ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏବେଠୁ ଚାଲିଲାଣି ବିଜେପି-ଟିଏମ୍‌ସି ଭିତରେ ବଳ କଷାକଷି।

୨୦୧୯ ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ କେନ୍ଦ୍ରରେ ସରକାର ଗଢ଼ିଛି। ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବିଜେପିର ଫୋକସ୍‌ରେ ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ।

୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ମମତା ବାନାର୍ଜୀ ତାଙ୍କ ଗଡ଼ ରକ୍ଷା କରିବା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ମମତାଙ୍କ ଗଡ଼ ଭାଙ୍ଗିବା ପାଇଁ ବିଜେପି ଗୋଟି ଚାଳନା ଆରମ୍ଭ କରିଛି।

ବିଜେପିକୁ ମାତ୍ ଦେବା ପାଇଁ ମମତା ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ମମତାଙ୍କ ପାଇଁ ୨୦୨୧ ନିର୍ବାଚନରେ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିବେ। ଏନେଇ ପ୍ରଶାନ୍ତ କିଶୋର ଜୁଲାଇରୁ କାମ ଆରମ୍ଭ କରିବେ। ପ୍ରଶାନ୍ତଙ୍କ ଟିମ୍ ପଶ୍ଚିମବଙ୍ଗରେ ପହଞ୍ଚି ଟିଏମ୍‌ସି ପ୍ରାର୍ଥୀ ଗତ ନିର୍ବାଚନରେ ଯେଉଁ ଆସନରେ ପରାଜିତ ହୋଇଛନ୍ତି ସେଠାରେ ସ୍ଥିତି ସମୀକ୍ଷା କରିବେ। କେଉଁ କାରଣ ପାଇଁ ୨୦୧୯ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ବଢ଼ିଲା ତାର କାରଣ ଖୋଜିବେ।

ବିଜେପି କିନ୍ତୁ ମମତା ଏବଂ ପ୍ରଶାନ୍ତ କିଶୋରଙ୍କୁ ସମାଲୋଚନା କରିଛି।

ବିଜେପି ମହାସଚିବ କୈଳାସ ବିଜୟ ବର୍ଗିୟ କହିଛନ୍ତି ଯେ ପ୍ରଶାନ୍ତ କିଶୋର ଯେଉଁ କଲେଜର ଛାତ୍ର ସେହି କଲେଜର ଅଧ୍ୟକ୍ଷ ହେଉଛନ୍ତି ଅମିତ ଶାହ। ସେ ଆହୁରି କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଉପରେ ପଶ୍ଚିମବଙ୍ଗବାସୀଙ୍କର ଭରସା ନାହିଁ। ଏଣୁ ଯେଉଁ ରଣନୀତିଜ୍ଞ ଆସିଲେ ବି କିଛି ଫରକ ପଡ଼ିବ ନାହିଁ।

‘‘ଅମିତ ଶାହଙ୍କଠାରୁ ପ୍ରଶାନ୍ତ କିଶୋର ବଡ଼ ରଣନୀତିଜ୍ଞ ନୁହନ୍ତି। ୨୦୨୧ ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ ରଣନୀତି ତିଆରି କରିବାକୁ ମମତା ପ୍ରଶାନ୍ତ କିଶୋରଙ୍କୁ ଆଣିଛନ୍ତି। ଏଥିରେ ବିଜେପି ଭୟଭୀତ ହେବାରେ ନାହିଁ। ମମତା ଯଦି ଚାହୁଁଛନ୍ତି ଆଉ ୪ ଜଣ ରଣନୀତିଜ୍ଞ ବି ରଖି ପାରନ୍ତି’’, କହିଛନ୍ତି କୈଳାସ ବିଜୟ ବର୍ଗିୟ।

ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଦମଦାର ବିଜୟ ହାସଲ କରିଛି। ମୋଟ ୪୨ ଲୋକସଭା ଆସନରୁ ବିଜେପି ୧୮ଟିରେ ବିଜୟୀ ହୋଇଥିଲା। ତୃଣମୂଳ କଂଗ୍ରେସ ୨୨ଟି ଆସନରେ ବିଜୟୀ ହୋଇଥିଲା।

ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୧ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ଆଶା ରଖିଛି।

ପ୍ରଶାନ୍ତ କିଶୋର ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ରଣନୀତିଜ୍ଞ ସାଜିଥିଲେ। ପ୍ରଶାନ୍ତଙ୍କ ରଣନୀତି ଯୋଗୁ ବିଜେପି ୨୦୧୪ରେ ଭଲ ପ୍ରଦର୍ଶନ କରିଥିଲା ଏବଂ ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା କୁହାଯାଉଛି।

୨୦୧୫ ବିହାର ବିଧାନସଭା ନିର୍ବାଚନରେ ବି ପ୍ରଶାନ୍ତ କିଶୋର ଜେଡି(ୟୁ), ଆରଜେଡି, କଂଗ୍ରେସ ମହାମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ନିର୍ବାଚନରେ ମହାମେଣ୍ଟ ବିଜୟୀ ହୋଇଥିଲା।

Comment