ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଆଜି ଦିନ ତମାମର ପ୍ରମୁଖ ଖବର।

ଦିନିକିଆ କ୍ରିକେଟରେ କୋହଲିଙ୍କ ୫୦ ତମ ଅର୍ଦ୍ଧଶତକ

ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଦିନ ଦିନିକିଆ କ୍ରିକେଟ୍ କ୍ୟାରିଅରରେ ୫୦ ତମ ଅର୍ଦ୍ଧଶତକ କରିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ କୋହଲି ଦମଦାର ବ୍ୟାଟିଂ କରି ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଶିଖର ଧାୱନଙ୍କ ଧୂଆଁଧାର ଶତକ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ବିଶ୍ୱକପ୍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କ ଧୂଆଁଧାର ଶତକ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପଡ଼ିଆକୁ ଆସିଥିଲେ ରୋହିତ ଶର୍ମା ଏବଂ ଶିଖର ଧାୱନ୍। ରୋହିତ ୫୭ ରନ୍‌ରେ ପଡ଼ିଆ ଛାଡ଼ିବା ପରେ ଧାୱନଙ୍କ ବ୍ୟାଟର ଯାଦୁ ଦେଖିବାକୁ ମିଳିଥିଲା।

ଇଞ୍ଜିନିଅରଙ୍କୁ କାନଧରି ଉଠ୍‌ବସ୍‌ କରିବା ଘଟଣା : ଜିଲ୍ଲାପାଳ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

‘‘ବିଧାୟକଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି। ଉପଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ସତ୍ୟତା ଅଛି। ସରକାରଙ୍କୁ ଆମେ ରିପୋର୍ଟ ପ୍ରଦାନ କରିବୁ। ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’’, କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ।

ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା ବିଷୋୟୀ – ‘‘ନିଖୋଜ ଓଡ଼ିଆ ପାଇଲଟଙ୍କୁ ଫେରାଇ ଆଣ’’

ନିଖୋଜ ଓଡ଼ିଆ ପାଇଲଟ ସୁନିତ ମହାନ୍ତିଙ୍କୁ ଠାବ କରି ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ଆସ୍କା ସାଂସଦ ପ୍ରମିଳା ବିଷୋୟୀ।

ପ୍ରମିଳା ଲେଖିଛନ୍ତି, ‘‘ନିଖୋଜ ପାଇଲଟ ସୁନିତ ମହାନ୍ତିଙ୍କ ଘର ହେଉଛି ମୋ’ ନିର୍ବାଚନମଣ୍ଡଳୀରେ। ସେ ନିଖୋଜ ଥିବା ଖବର ଜଣାପଡ଼ିବା ପରେ ତାଙ୍କ ବାପା, ମା’ଙ୍କ ଆଖିରୁ ନିଦ ହଜି ଯାଇଛି। ପୁଅର ଫେରିବାକୁ ବାଟକୁ ସେମାନେ ଚାହିଁ ରହିଛନ୍ତି। ଏଣୁ ସୁନିତ କେଉଁଠି ଅଛନ୍ତି ତାର ସନ୍ଧାନ କରିବା ସହ ତାଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉ।’’

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଦ୍ୱିତୀୟ ଥର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ହେଉଛି ନବୀନ ଓ ମୋଦିଙ୍କର ପ୍ରଥମ ଭେଟ୍‌ଘାଟ୍‌।

ମମତାଙ୍କ ଟିମ୍‌ରେ ପ୍ରଶାନ୍ତ କିଶୋର, ୨୦୨୧ ପାଇଁ ପ୍ରସ୍ତୁତ କରିବେ ରଣନୀତି

୨୦୧୯ ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ କେନ୍ଦ୍ରରେ ସରକାର ଗଢ଼ିଛି। ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବିଜେପିର ଫୋକସ୍‌ରେ ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ମମତା ବାନାର୍ଜୀ ତାଙ୍କ ଗଡ଼ ରକ୍ଷା କରିବା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ମମତାଙ୍କ ଗଡ଼ ଭାଙ୍ଗିବା ପାଇଁ ବିଜେପି ଗୋଟି ଚାଳନା ଆରମ୍ଭ କରିଛି।

ଢେଙ୍କାନାଳରେ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ି ୪ ମୃତ, ୭ ଆହତ

ଢ଼େଙ୍କାନାଳ ସହର ଅଳସୁଆ ହାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଆଜି ସକାଳେ ହାଟକୁ ଲାଗି ରହିଥିବା ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଭୁଶୁଡ଼ି ୪ ମୃତ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ରଥଯାତ୍ରା ସିଧାପ୍ରସାରଣ ଉପରେ ସରକାର ଲଗାଇଲେ କଟକଣା, ଟିଭି ରାଇଟ୍ସ ପାଇଁ ହେବ ନିଲାମ

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ସ୍ନାନ ପୂର୍ଣ୍ଣିମାର ମାତ୍ର ୧୦ ଦିନ ପୂର୍ବରୁ ସରକାର ଏକ ଅଭୁତ ନିୟମ ଆଣି ସିଧାପ୍ରସାରଣ ଉପରେ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ମହଲରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

୨୦ ବର୍ଷ ପରେ ଲଣ୍ଡନ ମାଟିରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

କ୍ରିକେଟ୍‌ ମହାସମରରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବାକୁ ଯାଉଛି ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌। ଭାରତ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୁର୍ଣ୍ଣ ଅଟେ। କାହିଁକି ନା ବିଶ୍ୱକପ୍‌ ଇତିହାସରେ ଲଣ୍ଡନ ମାଟିରେ ଭାରତ ଦୀର୍ଘ ୨୦ ବର୍ଷ ପରେ କଙ୍ଗାରୁ ଟିମ୍‌ ସହିତ ମୁହାଁମୁହିଁ ହେଉଛି।

Comment