଜଣାପଡ଼ିଛି। ଓଡ଼ିଶାର ଯୁବ ନେତୃତ୍ୱଙ୍କ ହାତରେ କଂଗ୍ରେସର ମଙ୍ଗ ଧରାଇବା ମୁଡ୍‌ରେ ରହିଛି ଏଆଇସିସି।

ଏଣୁ ପିସିସି ସଭାପତି ପଦ ପାଇଁ ଯେଉଁ କିଛି ଯୁବ କଂଗ୍ରେସ ନେତା ରେସ୍‌ରେ ରହିଛନ୍ତି ସେମାନଙ୍କ ମଧ୍ୟରେ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି ଆଗରେ ରହିଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀ ଏଆଇସିସି ଅଫିସରେ ବିଶ୍ୱରଞ୍ଜନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି ବର୍ତ୍ତମାନ ଏଆଇସିସିର ସମ୍ପାଦକ ତଥା ଗୁଜୁରାଟର ସହପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ଏହା ପୂର୍ବରୁ ସେ ରାହୁଲ ଗାନ୍ଧିଙ୍କ କୋର୍ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ ବିଶ୍ୱରଞ୍ଜନ। ଏହାଛଡ଼ା ରାଜସ୍ଥାନ, କର୍ଣ୍ଣାଟକରେ ଯୁବ କଂଗ୍ରେସର ପ୍ରଭାରୀ ଦାୟିତ୍ୱରେ ଥିଲେ ସେ। ଜେନେୟୁର ଛାତ୍ର ନେତା ଭାବେ ମଧ୍ୟ ବିଶ୍ୱରଞ୍ଜନ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ।

ଏହାସହ ଓଡ଼ିଶା କଂଗ୍ରେସର ଭୀଷ୍ମ ପିତାମହ ସ୍ୱର୍ଗତ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରିଥିଲେ ବିଶ୍ୱରଞ୍ଜନ। ସାଧାରଣ ପରିବାରରୁ ସକ୍ରିୟ ରାଜନୀତିକୁ ଆସିଥିବା ବିଶ୍ୱରଞ୍ଜନ ପିସିସି ସଭାପତି ହୁଅନ୍ତୁ ବୋଲି ବହୁ ନେତା ଦାବି କରୁଛନ୍ତି।

ଓଡ଼ିଶାର ଅନ୍ୟତମ ଯୁବ ନେତା ପ୍ରଦୀପ ମାଝି, ବରିଷ୍ଠ ନେତା ଗଣେଶ୍ୱର ବେହେରା, ଚିରଞ୍ଜିବ ବିଶ୍ୱାଳ ଏବଂ ରଞ୍ଜିବ ବିଶ୍ୱାଳ ମଧ୍ୟ ପିସିସି ସଭାପତି ଦୌଡ଼ରେ ଅଛନ୍ତି। ହେଲେ ବିଶ୍ୱରଞ୍ଜନ ମହାନ୍ତି ହାଇକମାଣ୍ଡଙ୍କ ଗୁଡ୍‌ବୁକ୍‌ରେ ରହିଥିବାରୁ ସେ ହିଁ ପରବର୍ତ୍ତୀ ପିସିସି ସଭାପତି ହେବେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ବିଶ୍ୱରଞ୍ଜନଙ୍କୁ ପିସିସି ସଭାପତି କରିବା ପାଇଁ କିଛି ଯୁବ ନେତା ମଧ୍ୟ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରି ଦେଇଛନ୍ତି।

Comment