ଓଡ଼ିଶାଲାଇଭ ବ୍ୟୁରୋ

ବାହାଘର ପାଇଁ ୨୦୦ ହେଲିକପ୍ଟର, ରୂପାରେ ପ୍ରସ୍ତୁତ ନିମନ୍ତ୍ରଣ କାର୍ଡ, ବହାଘରରେ ୧୦୦ରୁ ଅଧିକ ପଣ୍ଡିତ ନିୟୋଜିତ। ଏଭଳି ନିଆରା ବାହାଘର ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏମିତି ଏକ ବାହାଘର ହେବାକୁ ଯାଉଛି ଉତ୍ତରାଖଣ୍ଡରେ। ଏ ବିବାହ ହେଉଛି ଉତ୍ତରପ୍ରଦେଶର ସାହରନପୁରର ତଥା ଦକ୍ଷିଣ ଆଫ୍ରିକାର ୧୦ ଧନୀ ଲୋକଙ୍କ ତାଲିକାରେ ଥବା ଗୁପ୍ତା ବ୍ରଦର୍ସଙ୍କ ୨ ପୁଅଙ୍କର। ଏହି ରୟାଲ ଓ୍ୱେଡିଙ୍ଗକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଏହି ହାଇ ପ୍ରୋଫାଇଲ ବାହାଘର ହେବାକୁ ଯାଉଛି ଜୁନ ୧୮ରୁ ଜୁନ ୨୨ ମଧ୍ୟରେ। ଉତ୍ତରାଖଣ୍ଡର ବିଶ୍ୱ ବିଖ୍ୟାତ ହିମ କ୍ରିଡା କ୍ଷେତ୍ର ଔଲିରେ ଏହି ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ଜଣାଶୁଣା ବ୍ୟବସାୟୀ ଅଜୟ ଗୁପ୍ତାଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କ ବାହାଘର ଜୁନ ୧୮ରୁ ୨୦ ଯାଏଁ ହେବାକୁ ଥିଲାବେଳେ ତାଙ୍କ ସାନ ଭାଇ ଅତୁଳ ଗୁପ୍ତାଙ୍କ ପୁଅ ଶଶାଙ୍କ ବିବାହ ଜୁନ୍ ୨୦ରୁ ଜୁନ ୨୨ ଯାଏଁ ଅନୁଷ୍ଠିତ ହେବ।

ହୁଏତ ଏଭଳି ହାଇ ପ୍ରୋଫାଇଲ ବାହାଘର ଆପଣ ଆଗରୁ କେଉଁଠି ଦେଖିନଥିବେ। ଖାସ କଥା ଏହା ଯେ, ପ୍ରଖ୍ୟାତ ବିଜିନେସମ୍ୟାନ ଗୁପ୍ତା ବ୍ରଦର୍ସଙ୍କ ପୁଅ ବାହାଘର ପାଇଁ ସ୍ୱିଜରଲାଣ୍ଡରୁ ୫ କୋଟି ଟଙ୍କା ଫୁଲ ମଗାଯାଇଥିବା ଜଣାପଡ଼ିଛି।

ଅତିଥିଙ୍କୁ ଡେରାଡୁନ, ଦିଲ୍ଲୀରୁ  ବାହାଘରରେ ପହଞ୍ଚିବା ପାଇଁ ୨୦୦ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏଥିସହିତ ବିବାହ କାର୍ଯ୍ୟ ପାଇଁ ୧୦୦ ପଣ୍ଡିତ ନିୟୋଜିତ ରହିଛନ୍ତି।

ଏହି ବିବାହରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବଲିଉଡ ଷ୍ଟାରଙ୍କ ଜଲଓ୍ୱା ମଧ୍ୟ ଦେଖିବାକୁ ମିଳିବ।  ବିବାହ ଭୋଜିରେ ୪୦୦ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି। ବାହାଘରରେ ସମୁଦାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ  ହେବ ବୋଲି ଆକଳନ କରାଯାଉଛି।

କିଏ ଏହି ଗୁପ୍ତା ବ୍ରଦର୍ସ

ଉତ୍ତରପ୍ରଦେଶର ସହରାନପୁରରେ ଜନ୍ମିତ ୩ ଭାଇ ହେଲେ ଅଜୟ ଗୁପ୍ତା, ଅତୁଳ ଗୁପ୍ତା ଏବଂ ରାଜେଶ ଗୁପ୍ତା। ଏହି ତିନି ଭାଇ ଏବେ ଗୁପ୍ତା ବ୍ରଦର୍ସ ଭାବେ ସାରା ଦୁନିଆଁରେ ପରିଚିତ। ୧୯୯୩ ଏହି ୩ ଭାଇ ପହଞ୍ଚିଥିଲେ ଦକ୍ଷିଣ ଆଫ୍ରିକାରେ। ଭାରତରେ ଛୋଟ ବ୍ୟବସାୟ କରୁଥିବା ଏହି ଗୁପ୍ତା ବ୍ରଦର୍ସ ନିଜ ଉଦ୍ୟମ ବଳରେ ଦକ୍ଷିଣ ଆଫ୍ରିକାରେ ବିଶାଳ ବ୍ୟବସାୟର ସାମ୍ରାଜ୍ୟ ଠିଆ କରିପାରିଛନ୍ତି। କମ୍ପ୍ୟୁଟର ଉପକରଣ, ଖଣି, ମିଡିଆ, ଟେକନୋଲିଜୀ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ବ୍ୟବସାୟ କରି ସଫଳତା ପାଇଛନ୍ତି ଏହି ଗୁପ୍ତା ବ୍ରଦର୍ସ।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ସମ୍ପର୍କ ଥିବା ନେଇ ଅତୀତରେ ବିବାଦରେ ପଡ଼ିଥିଲେ ଏହି ଗୁପ୍ତା ବ୍ରଦର୍ସ।

Comment