ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ଫଳ ବାହାରିବାର ୧୫ ଦିନ ପରେ ଆଜି ପରାଜୟର କାରଣ ଖୋଜିଛି ବିଜେପି। ଭୁବନେଶ୍ୱରସ୍ଥିତ ପାର୍ଟି ଅଫିସରେ ବିଜେପିର ଛାମୁଆ ନେତାମାନେ ବସି ଦଳ କାହିଁକି ହାରିଲା ଏବଂ ମିଶନ-୧୨୦ ଲକ୍ଷ୍ୟ ପୂରଣରେ କେଉଁଠି ତ୍ରୁଟି ରହିଲା ସେନେଇ ମାନସ ମନ୍ଥନ କରିଥିଲେ।

ବିଜେପି ପାର୍ଟି ଅଫିସରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଦଳର ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସାମ୍ନା କରିଥିବା ଅସୁବିଧା ସମ୍ପର୍କରେ କହିଥିଲେ।

‘‘ଦଳରେ ଅନ୍ତର୍ଘାତୀ କାମ ହୋଇଛି। ଫଳରେ ମୁଁ ପରାଜିତ ହେଲି। ସାଂସଦ ପ୍ରାର୍ଥୀ ମୋଠୁ ଅଧିକ ଭୋଟ ପାଇଛନ୍ତି। ବ୍ରଜରାଜନଗରରେ ପ୍ରଚାର ହେଲା ଗୋଟେ ଫୁଲ, ଆଉ ଗୋଟେ ଶଙ୍ଖକୁ ଦିଅ ଭୋଟ। ଫଳରେ ମୁଁ ପରାଜିତ ହେଲି’’, ଏହା କହିଛନ୍ତି ବ୍ରଜରାଜନଗରର ବିଧାୟିକା ପ୍ରାର୍ଥୀ ଥିବା ରାଧାରାଣୀ ପଣ୍ଡା।

ସେହିପରି ୨୦୧୪ରେ ନିର୍ବାଚନ ଜିତିଥିବା ପ୍ରଦୀପ ପୁରୋହିତ ଏଥର ପରାଜିତ ହୋଇଛନ୍ତି।

ସେ କହିଛନ୍ତି, ‘‘ଓଡ଼ିଶାରେ ବିଜେପି ଭଲ କାମ କରିଥିଲା। ବିଜୁ ଜନତା ଦଳ ବିରୋଧରେ ଜନମତ ରହିଥିଲ। ହେଲେ ଆମେ ଏହି ଜନମତକୁ ଠିକରେ ଲୋକଙ୍କ ପାଖକୁ ନେଇ ପାରିଲୁ ନାହିଁ। ଏଣୁ ପରାଜିତ ହେଲୁ।’’

ବିଜେପି ଚଳିତ ନିର୍ବାଚନରେ ୨୩ଟି ବିଧାନସଭା ଆସନ ଏବଂ ୮ଟି ଲୋକସଭା ଆସନରେ ବିଜୟୀ ହୋଇଛି। ୮୧ଟି ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା। ୧୩ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମାତ୍ର ୫ରୁ ୧୦ ହଜାର ଭୋଟରେ ପରାଜିତ ହୋଇଥିଲେ। ଏସବୁକୁ ନେଇ ବିଜେପି ଆଜି ମାନସମନ୍ଥନ କରିଥିଲା।

ଏହା ପୂର୍ବରୁ ବିଜେପିର କୋର କମିଟି ବୈଠକ ବସିଥିଲା। ଆଗାମୀ ଦିନରେ ବିଜେପି କେମିତି ଓଡ଼ିଶାରେ ସଙ୍ଗଠନ ସୁଦୃଢ଼ କରିବ ସେନେଇ ଆଲୋଚନା ହୋଇଥିଲା।

Comment